ସମୁଦ୍ରରେ ଲୀନ ହେବ ବେଳାମାର୍ଗ
କୋଣାର୍କ (ଆପ୍ର): ଅନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କକୁ ପର୍ଯ୍ୟଟକ ଆଗମନର ମୁଖ୍ୟ ଭୂମିକା ଗ୍ରହଣ କରିଥିବା ପୁରୀ-କୋଣାର୍କ ବେଳାମାର୍ଗ ଏବେ ସମୁଦ୍ରର ଗତିପଥ ପରିବର୍ତ୍ତନକୁ ନେଇ ବିପଦରେ । ରାମଚଣ୍ଡୀ ସାହୁଖଣତା ଠାରୁ ଚନ୍ଦ୍ରଭାଗା ବେଳାମାର୍ଗ ରାସ୍ତାରେ ସମୁଦ୍ରର ଅଶାନ୍ତ ଜୁଆର ଘନ ଘନ ମାଡ଼ ହୋଇ ଅତଡ଼ା ଖାଉଥିବାର ଦୃଶ୍ୟ ପାଇଁ ଏବେ ମେରାଇନ୍ ଡ୍ରାଇଭ୍ ରାସ୍ତା ସମୁଦ୍ର ଗର୍ଭରେ ଲୀନ ହେବା ଆଶଙ୍କା ଦେଖାଦେଇଛି । ଗତ ଦୁଇଦିନ ହେବ ଇକୋ ରି-ଟ୍ରିଟ୍ ନିକଟ ମୁଖ୍ୟରାସ୍ତାକୁ ସୁ-ଉଚ୍ଚ ଜୁଆର ମାଡ଼ି ଆସି ରାସ୍ତା ଉପରେ ପାଣିର ସ୍ରୋତ ଭାଙ୍ଗୁଥିବା ଦେଖିବାକୁ ମିଳୁଛି । ଫଳରେ ସମୁଦ୍ର କୂଳେ କୂଳେ ୩୩ କେଭିର ବିଦୁ୍ୟତ୍ ଖୁଣ୍ଟିଗୁଡ଼ିକ ରାସ୍ତାକଡ଼ ଜୁଆର ମାଡ଼ ଖାଇ ଢଳି ରହିଛି । ରବିବାର ଛୁଟିଦିନ ଥିବାରୁ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ଗାଡ଼ିଗୁଡ଼ିକ ନିଜକୁ ଅସୁରକ୍ଷିତ ମନେକରି ଭୟରେ ନିଜ ଜୀବନକୁ ବାଜି ଲଗାଇ ଗାଡ଼ି ନେଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । କୌଣସି ବଡ଼ ଅଘଟଣ ଘଟିବା ପୂର୍ବରୁ ସ୍ଥାନୀୟ ଲୋକମାନଙ୍କ ଠାରୁ ଖବରପାଇ ସେସୁ ପକ୍ଷରୁ ଖୁଣ୍ଟଗୁଡ଼ିକୁ ଲୋକ ଲଗାଇ ତଳକୁ ଖସାଇ ଦିଆଯାଇଥିଲା । ଫଳରେ ସୁତନ ଗ୍ରାମ ସହିତ ୧୦ଟି ଗ୍ରାମ ଅନ୍ଧାରରେ ରହିଛି । ଯାହାକୁ ନେଇ ବେଳାମାର୍ଗର ରାସ୍ତା ଏବେ ଅତି ଚିନ୍ତାଜନକ ସ୍ଥିତିରେ ଥିବା ଦେଖାଦେଇଛି ।
ଦୀର୍ଘ ୨ବର୍ଷ ହେବ ସମୁଦ୍ରର ଗତିପଥ ବଦଳି ବେଳାମାର୍ଗର ମୁଖ୍ୟରାସ୍ତାକୁ ବିପଦରେ ପକାଇଥିବା ଓ ଏହା ଖୁବ୍ଶୀଘ୍ର ସମୁଦ୍ର ଗର୍ଭରେ ଲୀନ ହେବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଗତବର୍ଷ ଜଳସମ୍ପଦ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଜ୍ଞାନିକ ଟିମ୍ ସ୍ଥିତି ଅନୁଧ୍ୟାନ କରିବା ସହ ଡ୍ରୋନ୍ ମାଧ୍ୟମରେ ଫଟୋ ଉତ୍ତୋଳନ କରି ଏହାର ସବିଶେଷ ରିପୋର୍ଟ ସଂଗ୍ରହ କରିଥିଲେ । ପରେ ପ୍ରଶାସନ ପକ୍ଷରୁ ବିଭାଗର ଉଚ୍ଚ ଅଧିକାରୀ ଓ ଇଞ୍ଜିନିଅରଙ୍କୁ ନେଇ ସମୀକ୍ଷା କରାଯାଇ ବେଳାମାର୍ଗ ରାସ୍ତାର ସମୁଦ୍ର କୂଳେ କୂଳେ ତୁରନ୍ତ ସୁରକ୍ଷା ପାଚେରି ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା । ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ରିପୋର୍ଟ ଅନୁଯାୟୀ ପ୍ରଶାସନିକସ୍ତରରେ କୌଣସି କାର୍ଯ୍ୟ ହୋଇ ନାହିଁ । ବେଳାମାର୍ଗ ମୁଖ୍ୟରାସ୍ତା ଏବେ ବିପଦପୂର୍ଣ୍ଣ ଥିଲାବେଳେ ଏହାର ସୁରକ୍ଷାକୁ ଦୃଷ୍ଟିରେ ରଖି କେବେ କାର୍ଯ୍ୟ ଆରମ୍ଭ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ସମୁଦ୍ର ଜୁଆରର ଅଶାନ୍ତ ଓ ଉଗ୍ରରୂପ ଦେଖି ଏବେ ସ୍ଥାନୀୟ ଅଞ୍ଚଳ ଟିକନା, ଖାଲକଟା ପାଟଣା, ବରପଦା ଓ ଏହାର ଆଖପାଖ ଅଞ୍ଚଳର ଲୋକମାନେ ଭୟରେ ଜୀବନ ଅତିବାହିତ କରୁଛନ୍ତି । ମୁଖ୍ୟରାସ୍ତା ଠାରୁ ମାତ୍ର ଅଧମିଟର ଦୂରରେ ପହଞ୍ଚିଲାଣି ସମୁଦ୍ର । ଦୀର୍ଘ ୨୦ ବର୍ଷ ମଧ୍ୟରେ ସମୁଦ୍ର ଏତେ ଉଗ୍ର ହେବା ଦେଖି ନ ଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି । ଏହି ରାସ୍ତାକୁ ସମୁଦ୍ର ପ୍ରକୋପରୁ ବଞ୍ଚାଇବାକୁ ହେଲେ ଚନ୍ଦ୍ରଭାଗା ଠାରୁ ସାହୁ ଖଣତା ଲୋଟସ ରିସର୍ଟ ପଛପାଶ୍ୱର୍ ପର୍ଯ୍ୟନ୍ତ ମର୍ଡନ ଟେକ୍ନୋଲୋଜି ବ୍ୟବହାରରେ ଜିଓ ସିନ୍ଥେଟିକ୍ ୱାଲ ତଥା ସୁରକ୍ଷା ପାଚେରିର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ଓ ପରିବେଶବିତ୍ ମତବ୍ୟକ୍ତ କରିଛନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଓ ସରକାର ତୁରନ୍ତ ଏଥିପ୍ରତି ହସ୍ତକ୍ଷେପ କରି ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ କରିବାକୁ ତ୍ୱରିତ ପଦକ୍ଷେପ ସ୍ୱରୂପ ମୁମ୍ବାଇ ବିଚ୍ ପରି ଜିଓ ସିନ୍ଥେଟିକ ସୁରକ୍ଷା ପାଚେରି ନିର୍ମାଣ କରିବାକୁ ପୁରୀ ଅଞ୍ଚଳର ବରିଷ୍ଠ ପରିବେଶବିତ୍ ସରୋଜ କୁମାର ଜେନା ଅନୁରୋଧ କରିଛନ୍ତି ।