ଲଗାଣ ବର୍ଷାରେ ପୁଣି ୪ ଗାଁ ବିଚ୍ଛିନ୍ନ
ଘରକୁ ଫେରିପାରିଲେନି ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି କର୍ମୀ
ମୋହନା (ଆପ୍ର): ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଦୁଇଦିନ ହେଲା ଲଗାଣ ବର୍ଷା ଚାଲିଛି । ଫଳରେ ହରଭଙ୍ଗି ନଦୀର ଜଳସ୍ତର ବୃଦ୍ଧିପାଇଛି । ଜଳସ୍ତର ବୃଦ୍ଧି ପାଇବାରୁ ଧନୁପଙ୍କ, ବାଢ଼େଇପୁର, ଗୁଡ଼ୁରିଗୁଡ଼ା ଓ ନୂଆସାହିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବର୍ଷା ଯୋଗୁଁ ଅଙ୍ଗନବାଡ଼ି ଦିଦି ଦୁଇଦିନ ହେଲାଣି ନିଜ ସେଣ୍ଟରକୁ ଯାଇ ନ ପାରିବାରୁ ଶିଶୁ ଓ ଗର୍ଭବତୀଙ୍କୁ ଖାଦ୍ୟ ଯୋଗାଇବା ଠପ୍ ହୋଇଯାଇଛି । କିଛି କଲେଜ ଛାତ୍ର ନଦୀ ଅପରପାଶ୍ୱର୍ରେ ଫସି ରହିଛନ୍ତି । ହିଲ୍ଟପ କଲେଜକୁ କଲେଜ ଯାଇ ଫେରିବା ସମୟରେ ଜଳସ୍ତର ବୃଦ୍ଧି ପାଇବାରୁ ସମ୍ପର୍କୀୟଙ୍କ ଘରେ ଅଟକି ରହିଛନ୍ତି । ଗ୍ରାମରେ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ପହଞ୍ଚô ପାରୁନି ।
ଗୁଡ଼ୁରୀଗୁଡ଼ା ଗ୍ରାମରେ ଶନିବାର ଦିନ ଏକ କାର୍ଯ୍ୟକ୍ରମ ଚାଲିଥିଲା । ଜଳସ୍ତର ବୃଦ୍ଧି ପାଇବାରୁ ଲୋକେ ଜୀବନକୁ ବାଜି ଲଗାଇ ଖାଦ୍ୟ ସାମଗ୍ରୀ ନେଇଥିଲେ । ରୋଗିଣା ବାପା ମାଙ୍କ ପାଇଁ ଔଷଧ ନେଉଥିବା ବେଳେ ବୁଡ଼ି ଯାଇଥିଲେ ଜଣେ ଯୁବକ । କିଛି ଦୂର ଗଲା ପରେ ସେ ପହଁରି କୂଳରେ ଲାଗିଥିଲେ । ବର୍ଷା ପ୍ରଭାବରେ ଗୋବିନ୍ଦପୁର ନିକଟରେ ଏକ ଗଛ ଉପୁୂଡ଼ି ସେଲୁନରେ ପଡ଼ଛି । ରାମଗିରି ଗ୍ରାମରେ ମଧ୍ୟ ବିରାଟକାୟ ଗଛ ପଡ଼ି ରାସ୍ତା ଅବରୋଧ ସହ ବିଦୁ୍ୟତ ସଂଯୋଗ ବିଚ୍ଛିନ୍ନ ହୋଇଛି ।
ଅଡ଼ବା ହରଭଙ୍ଗି ଡ଼୍ୟାମରୁ ବନ୍ୟା ଜଳ ନିଷ୍କାସନ ପାଇଁ ଗୋଟିଏ ଗେଟ୍ ଖୋଲା ଯାଇଛି । ଜଳ ଭଣ୍ଡାରରେ ବର୍ତ୍ତମାନ ୮୬ ପ୍ରତିଶତ ଜଳ ମହଜୁତ ରହିଛି । ସନ୍ଧ୍ୟା ୬.୧୫ ମିନିଟ ସୁଦ୍ଧା ଡ୍ୟାମକୁ ପ୍ରତି ସେକେଣ୍ଡରେ ୪୪୩୨ ଘନଫୁଟ ବନ୍ୟା ଜଳ ପ୍ରବେଶ କରୁଥିବା ବେଳେ ଗୋଟିଏ ଗେଟ ଦେଇ ୩୬୩୬ ଘନଫୁଟ ଜଳ ନିଷ୍କାସନ ହେଉଥିଲା । ଜଳ ସ୍ଥିତି ଉପରେ ନଜର ରଖାଯାଇଛି । ନଦୀ ଗର୍ଭକୁ ନଯିବା ପାଇଁ ନଦୀ ଅବବାହିକାରେ ବସବାସ କରୁଥିବା ୧୩ ଖଣ୍ଡ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି । ବର୍ଷା ସତ୍ତ୍ୱେ ମୋହନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ଚାଲିଥିଲା ।
ନୂଆଗଡ଼ ବ୍ଲକ୍ର ମୁଣ୍ଡବୁଲା ନଦୀରେ ଜଳସ୍ତର ବୃଦ୍ଧି ପାଇ ୧୨ ଖଣ୍ଡ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । ଉଦୟଗିରି ବ୍ଲକ୍ର ଛେଳିଗଡ଼ ଗାଁରେ ଗୁଡ଼ିଆ ନାମକ ବ୍ୟକ୍ତିଙ୍କ ଘର ଦେଇ ବର୍ଷାଜଳ ପ୍ରବେଶ କରିଛି ।