ରାସ୍ତା ମରାମତି ବେଳେ ଗଣ୍ଡଗୋଳ
ନରସିଂହପୁର (ଆପ୍ର): ନରସିଂହପୁର ଥାନା ଅର୍ନ୍ତଗତ ଅଲରା ପଞ୍ଚାୟତର କଠଉଖୋଜା ଗ୍ରାମବାସୀ ରାସ୍ତାରେ ମାଟି ପକାଉଥିବା ବେଳେ ଗ୍ରାମର ଏହି ଗୋଟିଏ ପରିବାର ଲୋକମାନେ ଆସି ଗଣ୍ଡଗୋଳ କରିବାସହ ମାଡ ମାରିଥିବା ଭଳି ଅଭିଯୋଗ ହୋଇଛି । ଏହିଘଟଣାରେ ଉକ୍ତ ଗ୍ରାମବାସୀ ନରସିଂହପୁର ଥାନାରେ ପହଞ୍ଚି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି । ଅଭିଯୋଗରୁ ପ୍ରକାଶ ପିଲାମାନଙ୍କର ପାଠପଢା ପାଇଁ ଯିବାଆସିବାକୁ ନୀତିଦିନିଆ ରାସ୍ତାରେ ଖାଲଖମା ଥିବାରୁ ଯିବାଆସିବାରେ ଅସୁବିଧାର ସମ୍ମୁଖିନ ହେଉଥିଲେ । ଏହି ଘଟଣାରେ ଗ୍ରାମବାସୀ ବ୍ଲକ ଅଧ୍ୟକ୍ଷାଙ୍କୁ ଅଭିଯୋଗ ପରେ ସେହି ରାସ୍ତାରେ ମାଟି ପକାଇ ଚଳିବାକୁ କହିଥିଲେ । ଏହାପରେ କଠଉଖୋଜା ଗ୍ରାମର ବାବୁଲି ନାଏକଙ୍କ ସମେତ ସମସ୍ତ ଗ୍ରାମବାସୀ ଶୁକ୍ରବାର ଅପରାହ୍ନରେ ରାସ୍ତାକାମ କରୁଥିଲେ । ସେହି ସମୟରେ ଅଲରା ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ କଠଉଖୋଜା ଗ୍ରାମର ପ୍ରଭାକର ପ୍ରଧାନଙ୍କ ସହିତ ପରିବାର ଲୋକେ ବିଭିନ୍ନ ମାରଣାଅସ୍ତ୍ର ଧରି ମାଡ ମାରିବା ସହିତ ଜୀବନରେ ମାରି ଦେବାକୁ ଧମକ ଦେଇଥିବା ଲିଖିତ ଅଭିଯୋଗ ହୋଇଛି । ଏହି ଘଟଣାରେ ଜଣେ ଆହତ ହୋଇ ଚିକିତ୍ସା ହେଉଥିବାବେଳେ ସମସ୍ତ ଗ୍ରାମବାସୀ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବିକରି ଥାନା ସମ୍ମୁଖରେ ବର୍ତ୍ତମାନ ସୁଦ୍ଧା ବସି ରହିଛନ୍ତି । ଥାନା ଅଧିକାରୀ ଅଭୟ ବେହେରା ମାନଲା ରୁଜୁ କରି ଗ୍ରାମବାସୀଙ୍କୁ ବୁଝାଉଥିଲେ ହେଁ ଗ୍ରାମବାସୀ ବୁଝିବାପାଇଁ ପ୍ରସ୍ତୁତ ନାହାନ୍ତି ।