ରାଜ୍ୟକୁ ଅଧିକ କେନ୍ଦ୍ରୀୟ ସମ୍ବଳ ଓ ସହଯୋଗ ଦିଅ
ଅହମଦାବାଦରେ ବିଜ୍ଞାନ ଓ କାରିଗରି ମନ୍ତ୍ରୀଙ୍କ ସମ୍ମିଳନୀ
ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟଗୁଡ଼ିକରେ ବିଜ୍ଞାନ ଓ ବୈଷୟିକ ପରିମଣ୍ଡଳର ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାର ଅଧିକ ସମ୍ବଳ ଓ ସମର୍ଥନ ଯୋଗାଇଦେବା ଉପରେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗୁରୁତ୍ୱାରୋପ କରିଛନ୍ତି । ଅହମଦାବାଦରେ ଆୟୋଜିତ ରାଜ୍ୟ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀଙ୍କ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା ବିଜ୍ଞାନ ଓ ବୈଷୟିକ ଗବେଷଣା, ଅଭିନବତ୍ୱ ଓ ଉଦ୍ୟମିତା କ୍ଷେତ୍ରରେ ଅଧିକ ସମ୍ବଳ ବିନିଯୋଗ ପାଇଁ ମତ ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ପଣ୍ଡା ରାଜ୍ୟଗୁଡ଼ିକର ଇନାଭେସନ୍ ସିଷ୍ଟମ ଏବଂ କେନ୍ଦ୍ର ଇନାଭେସନ୍ ସିଷ୍ଟମର ମିଳିତ ଉଦ୍ୟମ ଉପରେ ଗୁରୁତ୍ୱ ଦେବା ସହ ଘରାଇ ଉଦ୍ୟୋଗଗୁଡ଼ିକର ସହଭାଗିତା ନିମନ୍ତେ ପରାମର୍ଶ ଦେଇଛନ୍ତି । ବିଜ୍ଞାନ ଓ କାରିଗରୀ କ୍ଷେତ୍ରର ଅଭିବୃଦ୍ଧି ନିମନ୍ତେ ଶିଳ୍ପାନୁଷ୍ଠାନ ସିଏସ୍ଆର୍ ପାଣ୍ଠିର କିଛି ଅଂଶ ବ୍ୟୟ କରିବା ସାଙ୍ଗକୁ ପ୍ରତି ରାଜ୍ୟ ଓ କେନ୍ଦ୍ରରେ ଏଥିପାଇଁ ଏକ କର୍ପସ୍ ଫଣ୍ଡ ସୃଷ୍ଟି ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ରାଜ୍ୟରେ ବିଜ୍ଞାନ ଓ କାରିଗରୀ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନକୁ ବାୟୋ-ଇନ୍କୁ୍ୟବେସନ୍ ସେଣ୍ଟର ଓ ଷ୍ଟାର୍ଟଅପ୍ ଗବେଷଣା ନିମନ୍ତେ ୨ କୋଟି ଟଙ୍କା ଯୋଗାଇ ଦିଆଯାଇଛି ଓ ପ୍ରତିଷ୍ଠାନ ଅଧୀନରେ ୨୪ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି । ଅନୁରୂପଭାବେ ଓଡ଼ିଶା ସରକାର ଶିକ୍ଷାନୁଷ୍ଠାନ ଓ ଗବେଷଣା ପ୍ରତିଷ୍ଠାନ ମଧ୍ୟରେ ଭାବବିନିମୟକୁ ସୁଦୃଢ଼ କରିବା ପାଇଁ ଭୁବନେଶ୍ୱର ସିଟି ନଲେଜ୍ ଇନାଭେସନ୍ ସେଣ୍ଟର ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି । ରାଜ୍ୟର ବିଜ୍ଞାନ ଓ କାରିଗରୀ ନୀତି ପ୍ରଣୟନ ପ୍ରକ୍ରିୟା ଜାରି ରହିଛି ବୋଲି ଦର୍ଶାଇବା ସହ ରାଜ୍ୟର ୫୦୦ ବିଦ୍ୟାଳୟରେ ଇନାଭେସନ୍ ହବ୍ ଖୋଲିବାର ଯୋଜନା ରହିଛି ଓ ୨୦୨୩ ସୁଦ୍ଧା ୨୦୦ କୋଟି ବ୍ୟୟରେ ୫୦ ହବ୍ ଖୋଲାଯିବ ବୋଲି କହିଛନ୍ତି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟିତ ଏହି ଦୁଇଦିନିଆ ଜାତୀୟ ସମ୍ମିଳନୀର ଲିଡରସିପ୍ ସେସନ୍ରେ ମନ୍ତ୍ରୀ ଶ୍ରୀ ପଣ୍ଡା ଅଂଶଗ୍ରହଣ କରିଥିଲେ