ଦିନିକିଆରୁ ଫିଞ୍ଚ୍ଙ୍କ ଅବସର
ସିଡ୍ନୀ, ୧୦ା୯ (ଏଜେନ୍ସି): ଅଷ୍ଟ୍ରେଲିଆର ଦିନିକିଆ ଓ ଟି-୨୦ ଟିମ୍ର ଅଧିନାୟକ ଆରୋନ୍ ଫିଞ୍ଚ୍ ଶନିବାର ଦିନିକିଆ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି । ସେ ରବିବାର ନୁ୍ୟଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ତୃତୀୟ ଦିନିକିଆ ମ୍ୟାଚ୍ ପରେ ଏହି ଫର୍ମାଟ୍କୁ ବିଦାୟ ନେବେ ।
ଚର୍ଚ୍ଚା ହେଉଛି ଯେ ଦିନିକିଆରୁ ଫିଞ୍ଚ୍ଙ୍କ ଅବସରର କାରଣ ଏହି ଫର୍ମାଟ୍ରେ ତାଙ୍କର ଦୁର୍ବଳ ପ୍ରଦର୍ଶନ । ତେବେ ସେ ଟି-୨୦ ଟିମ୍ର ଅଧିନାୟକତ୍ୱ ଜାରି ରଖିବେ । ତାଙ୍କୁ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଅଧିନାୟକ ନିଯୁକ୍ତ କରାଯାଇଛି । ଫିଞ୍ଚ୍ଙ୍କ ନେତୃତ୍ୱରେ ଗତ ବର୍ଷ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ୍ ମୁକୁଟ ଜିତିଥିଲା ।
ରବିବାର ନୁ୍ୟଜିଲାଣ୍ଡ ବିପକ୍ଷ ତୃତୀୟ ମ୍ୟାଚ୍୍ ଫିଞ୍ଚ୍ଙ୍କ ଶେଷ ଦିନିକିଆ ମ୍ୟାଚ୍ ହେବ । ଏହା ତାଙ୍କ କ୍ୟାରିଅରର ୧୪୬ତମ ଦିନିକିଆ ମ୍ୟାଚ୍ । ସେ ୫୪ ଦିନିକିଆରେ ଟିମ୍ର ନେତୃତ୍ୱ ନେଇଛନ୍ତି । ଏହି ଫର୍ମାଟ୍ରେ ତାଙ୍କ ନାମରେ ୧୭ ଶତକ ରହିଛି । ଅଷ୍ଟ୍ରେଲିଆରେ ତାଙ୍କ ଆଗରେ ରିକି ପଣ୍ଟିଂ (୨୯ ଶତକ), ଡେଭିଡ୍ ୱାର୍ଣ୍ଣର ଓ ମାର୍କ ୱ’ (୧୮ ଶତକ) ରହିଛନ୍ତି ।
ପୂର୍ବ ୭ ଇନିଂସ୍ରେ ୨୬ ରନ୍
ଫିଞ୍ଚ୍ ପୂର୍ବ ୭ ଦିନିକିଆରେ ମାତ୍ର ୨୬ ରନ୍ କରିଛନ୍ତି । ସେ ଚଳିତ ବର୍ଷ ୧୩ ମ୍ୟାଚ୍ ଖେଳି ୧୬୯ ରନ୍ କରିଛନ୍ତି । ପାଞ୍ଚ ଥର ସେ ଶୂନ୍ରେ ଆଉଟ୍ ହୋଇଛନ୍ତି । ସେ ଦିନିକିଆ କ୍ୟାରିଅରରେ ଏ ଯାବତ୍ ୩୯.୧୪ ଆଭରେଜ୍ରେ ୫୪୦୧ ରନ୍ ସଂଗ୍ରହ କରିଛନ୍ତି । ତେବେ ଆଉ ସେ ପୂର୍ବ ଭଳି ପ୍ରଦର୍ଶନ କରିପାରୁ ନାହାନ୍ତି, ଯାହା ତାଙ୍କର ଦିନିକିଆ ଛାଡ଼ିବା ପଛର ପ୍ରମୁଖ କାରଣ ।
ସଙ୍କଟ ସମୟରେ ସମ୍ଭାଳିଥିଲେ ନେତୃତ୍ୱ
୨୦୧୩ରେ ଦିନିକିଆରେ ଡେବୁ୍ୟ କରିଥିବା ଫିଞ୍ଚ୍ ସଙ୍କଟଜନକ ସ୍ଥିତିରେ ଅଷ୍ଟ୍ରେଲୀୟ ସୀମିତ ଓଭର୍ ଟିମ୍ର ନେତୃତ୍ୱ ଭାର ସମ୍ଭାଳିଥିଲେ । ୨୦୧୮ରେ ତକ୍ରାଳୀନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଓ ଉପ-ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ୍ରେ ବଲ୍ ଟାମ୍ପରିଂରେ ଛନ୍ଦି ହେବା ପରେ ଫିଞ୍ଚ୍ଙ୍କୁ ଦିନିକିଆ ଓ ଟି-୨୦ ଟିମ୍ର ଅଧିନାୟକତ୍ୱ ଦିଆଯାଇଥିଲା । ସେ ୨୦୧୯ରେ ଇଂଲଣ୍ଡରେ ଖେଳାଯାଇଥିବା ଦିନିକିିଆ ବିଶ୍ୱକପ୍ରେ ଅଷ୍ଟ୍ରେଲିଆର ନେତୃତ୍ୱ ନେଇ ଟିମ୍କୁ ସେମିଫାଇନାଲ୍ରେ ପହଞ୍ଚାଇଥିଲେ ।