ୟୁକ୍ରେନ୍ରେ ରୁଷ୍ ସେନାର ପଛଘୁଞ୍ଚା
ମସ୍କୋ/ କିବ୍ (ଏଜେନ୍ସି): ରୁଷ୍-ୟୁକ୍ରେନ୍ ମଧ୍ୟରେ ଜାରି ଯୁଦ୍ଧକୁ ଇତି ମଧ୍ୟରେ ୭ ମାସ ପୂରଣ ହୋଇଛି । ରୁଷ୍ ନିଜ ବିଶାଳ ସେନାକୁ ନେଇ ନିଜ ତୁଳନାରେ ଅପେକ୍ଷାକୃତ ଏକ କ୍ଷୁଦ୍ର ରାଷ୍ଟ୍ର ୟୁକ୍ରେନ୍ ଉପରେ ଆକ୍ରମଣ କରିଆସୁଛି । କିନ୍ତୁ ଦୀର୍ଘ ୬ ମାସ ପରେ ମଧ୍ୟ ରୁଷ୍, ୟୁକ୍ରେନ୍କୁ ସମ୍ପୂର୍ଣ୍ଣ ପରାଜିତ କରିପାରିନାହିଁ । ୟୁକ୍ରେନ୍ର ଅଧିକାଂଶ ପ୍ରାନ୍ତକୁ ଧ୍ୱସ୍ତ ବିଧ୍ୱସ୍ତ କରିଦେବା ସତ୍ତ୍ୱେ ଅନେକ ଅଞ୍ଚଳକୁ ରୁଷ୍ ସେନା କବ୍ଜା କରିପାରିନାହାନ୍ତି । ଅନ୍ୟପକ୍ଷେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ନିଦେ୍ର୍ଦଶରେ ଏବେ ରୁଷ୍ ସେନା, ୟୁକ୍ରେନ୍ରୁ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି । ସୁତରାଂ ଦୀର୍ଘ ୬ମାସ ଧରି ଚାଲିଥିବା ଏହି ଯୁଦ୍ଧରେ କୌଣସି ନିଷ୍କର୍ସହୀନ ସାବ୍ୟସ୍ତ ହୋଇଛି ବୋଲି କହିଲେ ଅତୁ୍ୟକ୍ତି ହେବନି । ରିପୋର୍ଟସ୍ ଅନୁସାରେ ଗତ ସପ୍ତାହରୁ ହିଁ ରୁଷ୍ ସେନା ଖାର୍କିଭ୍ ସମେତ କେତେକ ଅଞ୍ଚଳରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିଥିବା ଜାଣିବାକୁ ମିଳିଛି ।
ଏସମ୍ପର୍କରେ ରୁଷ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ୟୁକ୍ରେନ୍ର ଇଜୁମ୍ ଅଞ୍ଚଳରୁ ନିଜ ସୈନିକମାନଙ୍କୁ ପ୍ରତ୍ୟାହାର କରିବାକୁ ନିଦେ୍ର୍ଦଶ ଦିଆଯାଇସାରିଛି । ଏହି ଅଞ୍ଚଳ ଖାର୍କିଭ୍ ପ୍ରଦେଶ ଅଧୀନରେ ଆସୁଥିବା ବେଳେ ୟୁକ୍ରେନ୍ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ତେବେ ରୁଷ୍ ସେନା ଏହାକୁ କବ୍ଜା କରିବାରେ ସଫଳ ହୋଇଥିଲା । ସମ୍ପ୍ରତି ରୁଷ୍ ସେନା ଡୋନେଷ୍ଟକ୍ ଉପରେ ଧ୍ୟାନ କେନ୍ଦ୍ରିତ କରିବା ପାଇଁ ନିଜ ସେନାକୁ ଖାର୍କିଭ୍ ଅଞ୍ଚଳରୁ ପ୍ରତ୍ୟାହାର କରିବାକୁ ନିଦେ୍ର୍ଦଶ ଦିଆଯାଇଥିବା ରୁଷ୍ ଦର୍ଶାଇଛି । ପ୍ରକାଶ, ଗତ ମାର୍ଚ୍ଚରେ ୟୁକ୍ରେନ୍ର ରାଜଧାନୀ କିବ୍ରୁ ମଧ୍ୟ ନିଜ ସେନାକୁ ପ୍ରତ୍ୟାହାର କରିବା ସମୟରେ ରୁଷ୍ ପକ୍ଷରୁ ସମାନ କଥା କୁହାଯାଇଥିଲା ।
