ବିପଦ ସଙ୍କେତ ଉପରେ ଜଳକା
ଜଳେଶ୍ୱର (ଆପ୍ର): ଲଗାଣ ବର୍ଷା ଫଳରେ ପୁଣି ଜଳକା ନଦୀ ଫୂୁଲିବାରେ ଲାଗିଛି । ବର୍ଷା ନ କମିଲେ ପାଣି ବନ୍ଧ ଟପିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।
ସୂଚନା ଅନୁୂଯାୟୀ, ବସ୍ତା ବ୍ଲକ୍ ମଥାନୀଠାରେ ଜଳକା ଅପରାହ୍ଣ ସୁଦ୍ଧା ୬ ମିଟରରେ ପ୍ରବାହିତ ହେଉଥିଲା । ସେଠାରେ ବିପଦସଙ୍କେତ ସ୍ତର ୫.୫୦ ମିଟର । ଏତଦ୍ଭିନ୍ନ ବର୍ଷା ଯୋଗୁ ମୟୂରଭଞ୍ଜ ଜିଲ୍ଲାରେ ପ୍ରବାହିତ ନଦୀଗୁଡ଼ିକରେ ଜଳସ୍ତର ବଢ଼ିବାରେ ଲାଗିଛି । ନଦୀ ବଢ଼ୁଥିବାରୁ ବନ୍ଧ ଦୁର୍ବଳ ଥିବା ସ୍ଥାନଗୁଡ଼ିକ ପାଇଁ ବିପଦ ରହିଛି । ଆଉ ଥରେ ବନ୍ୟା ହେଲେ ଗତ ବନ୍ୟାରୁ ବର୍ତ୍ତିଥିବା ଧାନ ଓ ଅନ୍ୟାନ୍ୟ ଫସଲ ସଂପୂର୍ଣ୍ଣ ଧୋଇଯିବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି ।
ପାଣିପାଗ ବିଭାଗ ପକ୍ଷରୁ କରାଯାଇଥିବା ଆକଳନ ଅନୁଯାୟୀ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାକୁ ୨୫ କିମି ବେଗରେ ଗତି କରୁଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହେବ । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।