ଆସୁଛି ସିରିଜ୍ ଲଘୁଚାପ

ଭୁବନେଶ୍ୱର, ୧୦ା୯ (ବୁ୍ୟରୋ): ଆସନ୍ତା ଅକ୍ଟୋବର ମଧ୍ୟଭାଗ ଯାଏ ଲଗାତାର ଘୁର୍ଣ୍ଣିବଳୟ ଓ ଲଘୁଚାପ ସୃଷ୍ଟି ହେବ । ୧୭ରୁ ୨୦ ତାରିଖ ମଧ୍ୟରେ ଚଳିତ ମାସର ଦ୍ୱିତୀୟ ଘୁଣ୍ଣିବଳୟ ସୃଷ୍ଟି ହେବ, ଯାହାକି ପରବର୍ତ୍ତି ସମୟରେ ଲଘୁଚାପ ରୂପ ନେବ । ସେହିପରି ୨୫ରୁ ୩୦ ମଧ୍ୟରେ ତୃତୀୟ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ଅକ୍ଟୋବର ପ୍ରଥମ ସପ୍ତାହରେ ଗୋଟିଏ ଓ ଦ୍ୱିତୀୟ ସପ୍ତାହରେ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ଯାହାକି ପରବର୍ତ୍ତି ସମୟରେ ଲଘୁଚାପ ରୂପ ନେବ । ପ୍ରଶାନ୍ତ ମହାସାଗରରେ ଚଳିତବର୍ଷ ଲା-ନିନା ପ୍ରଭାବ ଥିବାବେଳେ ବଙ୍ଗୋପସାଗରେ କ୍ରମାଗତ ଭାବେ ଘୁର୍ଣ୍ଣିବଳୟ ସୃଷ୍ଟି ହେଉଛି । ଫଳରେ ଚଳିତବର୍ଷ ଓଡ଼ିଶାରେ ମୌସୁମୀ ପ୍ରତ୍ୟାବର୍ତ୍ତନ (ଅପସାରଣ) ଆସନ୍ତା ଅକ୍ଟୋବର ତୃତୀୟ ସପ୍ତାହ ଯାଏଁ ଜାରି ରହିବ ବୋଲି ପାଣିପାଗ ବିଜ୍ଞାନୀ ସନ୍ଦୀପ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି । ଫଳରେ ଆସନ୍ତା ମାସେ ଯାଏଁ ରାଜ୍ୟରେ ଘନ ଘନ ଲଘୁଚାପ ଦେଖିବାକୁ ମିଳିବ ବୋଲି ଆଶଙ୍କା ପ୍ରକାଶ ପାଇଛି ।
ବଙ୍ଗୋପସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ କ୍ରମାଗତ ଭାବେ ଘନିଭୂତ ହେବାରେ ଲାଗିଛି । ଗତ ୨ରୁ ୩ ଦିନ ହେବ ଏହା ସମୁଦ୍ର ଭିତରେ ଅଧିକରୁ ଅଧିକ ଘନିଭୂତ ହେବା ସହ ଶନିବାର ଏକ ୱେଲମାର୍କ ଲୋ-ପ୍ରେସର ଅର୍ଥାତ୍ ସୁଦୃଶ ଲଘୁଚାପ ରୂପ ନେଇଛି । ଏହା ପଶ୍ଚିମକେନ୍ଦ୍ରୀୟ ତଥା ତତ୍ସଂଲଗ୍ନବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ଭାବେ ସକ୍ରିୟ ରହି ରବିବାର ଅବପାତର ରୂପ ନେବ । ଅବପାତ ରୂପ ନେବା ପରେ ଏହା ଦକ୍ଷିଣ ଓଡ଼ିଶା ତଥା ଉତ୍ତର ଆନ୍ଧ ଉପକୂଳ ଦେଇ ଛତିଶଗଡ଼ ଓ ମଧ୍ୟପ୍ରଦେଶ ଆଡ଼କୁ ଗତି କରିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ପ୍ରଭାବରେ ସାରା ରାଜ୍ୟରେ ୧୩ ତାରିଖ ଯାଏ ବର୍ଷା ଲାଗି ରହିବ ।
ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ୮ ଜିଲ୍ଲାକୁ ଅରେଞ୍ଜ ଓ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମୁଖ୍ୟତଃ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକ ଯଥା; ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, ବଲାଙ୍ଗୀର, କୋରାପୁଟ, ବୌଦ୍ଦ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି । ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ୭ରୁ ୨୦ ସେମି ବର୍ଷା ହେବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ଅତ୍ୟଧିକ ବର୍ଷା ଯୋଗୁ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇପାରେ । ସେହିପରି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ରହିଛି । ପୂର୍ଣ୍ଣମୀ ପ୍ରଭାବରେ ଜୁଆର ଆସିପାରେ । ସମୁଦ୍ର ଅଶାନ୍ତ ରହିବ । ଘଣ୍ଟାପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବ । ଏଥିପାଇଁ ୧୨ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି ।
ସେପଟେ ୧୭ରୁ୧୮ ତାରିଖରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି । ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ହେବ । ରାଜ୍ୟରେ ସେପ୍ଟେମ୍ବର ମାସରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଡିଜି ଶ୍ରୀ ମହାପାତ୍ର କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *