‘ଉଡାନ୍’ରେ କୋଣାର୍କ ସାମିଲ
କୋଣାର୍କ (ଆପ୍ର): କୋଣାର୍କକୁ ପର୍ଯ୍ୟଟନ କ୍ଷେତ୍ରରେ ସାରାବିଶ୍ୱର ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନରେ ସ୍ଥାନିତ କରିବା ଲକ୍ଷ୍ୟ ନେଇ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚେଷ୍ଟା ଫଳରେ ଗୋଟେ ପରେ ଗୋଟେ ଯୋଜନାକୁ ସାମିଲ୍ କରି କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲୁଥିଲା ବେଳେ ଏବେ ପୁଣି କୋଣାର୍କ ପାଇଁ ଏକ ଖୁସି ଖବର ହସ୍ତଗତ ହୋଇଛି । କେନ୍ଦ୍ର ସରକାର ଓଡ଼ିଶାକୁ ଗୁରୁତ୍ୱ ଦେବା ସହିତ କୋଣାର୍କ ସମେତ ହୀରାକୁଦ, ମାଲକାନଗିରି, ବାରିପଦା ଆଦି ୪ ଗୋଟି ସ୍ଥାନକୁ ପ୍ରାଥମିକ ପର୍ଯ୍ୟାୟରେ ଉଡାନ୍ ସ୍କିମ୍ରେ ସାମିଲ୍ କରାଯାଇଛି । ସାଧାରଣ ଲୋକେ କିପରି କମ୍ ମୂଲ୍ୟରେ ଉଡ଼ାଜାହାଜରେ ସହଜରେ ଦେଶର ବିଭିନ୍ନ ଜାଗାକୁ ଯାତାୟାତ କରିପାରିବେ ଓ ବିଶେଷ ଭାବେ ପର୍ଯ୍ୟଟନସ୍ଥଳୀ କୋଣାର୍କକୁ ଦେଶବିଦେଶର ପର୍ଯ୍ୟଟକଙ୍କ ଆଗମନ ସଂଖ୍ୟା ବୃଦ୍ଧିପାଇପାରିବ ସେ ନେଇ ଯୋଜନା ହୋଇଛି ।
କୋଣାର୍କ ସୂର୍ଯ୍ୟମନ୍ଦିର ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ଉଡାନ୍ ପାଇଁ ପୁରୀ-କୋଣାର୍କ ବେଳମାର୍ଗ ମୁଖ୍ୟ ରାସ୍ତା ନିକଟ ବାଙ୍ଗର ଗାଁ ନିକଟରେ ଖାଲିଥିବା ସରକାରୀ ଜାଗାରେ ଏହି ବିମାନବନ୍ଦର ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି । ଏନେଇ ବିମାନ ବନ୍ଦରର ଉଚ୍ଚ ଅଧିକାରୀମାନେ ଜମି ଚିହ୍ନଟ କରି ସ୍ଥିତି ପରଖିବା ପାଇଁ କୋଣାର୍କ ଓ ବାଙ୍ଗରରେ ଥିବା କିଛି ଜମି ଅନୁଧ୍ୟାନ କରିବାକୁ ଖୁବ୍ଶୀଘ୍ର ଆସିବେ ବୋଲି ସୂଚନା ହସ୍ତଗତ ହୋଇଛି । ଜମି ଚିହ୍ନଟ ପ୍ରକ୍ରିୟା ସରିବା ପରେ ଖୁବ୍ଶୀଘ୍ର ବିମାନ ବନ୍ଦର ନିର୍ମାଣ କରାଯିବ । କେନ୍ଦ୍ର ନାଗରିକ ଉଦୟନ ମନ୍ତ୍ରାଳୟ ପକ୍ଷରୁ ପର୍ଯ୍ୟାୟକ୍ରମେ ଆହୁରି ୫୪ ଗୋଟି ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକୁ ଏହି ସ୍କିମ୍ରେ ସାମିଲ୍ କରାଯାଇ ସାଧାରଣ ଲୋକଙ୍କ ପାଇଁ ଉଡାଜାହାଜରେ ଯାତାୟାତ ପାଇଁ ଖୁବ୍ଶୀଘ୍ର ବ୍ୟବସ୍ଥା କରାଯିବ । ଜାତୀୟ ଅର୍ଥନୀତିକୁ ମଜଭୁତ ଓ ଗତିଶୀଳ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ନାଗରିକ ଉଦୟନ ମନ୍ତ୍ରାଳୟ ଉଡାଜାହାଜ ମାଧ୍ୟମରେ ଆଞ୍ଚଳିକ କ୍ଷେତ୍ରରେ ବିଭିନ୍ନ ଅଞ୍ଚଳକୁ ସଂଯୋଗ କରିବା ଓ ଆଞ୍ଚଳିକ ବିମାନବନ୍ଦର ଗୁଡ଼ିକୁ ଉନ୍ନତି କରିବା ସହିତ ସାଧାରଣ ଲୋକମାନେ ଯେପରି କମ୍ ମୂଲ୍ୟରେ ଉଡ଼ାଜାହାଜରେ ବିଭିନ୍ନ ଜାଗାକୁ ସ୍ୱଳ୍ପ ମୂଲ୍ୟରେ ଯାତାୟାତକୁ ସୁଗମ କରିବା ଓ ପରିବହନକୁ ସୁଦୂର ପ୍ରସାର କରିବା ଲକ୍ଷ୍ୟ ନେଇ ଏହି ଉଦୟନ ସ୍କିମ୍ କରାଯାଇଛି ।