ସ୍ମାର୍ଟ ସ୍କୁଲରେ ବର୍ଷା ପାଣି
ମୋହନା (ଆପ୍ର): ସ୍ମାର୍ଟ କ୍ଲାସ ରୁମ୍ ଭିତରେ ପାଣି । ତଥାପି ଚଟାଣରେ ବସି ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିିିଛି ଗଜପତି ଜିଲ୍ଲା ମୋହନା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ । ଗତ କିଛିମାସ ତଳେ ଏହି ବିଦ୍ୟାଳୟକୁ ରୂପାନ୍ତରିତ କରାଯାଇଥିଲା । ହେଲେ ଟିକିଏ ବର୍ଷା ହେଲେ ସ୍ମାର୍ଟ କ୍ଲାସ ରୁମ୍ ଭିତରେ ପାଣି ଜମିଯାଉଛି । ସ୍କୁଲ ଖୋଲିବା ବେଳେ କ୍ଲାସ ରୁମ୍ ଭିତରେ ଆଣ୍ଠୁଏ ପାଣି ଥିବା ଯୋଗୁ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ପ୍ରଥମେ କ୍ଲାସ ରୁମ୍ ଭିତରୁ ପାଣି କାଢ଼ିଥାନ୍ତି । ତା’ପରେ ପାଠପଢ଼ା ଆରମ୍ଭ ହୁଏ । କ୍ଲାସ ଚାଲିଥିବା ବେଳେ ମଧ୍ୟ ରୁମ୍ ଭିତରେ ପାଣି ଜମି ଯାଉଥିବା ଅଭିଯୋଗ ହେଉଛି । ମୋହନା ବ୍ଲକ୍ କାର୍ଯ୍ୟାଳୟର ପଛପଟେ ଥିବା ଏହି ସ୍ମାର୍ଟ ସ୍କୁଲର ଏଭଳି ସମସ୍ୟା ନେଇ ବହୁବାର ପ୍ରଶାସନକୁ ଜଣାଇଲେ ମଧ୍ୟ କିଛି ପଦକ୍ଷେପ ନିଆଯାଇନାହିଁ ବୋଲି କହିଛନ୍ତି ପ୍ରଧାନଶିକ୍ଷୟିତ୍ରୀ । ସେପଟେ ପାଣି ଥିବା ସତ୍ତ୍ୱେ ପିଲାମାନେ ପାଠ ପଢ଼ୁଥିବା ବେଳେ ତୁରନ୍ତ ଦୃଷ୍ଟିଦେବାକୁ ଅନୁରୋଧ କରିଛନ୍ତି ଅଭିଭାବକ । ତାହାରି ସମ୍ମୁଖରେ ଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଗୃହରେ ମଧ୍ୟ ସେହିଭଳି ଅବସ୍ଥା ।
ଲଗାଣ ବର୍ଷାର ପ୍ରଭାବରେ ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ୍ ସିଆଳିଲାଟି ପଞ୍ଚାୟତ ମାଛଘରା ଗାଁ ନିକଟରେ ଥିବା ଏକ ପୋଲ ଉପରେ ୨ଫୁଟ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ ମହେନ୍ଦ୍ରଗଡ ଠାରୁ ଗଞ୍ଜାମ ଜିଲ୍ଲା ତୁରୁବୁଡିକୁ ସଂଲଗ୍ନ କରୁଥିବା ମୁଖ୍ୟରାସ୍ତା ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଏହି ପୋଲ ଉପରେ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିଲା । ରବିବାର ବର୍ଷାର ପରିମାଣ କମିଥିବାରୁ ଜଳସ୍ତର କମିଛି । ତଥାପି ଏବେ ବି ପୋଲ ଉପରେ ଗୋଟିଏ ଫୁଟରୁ ଊଦ୍ଧ୍ୱର୍ ପାଣି ପ୍ରବାହିତ ହେଉଛି । ପ୍ରଖର ସ୍ରୋତ ଯୋଗୁ ଯାନବାହାନ ଚଳାଚଳ ଠପ୍ ହୋଇଛି । ଆଲିଗଣ୍ଡା ଗ୍ରାମ ଚର୍ଚ୍ଚ ନିକଟରେ ଆମ୍ବଗଛ ଡାଳ ପଡ଼ି ୨ଘଣ୍ଟା ମୋହନା ଠାରୁ କନ୍ଧମାଳ ଜିଲ୍ଲା ରାସ୍ତା ଅବରୋଧ ହୋଇଥିଲା । ମୋହନା ଅଗ୍ନିଶମ ବିଭାଗ ଓ ସରପଞ୍ଚଙ୍କ ମିଳିତ ଉଦ୍ୟମରେ ଗଛ କାଟି ସଫା କରାଯାଇଥିଲା ।