କୋଲକାତାରୁ ୧୭ କୋଟି ଜବତ
ମୋବାଇଲ୍ ଗେମିଂ ଆପ୍ ଠକେଇ
କୋଲ୍କାତା, ୧ଠା୯: ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ଅଧିକାରୀମାନେ କୋଲ୍କାତାରେ ମୋବାଇଲ୍ ଗେମିଂ ଆପ୍ଲିକେଶନ୍ ଇ-ନଗେଟ୍ସର ୬ ଜଣ ପ୍ରମୋଟରଙ୍କ ଘରେ ଶନିବାର ଚଢ଼ଉ କରି ୧୭ କୋଟି ଟଙ୍କା ଜବତ କରିଛନ୍ତି । ପାର୍କ ଷ୍ଟି୍ରଟ୍ର ଓକିଲ ବାପ-ପୁଅ ଓ ଗାର୍ଡନ୍ରିଚ୍ର ବ୍ୟବସାୟୀ ନିସାର ଅଲୀଙ୍କ ଘରୁ ବଡ଼ ବଡ଼ ଟ୍ରଙ୍କରେ ରଖାଯାଇଥିବା ନୋଟ୍ ମିଳିଛି । କମ୍ପାନୀର ପ୍ରମୁଖ ପ୍ରମୋଟର୍ ଅମୀର୍ ଖାନ୍ ଘରୁ ଟଙ୍କାର ପାହାଡ଼ ମିଳିଛି ।
ନୋଟ୍ ଗଣିବା ପାଇଁ ୫ଟି ମେସିନ୍ ସହ ବ୍ୟାଙ୍କ କର୍ମଚାରୀଙ୍କୁ ଡକାଯାଇଥିଲା । ମୟୂରଭଞ୍ଜ ରୋଡ୍ସ୍ଥିତ ଜଣେ ବ୍ୟବସାୟୀଙ୍କ ଘରେ ଚଢ଼ଉ ଜାରି ରହିଥିବା ଜଣାପଡ଼ିଛି ।
ରିଜର୍ଭ ବ୍ୟାଙ୍କ ଏ ସମ୍ବନ୍ଧରେ ପ୍ରଥମେ ୨ଠ୨୧ରେ ଏହି କମ୍ପାନୀ ନାମରେ କୋଲ୍କାତାର ଚିଫ୍ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ଙ୍କ କୋର୍ଟରେ ଅଭିଯୋଗ ଦାଖଲ କରିଥିଲା । ଏହାପରେ କୋଲ୍କାତା ପୁଲିସ୍ ଇ-ନଗେଟ୍ସ ଓ ତା’ର ପ୍ରମୋଟରମାନଙ୍କ ବିରୋଧରେ ଏତଲା ରୁଜୁ କଲା । ଶନିବାର ଠାରୁ ଆରମ୍ଭ ହୋଇଛି ଇଡି ଚଢ଼ଉ । କୋଲ୍କାତାର ପାର୍କ ଷ୍ଟି୍ରଟ୍, ମ୍ୟାକ୍ଲିୟାଡ୍ ଷ୍ଟି୍ରଟ୍, ଗାର୍ଡନ ରିଚ୍ ଓ ମୋମିନପୁରରେ ଇଡି ଟିମ୍ ଶନିବାର ସକାଳୁ ସିଆର୍ପିଏଫ୍ ଯବାନ୍ଙ୍କୁ ସାଙ୍ଗରେ ନେଇ ଚଢ଼ଉ ଆରମ୍ଭ କରିଥିଲେ ।
ଇଡି ସୂତ୍ରରୁ ଜଣାଯାଇଛି, ଅମୀର ଖାନ୍ ଠକେଇ ଉଦେ୍ଦଶ୍ୟରେ ହିଁ ଇ-ନଗେଟ୍ସ ଲଞ୍ଚ୍ କରିଥିଲା । କମ୍ପାନୀ ପକ୍ଷରୁ ପ୍ରଥମେ ୟୁଜର୍ସମାନଙ୍କୁ ଦିଆଗଲା କମିଶନ୍ । ୱାଲେଟ୍କୁ ଟଙ୍କା ଆସିବା ଦେଖି ଅଧିକରୁ ଅଧିକ ଲୋକଙ୍କର ଇ-ନଗେଟ୍ସ ପ୍ରତି ଭରସା ବଢ଼ିଲା । ବେଶୀ ବେଶୀ କମିଶନ୍ ପାଇଁ ସେମାନେ ମୋଟା ଅଙ୍କର ଟଙ୍କା ଖଟାଇଲେ । ଏହି ପଦ୍ଧତିରେ ବିପୁଳ ଅର୍ଥରାଶି ମିଳିଯିବା ପରେ ଅଚାନକ ଗେମିଂ ଆପ୍ ବନ୍ଦ ହୋଇଗଲା । କମ୍ପାନୀ ପକ୍ଷରୁ କୁହାଗଲା ସିଷ୍ଟମ୍ ଅପ୍ଗ୍ରେଡେସନ୍ ଓ ସରକାରୀ ଏଜେନ୍ସିମାନଙ୍କ ଯାଞ୍ଚ୍ କାରଣରୁ ବର୍ତ୍ତମାନ ପାଇଁ ଆପ୍ରୁ ଟଙ୍କା ଉଠାଇବାକୁ ରୋକି ଦିଆଯାଇଛି । ପରେ ପରେ ଆପ୍ ସର୍ଭରରୁ ପ୍ରୋଫାଇଲ୍ ଇନ୍ଫର୍ମେସନ୍ ସମେତ ସବୁ ଡାଟା ହଟାଇ ଦିଆଯିବାରୁ ଲୋକେ ଠକାମୀର ଶିକାର ହୋଇଥିବା ବୁଝିପାରିଲେ ।
ଅମୀର୍ ଖାନ୍ ନାମରେ ଇଡି ଧନଶୋଧନ (ମନି ଲଣ୍ଡରିଂ) ଅଧିନିୟମ ଅନୁଯାୟୀ ଯାଞ୍ଚ ଅଭିଯାନ ଜାରି ରହିଛି । କୋଲ୍କାତା ପୁଲିସ୍ ମଧ୍ୟ ପାର୍କଷ୍ଟି୍ରଟ୍ ଥାନାରେ ଆଇପିସି ଧାରା-୪୨ଠ, ୪ଠ୬, ୪ଠ୯, ୪୬୮, ୪୬୯, ୪୭୧ ଓ ୩୪ ଅନୁଯାୟୀ କେସ୍ ରୁଜୁ କରିଛି ।