ତଳିଆ ବସ୍ତିବାସିନ୍ଦାଙ୍କ ଦୁର୍ଦ୍ଦଶା ବଢ଼ାଇଲା ଲଘୁଚାପ ବର୍ଷା

ପୁରୀ (ବୁ୍ୟରୋ): ଜିଲ୍ଲାରେ ବନ୍ୟାର ପ୍ରକୋପ କମିବା ପରେ ଲୋକେ ପାଣିଘେରରୁ ଆଶ୍ୱସ୍ତି ହୋଇଥିଲେ । ପରେ ପରେ ପୁଣି ଟାଣ ଖରାରେ ଅସ୍ତବ୍ୟସ୍ତ ହୋଇପଡ଼ିଥିଲେ ଚାଷୀକୁଳ । ଏପରିକି ଟାଣ ଖରାରେ ଧାନ ଜମି ଫାଟି ଆଁ ମେଲାଇଥିଲା । ଫଳରେ କେନାଲରେ ପାଣି ଛାଡ଼ିବାକୁ ଚାଷୀକୁଳ ଦାବି କରିବା ସହ କାର୍ଯ୍ୟାଳୟ ଘେରାଉ କରିବାକୁ ସଜବାଜ ହେଉଥିଲେ । କିନ୍ତୁ ସବୁ ଓଲଟପାଲଟ ହୋଇଗଲା । ପୁଣି ତଳିଆ ଅଞ୍ଚଳ ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଲା ଲଘୁଚାପ ବର୍ଷା ।
ଅନ୍ୟପକ୍ଷରେ ବର୍ଷା ହେବା ପରେ ଚାଷୀମାନଙ୍କ ମହଲରେ ଖୁସି ଦେଖାଦେଇଛି । ଏହି ଲଘୁଚାପ ବର୍ଷା ଅଭିଶାପ ପାଲଟିଛି ସହରାଞ୍ଚଳରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କ । ପ୍ରଶାସନର ଅବହେଳା ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି ସହରରେ ବସବାସ କରୁଥିବା ବସ୍ତିବାସିନ୍ଦା । ସହରରେ ଦୀର୍ଘବର୍ଷ ହେଲା ଡ୍ରେନେଜ୍ ଓ ସ୍ୱରେଜ୍ ବ୍ୟବସ୍ଥା କାର୍ଯ୍ୟ ଚାଲୁଥିଲା ବେଳେ ତାହା ଆଜିପର୍ଯ୍ୟନ୍ତ ଶେଷ ହୋଇନାହିଁ । ଯାହାଦ୍ୱାରା ବର୍ଷା ଲାଗି ରହିବା ଫଳରେ ସହରରେ ହୋଇଥିବା ସମସ୍ତ ସ୍ୱରେଜ୍ ଚ୍ୟାମ୍ବର ଫୁଲ୍ ହୋଇ ପାଣି ରାସ୍ତାରେ ଭାସୁଛି ।
ସେହିପରି ତଳିଆ ବସ୍ତିବାସିନ୍ଦାଙ୍କ ଦୁଃଖ ବଢ଼େଇ ଦେଇଛି ଲଘୁଚାପ ବର୍ଷା । ସହରର ସିଦ୍ଧମହାବୀର, ତାଳବଣିଆ, ଭାରତୀପୁର, ବାଲିଘାଟ, ସୁଜାତାନଗର, ଧୋବାଖାଲ, ବଳିଆପଣ୍ଡା ବସ୍ତି, ଆଇଆଇଟି, ଖଣ୍ଡିଆ ବନ୍ଧ ଓ ମୁକୁନ୍ଦମିଶ୍ରନଗର ସମେତ ଅନ୍ୟାନ୍ୟ ବସ୍ତି ଅଞ୍ଚଳରେ ଲହଡ଼ି ମାରୁଛି ପାଣି । ଏପରିକି ସେମାନଙ୍କ ଘର ଭିତରେ ପାଣି ପ୍ରବେଶ କରିଛି । ଫଳରେ ଲୋକମାନେ ନିଜ ଖଟ ଉପରେ ନିଜ ପରିବାର ସହିତ ରହିଛନ୍ତି । ସୁଜତାନଗରର ବାସିନ୍ଦାମାନେ ଦୀର୍ଘଦିନ ହେଲା ପାଣିଘେରରେ ରହିଛନ୍ତି । ସେମାନଙ୍କ ନିକଟରେ ଆଜିସୁଦ୍ଧା ପ୍ରଶାସନିକ ଅଧିକାରୀମାନେ ପହଞ୍ଚô ପାରିନାହାନ୍ତି ।
ଅନ୍ୟପକ୍ଷରେ ଉକ୍ତ ଅଞ୍ଚଳର ବାସିନ୍ଦାମାନେ ନିଜ ଘରୁ ମଧ୍ୟ ବାହାରକୁ ବାହାରି ପାରୁନାହାନ୍ତି । ପାଣି ଜମିବା ସହ ଦୁର୍ଗନ୍ଧ ଓ ସାପ ଭୟରେ ଲୋକଙ୍କ ଦିନ କଟୁଛି । ଏନେଇ ସାହିବାସିନ୍ଦମାନେ ବାରମ୍ବାର ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ନେଇ ଅଭିଯୋଗ କରିଛନ୍ତି ମୁକୁନ୍ଦମିଶ୍ରନଗରର ବାସିନ୍ଦା ଜଗତ୍ବନ୍ଧୁ ମିଶ୍ର । ବସ୍ତିବାସିନ୍ଦାଙ୍କ ମନରେ ଅସନ୍ତୋଷ କୁହୁଳିଥିବା ବେଳେ ଏହା ଆଗକୁ ବଡ଼ଧରଣର ବିବାଦ ଦେଖାଯିବ ବୋଲି ଜଣାପଡ଼ିଛି । ସୁଜାତାନଗର ବାସିନ୍ଦାଙ୍କ ସମସ୍ୟା ଆଜିର ନୁହେଁ ଏହା ଦୀର୍ଘବର୍ଷର ସମସ୍ୟା ହେଉଥିଲେ ସୁଦ୍ଧା ତାହାକୁ ସମାଧାନ କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ବର୍ଷା ହେଲେ ଦୁର୍ଦ୍ଦଶା ଭୋଗୁଛନ୍ତି ସହରର ବାସିନ୍ଦାଙ୍କ ସମେତ ବସ୍ତିବାସିନ୍ଦା । ଫଳରେ ହଜାର ହଜାର ଲୋକେ ଏବେ ପାଣିଘେରରେ ରହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *