୨ ଷ୍ଟକିଷ୍ଟ୍ଙ୍କ ନାମରେ ଏତଲା
ନକଲି ଔଷଧ
କଟକ, ୧୦ ।୯ (ବୁ୍ୟରୋ): ରାଜ୍ୟରେ ନକଲି ବ୍ଲଡପ୍ରେସର ବା ରକ୍ତଚାପ ଔଷଧ କାରବାରକୁ ଗମ୍ଭୀରତାର ସହ ନେଇଛି ଡ୍ରଗ୍ସ କଣ୍ଟ୍ରେ୍ରାଲ ବିଭାଗ । ଏଭଳି ମାରାତ୍ମକ ଘଟଣାରେ ସଂପୃକ୍ତ କଟକ ମାଣିକଘୋଷ ବଜାରର ଭିଆର ଡ୍ରଗ୍ସ ଏଜେନ୍ସି ଓ ପୂଜା ଏଣ୍ଟରପ୍ରାଇଜର୍ସ ବିରୋଧରେ ପୁରୀଘାଟ ଥାନାରେ ଏତଲା ଦିଆଯାଇଛି । ଅସଲି କମ୍ପାନୀର ସ୍ପଷ୍ଟୀକରଣ ପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଏତଲା ଆଧାରରେ ପୁଲିସ ମାମଲା ରୁଜୁକରି ତଦନ୍ତ କରୁଥିବା ଆଇଆଇସି ଯତୀନ୍ଦ୍ରନାଥ ସେଠୀ ସୂଚନା ଦେଇଛନ୍ତି । ନିକଟରେ ଭୁବନେଶ୍ୱରର ଜଣେ ବ୍ୟକ୍ତି ବଜାରରେ ଟେଲମା-୪୦ ଓ ଟେଲମା-ଏଏମର ନକଲି ଔଷଧ ବିକ୍ରି ନେଇ ଅଭିଯୋଗ କରିଥିଲେ । ଏହାପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଯାଞ୍ଚ କରିବା ପରେ ଉକ୍ତ ନକଲି ଔଷଧର ଚେର କଟକରୁ ସାରା ରାଜ୍ୟକୁ ଲମ୍ବିଥିବା ଜଣାପଡିଥିଲା । ମାଣିକଘୋଷ ବଜାରର ଭିଆର ଡ୍ରଗ୍ସ ଏଜେନ୍ସିର ମାଲିକ ରୋହିତ କୋଏଲ ଓ ପୂଜା ଏଣ୍ଟରପ୍ରାଇଜର୍ସର ମାଲିକ ସଞ୍ଜୟ କୁମାର ଜଲାନ ଏହି ଔଷଧ ଯୋଗାଣ କରୁଥିଲେ । ଏହାକୁ କର୍ଣ୍ଣାଟକର ବେଙ୍ଗାଲୁରୁ ଏବଂ ବିହାରର ପାଟନା, ଗୟା ସହରରୁ ଅଣାଯାଇଥିଲା ।
ଯାଞ୍ଚବେଳେ ଏହି ଦୁଇ ଷ୍ଟକିଷ୍ଟଙ୍କ ଠାରୁ ୧୫ ଲକ୍ଷ ଟଙ୍କାର ନକଲି ଔଷଧ ତଥା ଟେଲମା-୪୦ ଓ ଟେଲମା-ଏଏମ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ଜବତ କରିଥିଲା । ଏପରିକି ଔଷଧଗୁଡିକ କଟକ ସମେତ ରାଜ୍ୟର ବିଭିନ୍ନ ହୋଲସେଲରଙ୍କ ନିକଟକୁ ଚାଲି ଯାଇଥିବା ତଦନ୍ତ ବେଳେ ଜଣାପଡିଲା । ସେହିପରି ୧୫ରୁ ୧୮ଲକ୍ଷ ଟଙ୍କାର ଔଷଧ ବାହାର ରାଜ୍ୟ ତଥା ଦିଲ୍ଲୀ, ଗୁଜୁରାଟ, କୋଲକାତାକୁ ପଠାଯାଇଥିବା ଜଣାପଡ଼ିଥିଲା । ଆଉ କିଛି ଔଷଧ ବାଲେଶ୍ୱର, ଝାରସୁଗୁଡା ଆଦି ଜିଲ୍ଲାକୁ ମଧ୍ୟ ଚାଲାଣ ହୋଇଛି । ଚଢଉ କରି କେବଳ କଟକରୁ ୩୦ ଲକ୍ଷ ଟଙ୍କାର ଔଷଧ ଜବତ ହୋଇଛି । ତେବେ ଏହି ୨ ମେଡିସିନ ଡିଲର ତଥା ଷ୍ଟକିଷ୍ଟଙ୍କୁ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ କଳା ତାଲିକାଭୁକ୍ତ କରିଛି । ଅନ୍ୟପଟେ ରାଜ୍ୟକୁ ଆସିଥିବା ୫୦ ଲକ୍ଷ ଟଙ୍କାର ନକଲି ଔଷଧକୁ ବଜାରରୁ ଫେରାଇ ଆଣିବାକୁ ବିଭାଗ ଉଦ୍ୟମ କରୁଛି । ଏହି ଅନୁସାରେ ଶନିବାର ରାତିରେ ପୁରୀଘାଟ ଥାନାରେ ଏତଲା ଦିଆଯାଇଛି । ଏହି ବେଆଇନ କାରବାରରେ ଆଉ ଦୁଇ ଜଣ ମେଡିସିନି ବ୍ୟବସାୟୀଙ୍କ ସଂପୃକ୍ତି ନେଇ ମଧ୍ୟ ଏତଲାରେ ଦର୍ଶାଯାଇଛି ।