ଅନୁଧ୍ୟାନ କଲେ ନିଗମ କମିଶନର
ଏମ୍କେସିଜି ସୁପରସ୍ପେସିଆଲିଟି କୋଠାରୁ ସିଲିଂ ଖସିବା ଘଟଣା
ବ୍ରହ୍ମପୁର (ବୁ୍ୟରୋ): ବ୍ରହ୍ମପୁର ବଡ଼ଡ଼ାକ୍ତରଖାନା (ଏମ୍କେସିଜି)ର ସୁପର ସ୍ପେସିଆଲିଟି କୋଠାରୁ ଗତ ୩ଦିନ ମଧ୍ୟରେ ଦୁଇ ଥର ସିଲିଂ ଖସିବା ଘଟଣାକୁ ନେଇ ରୋଗୀ, ଡାକ୍ତର, କର୍ମଚାରୀ ଓ ରୋଗୀ ସମ୍ପର୍କୀୟ ଭୟଭୀତ ହୋଇପଡ଼ିଛନ୍ତି । ଏପରିକି ଏହି କୋଠାକୁ ରୋଗୀ ସେବା ପାଇଁ ଡାକ୍ତରମାନେ ଯିବା ପାଇଁ ଭୟ କରୁଛନ୍ତି । ଏହାକୁ ଭିତ୍ତି କରି ଶନିବାର ପ୍ରଶାସନ-ରାଜନେତା, ପୂର୍ତ୍ତ ବିଭାଗ ଓ ଏମ୍କେସିଜି କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା । ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଟି.ଆଓଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ପୂର୍ତ୍ତ ବିଭାଗର ଇଆଇସି (ଡ଼ିଜାଇନ), ମହାନଗର ନିଗମ କମିଶନର ଜେ.ସୋନାମ, ଏମ୍କେସିଜି ଡିନ୍ ପ୍ରଫେସର ଅବନୀକାନ୍ତ ମିଶ୍ର, ଅଧୀକ୍ଷକ ପ୍ରଫେସର ସନ୍ତୋଷ ମିଶ୍ର ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ପୂର୍ତ୍ତ ବିଭାଗର ଇଆଇସି ଓ ନିଗମ କମିଶନର ଏମ୍କେସିଜିର ସୁପରସ୍ପେସିଆଲିଟି କୋଠାର ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି ବିଭାଗ ମହିଳା ୱାର୍ଡ଼ରେ ଏକ ବଡ଼ଧରଣର ସିଲିଂ ପଡ଼ିଥିବା ବେଳେ ଏହା ପୂର୍ବରୁ ୫ମ ମହଲାରେ ଥିବା ୟୁରୋଲୋଜି ବିଭାଗରେ ସିଲିଂ ଖସିଥିଲା ବୋଲି ସୂଚନା ଦେଇଥିଲେ । ଏପରିକି କିଛି ଦିନ ପୂର୍ବେ ଏହି କୋଠାର ୫ମ ମହଲାରେ ଥିବା ଅସ୍ତ୍ରୋପଚାର କୋଠରୀରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା । କୋଠାରେ ଲାଗିଥିବା ଶୀତତାପ ନିୟନ୍ତ୍ରିତ ପାଇପରୁ ପାଣି ଲିକ୍ ଯୋଗୁ ସିଲିଂ ପ୍ଲେଟ୍ ଖସୁଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆର୍ଡିସି କହିଥିଲେ ଯେ ଏହି କୋଠା କେନ୍ଦ୍ର ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ପ୍ରାୟ ୧୫୦କୋଟିରୁ ଊଦ୍ଧ୍ୱର୍ ଟଙ୍କାରେ କେନ୍ଦ୍ରୀୟ ସଂସ୍ଥା ଏଚ୍ସିସି ଅଧୀନରେ ନିର୍ମାଣ ହୋଇଛି । ନିର୍ମାଣ ବେଳେ ସ୍ଥାନୀୟ କୌଣସି ବିଭାଗର ଅଧିକାରୀଙ୍କ ଉକ୍ତ ସଂସ୍ଥା ସହଯୋଗ ନେଇ ନଥିଲା । ଏ ସଂସ୍ଥାକୁ ବର୍ତ୍ତମାନ ସିଲିଂ ଖସିବା ନେଇ ଯୋଗାଯୋଗ କରାଯାଉଛି । ସେପଟେ କୋଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଯୋଜନା କରାଯାଉଛି ବୋଲି ଜିଲ୍ଲାପାଳ ଶ୍ରୀ ପରିଡ଼ା କହିଥିଲେ । ସେହିପରି କେଉଁ କାରଣରୁ ସିଲିଂ ଖସୁଛି ଏବଂ ଆଗାମୀ ଦିନରେ ଆଉ କିଛି ବିପଦ ଅଛି କି ନାହିଁ ତାହା ଏକ ବୈଷୟିକ କମିଟି ଯାଞ୍ଚ କରୁଛନ୍ତି । ସୋମବାର ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଥିଲେ । ବିଧାୟକ ଶ୍ରୀ ପଣ୍ଡା କହିଛନ୍ତି ଯେ କେନ୍ଦ୍ରୀୟ ସଂସ୍ଥା ଦ୍ୱାରା ଏହି କୋଠା ନିର୍ମାଣ ହୋଇଛି । କୋଠାରେ କେଉଁ ସାମଗ୍ରୀ କେଉଁଠି ଲାଗିଛି ଖରାପ ହେଲେ କିଏ ମରାମତି କରିବ ତାହା ନ ଜଣାଇ କୋଠାକୁ ହସ୍ତାନ୍ତର କରାଗଲା ବୋଲି ଏକ ଚିଠି ମାଧ୍ୟମରେ ଜଣାଇ ଉକ୍ତ ସଂସ୍ଥା ପଳାଇଯାଇଛି । ଏପରିକି କୋଠାଟିକୁ ଏମ୍କେସିଜି କର୍ତ୍ତୃପକ୍ଷ କିମ୍ବା ପୂର୍ତ୍ତ ବିଭାଗକୁ ଠିକ୍ ଭାବେ ହସ୍ତାନ୍ତର କରିନଥିବାରୁ ଏଭଳି ପରିସ୍ଥିତି ଉପୁଜୁଛି । ଆଗାମୀ ଦିନରେ କୋଠାର ଆନୁସଙ୍ଗିକ କାର୍ଯ୍ୟ କରି ରୋଗୀଙ୍କ ସେବାରେ ନିୟୋଜିତ କରାଯିବ ବୋଲି ବିଧାୟକ କହିଥିଲେ ।