ରୁଷ୍ ସେନା ପଛକୁ ହଟିବାକୁ ୟୁକ୍ରେନ୍ର ବୃହତ୍ ବିଜୟ ଭାବେ ବିବେଚନା କରାଯାଉଛି । ୟୁକ୍ରେନ୍ ଅଧିକାରୀଙ୍କ କହିବାନୁସାରେ ଖାର୍କିଭ୍ ଅଞ୍ଚଳରେ ୟୁକ୍ରେନ୍ ସେନାକୁ ବଡ ବିଜୟ ମିଳିଛି । ଗତ ଏପ୍ରିଲ୍ ମାସରେ ରୁଷ୍ ସେନା ଏସବୁ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇଥିବା ବେଳେ ଏବେ ୟୁକ୍ରେନ୍ ସେନା ସେସବୁକୁ ପୁନଃ ନିଜ ଦଖଲକୁ ନେଇଯାଇଛନ୍ତି । ଅନ୍ୟପକ୍ଷେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ରୁଷ୍ ସେନାର ପ୍ରତ୍ୟାହାର ସମ୍ପର୍କରେ ପ୍ରତିକ୍ରିୟା ଦେଇ କହିଛନ୍ତି, ରୁଷ୍ ପାଖରେ ନିଜ ସେନାକୁ ପ୍ରତ୍ୟାହାର କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ଏହି ଅବସରରେ ରୁଷ୍ର ସେନା ପ୍ରତ୍ୟାହାର ନିଷ୍ପତ୍ତିକୁ ମଧ୍ୟ ଜେଲେନ୍ସ୍କି ପ୍ରଂଶସା କରିଛନ୍ତି । ବିଳମ୍ବରେ ହେଲେ ମଧ୍ୟ ରୁଷ୍ ଏବେ ନିଜର ବେଷ୍ଟ ସାଇଡ୍ (ଉତ୍ତମ ଆଚରଣ) ପ୍ରଦର୍ଶିତ କରିଛି ବୋଲି ଜେଲେନ୍ସ୍କି କହିଛନ୍ତି ।
ସୂଚନାଯୋଗ୍ୟ, ନାଟୋ ସଂଗଠନରେ ସାମିଲ ହେବା ପାଇଁ ୟୁକ୍ରେନ୍ର ଜିଦ୍ କାରଣରୁ ଏହି ଯୁଦ୍ଧର ଆରମ୍ଭ ହୋଇଥିଲା । ଚଳିତ ବର୍ଷ ଫେବ୍ରୁଆରୀ ୨ଠରେ ରୁଷ୍ ସେନା ୟୁକ୍ରେନ୍ ଉପରେ ଆକ୍ରମଣ କରିଥିଲା । ତେବେ ଏହି ସମୟ ସୁଦ୍ଧା ୟୁକ୍ରେନ୍ ସେନା ସହ ୟୁକ୍ରେନ୍ର ସାଧାରଣ ନାଗରିକମାନେ ମଧ୍ୟ ମିଳିତ ଭାବେ ରୁଷ୍ ସେନା ବିରୋଧରେ ଲଢ଼େଇ କରିଥିଲେ । ନିଜେ ରାଷ୍ଟ୍ରପତି ଜେଲେନ୍ସ୍କି ମଧ୍ୟ ଯୁଦ୍ଧଭୂମୀରୁ ନିଜ ସେନାର ମନୋବଳ ବୃଦ୍ଧି କରିଚାଲିଥିଲେ । ଏଥିପାଇଁ ୟୁକ୍ରେନ୍ ଭଳି ଏକ କ୍ଷୁଦ୍ର ରାଷ୍ଟ୍ର ରୁଷ୍ ଭଳି ଏକ ବିଶାଳ ଦେଶର ବିଶାଳ ସେନା ସମ୍ମୁଖରେ ଆତ୍ମସମର୍ପଣ କରିନଥିଲା । ଅନ୍ୟପକ୍ଷେ ୟୁକ୍ରେନ୍କୁ ବିଭିନ୍ନ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ପକ୍ଷରୁ ଯୁଦ୍ଧ ପାଇଁ ସବୁପ୍ରକାର ସହାୟତା ମିଳୁଥିବା ବେଳେ ରୁଷ୍ର ଅସ୍ତ୍ରାଗାର ଏବେ ଖାଲି ହେବା ସ୍ଥିତିରେ ପହଞ୍ଚôଯାଇଛି । ସେହିପରି ଯୁଦ୍ଧରେ ରୁଷ୍କୁ ଆର୍ଥିକ ସ୍ଥିତିରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ନିଜ ସେନାକୁ ପ୍ରତ୍ୟାହାର କରିବାର ନିଷ୍ପତ୍ତି ପାଇଁ ଏହାକୁ ରୁଷ୍ର ପରାଜୟ ବୋଲି କୁହାଯାଇପାରିବନି ବୋଲି ଅନ୍ତର୍ଜାତୀୟସ୍ତରୀୟ ବୁଦ୍ଧିଜୀବୀମାନେ କହିଛନ୍ତି ।