ଶ୍ରୀଲଙ୍କାକୁ ଷଷ୍ଠ ଟ୍ରଫି
ଏସିଆ କପ୍ ଫାଇନାଲ୍ରେ ହାରିଲା ପାକିସ୍ତାନ
ଦୁବାଇ, ୧୧ା୯ (ଏଜେନ୍ସି): ସୁପର-୪ ପରେ ଫାଇନାଲରେ ବି ପାକିସ୍ତାନକୁ ହରାଇ ଏସିଆ କପରେ ଚାମ୍ପିଅନ୍ ହୋଇଛି ଶ୍ରୀଲଙ୍କା । ଏହା ଟିମ୍ର ଷଷ୍ଠ ଟ୍ରଫି ।
ଫାଇନାଲରେ ଶ୍ରୀଲଙ୍କା ୨୩ ରନ୍ରେ ପାକିସ୍ତାନକୁ ମାତ୍ ଦେଇଥିଲା । ୧୭୧ ରନ୍ର ଟାର୍ଗେଟ୍ ନେଇ ଖେଳିଥିବା ପାକିସ୍ତାନ ଶେଷ ଓଭରରେ ୧୪୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଟିମ୍ ପକ୍ଷରୁ ଓପନର ମହମ୍ମଦ ରିଜୋୱାନ୍ ସର୍ବାଧିକ ୫୫ ରନ୍ କରିଥିଲେ । ବିପକ୍ଷ ବୋଲର ପ୍ରମୋଦ ମଦୁସନ ସର୍ବାଧିକ ଚାରି ୱିକେଟ୍ ନେଇଥିଲେ ।
ପାକ୍ ଟିମ୍ ମାତ୍ର ୨୨ ରନ୍ରେ ଦୁଇ ୱିକେଟ୍ ହରାଇଥିଲା । ଅଧିନାୟକ ବାବର ଆଜମ୍ ପୁଣି ଥରେ ବିଫଳ ହୋଇଥିଲେ ଏବଂ ମାତ୍ର ୫ ରନ୍ କରି ପ୍ରମୋଦ ମଦୁଶନ ଲିୟାନାଗାମାଗେଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର୍ ଫଖର ଜମାନ୍ (୦) ମଧ୍ୟ ମଧୁଶନଙ୍କ ଶିକାର ହୋଇଥିଲେ ।
ଏହାପରେ ଓପନର୍ ମହମ୍ମଦ ରିଜୱାନ ନୂଆ ବ୍ୟାଟର୍ ଇଫତିଖାର ଅହମ୍ମଦଙ୍କ ସହ ମିଶି ଇନିଂସ୍କୁ ୨୨ରୁ ୯୩ ଯାଏଁ ପହଞ୍ଚାଇଥିଲେ । ଇଫତିଖାର ୩୨ ରନ୍ କରି ମଦୁଶନଙ୍କ ଆଉ ଏକ ଶିକାର ହୋଇଥିଲେ । ଏହାପରେ କ୍ରିଜ୍କୁ ଆସିଥିବା ମହମ୍ମଦ ନୱାଜ ୬ ରନ୍ କରି କରୁଣାରତ୍ନେଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ପାକିସ୍ତାନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଶ୍ରୀଲଙ୍କା ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୬ ୱିକେଟ୍ ହରାଇ ୧୭୦ ରନ୍ ସଂଗ୍ରହ କରିଥିଲା । ୫୮ ରନ୍ରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା । କୁଶଲ ମେଣ୍ଡିସ୍ ଖାତା ଖୋଲି ନ ପାରି ନସୀମ ଶାହଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ଅନ୍ୟତମ ଓପନର୍ ପଥୁମ ନିଶଙ୍କା ୮ ରନ ୍କରି ହାରିସ୍ ରାଉଫ୍ଙ୍କ ଶିକାର ହୋଇଥିଲେ ।
ଧାନୁଷ୍କାଙ୍କ ଗୁଣତିଲକ ୧ ରନ୍ କରି ରାଉଫ୍ ଓ ଧନଞ୍ଜୟ ଡି ସିଲ୍ଭା ୨୮ ରନ୍ କରି ଇଫତିଖାର ଅହମ୍ମଦଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଅଧିନାୟକ ଦାସୁନ ଶନକା (୨) ମଧ୍ୟ ନିରାଶ କରିଥିଲେ । ତାଙ୍କ ୱିକେଟ୍ ଶଦାବ ଖାଁଙ୍କ ଖାତାକୁ ଯାଇଥିଲା ।
ଏହାପରେ ଭାନୁକା ରାଜପାକ୍ଷା ଓ ହସରଙ୍ଗା ଡି ସିଲ୍ଭା ଇନିଂସ୍ ସମ୍ଭାଳିଥିଲେ । ଉଭୟଙ୍କ ପ୍ରୟାସରେ ଇନିଂସ୍ ୧୦୦ ଅତିକ୍ରମ କରିଥିଲା । ଷଷ୍ଠ ୱିକେଟ୍ ପାଇଁ ୫୮ ରନ୍ର ଭାଗୀଦାରୀ ହୋଇଥିଲା । ହସରଙ୍ଗା (୩୬)ଙ୍କୁ ଆଉଟ୍ କରି ରାଉଫ୍ ଏହି ଯୋଡ଼ି ଭାଙ୍ଗିଥିଲେ ।
ଅନ୍ୟପଟେ, ରାଜପାକ୍ଷାଙ୍କ ଦମ୍ଦାର ବ୍ୟାଟିଂ ଅବ୍ୟାହତ ରହିଥିଲା । ସେ ୩୫ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ସପ୍ତମ ୱିକେଟ୍ରେ ସେ ଚମିକା କରୁଣାରତ୍ନେଙ୍କ ସହ ଅପରାଜିତ ୫୪ ରନ୍ ଯୋଗ କରିଥିଲେ । ରାଜପାକ୍ଷା ୪୫ ବଲ୍ରୁ ୭୧ (୬ ଚୌକା ଓ ୩ ଛକା ସହାୟତାରେ) ଓ ଚମିକା ୧୪ ରନ୍ କରି ଅପରାଜିତ ଥିଲେ ।