ଅସରାଏ ବର୍ଷାରେ ଆଣ୍ଠୁଏ ପାଣି
ଅଧା ପଡିଛି ରାସ୍ତା
ନାଉଗାଁ (ଆପ୍ର): ଗ୍ରାମ୍ୟ ଉନ୍ନୟନ ବିଭାଗର ଜଗତସିଂହପୁର ବିଭାଜନ ପକ୍ଷରୁ ବଛାଳୋ ପଞ୍ଚାୟତରେ ଅଲଣା-୨ ଠାରୁ ପାଞ୍ଚପା ନାମରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଇଛି । କିନ୍ତୁ ନାରସିମା ଗାଁରେ ଜମି ବିବାଦକୁ ନେଇ ୨.୫ କିମି ରାସ୍ତାରୁ ପ୍ରାୟ ୫୦ ମିଟର ଢଳେଇ ରାସ୍ତା ନିର୍ମାଣ କରାଯାଇନାହିଁ । ଯାହାଫଳରେ ଅସରାଏ ବର୍ଷାରେ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହୁଛି । ଏଥି ପାଇଁ ଗାଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସୂଚନା ଅନୁଯାଇ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହେଉଥିବା ରାସ୍ତାଟି ନାରସିମା ଗାଁ ଦେଇ ଯାଉଥିବା ବେଳେ ଜୈନିକ ବ୍ୟକ୍ତିଙ୍କର ବ୍ୟକ୍ତିଗତ ସ୍ଥାନରେ ରାସ୍ତା ନିର୍ମାଣ ହେଉଥିବା ଅଭିଯୋଗ ହୋଇଥିଲା । ବ୍ୟକ୍ତି ଜଣକ ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାର ସେହି ସ୍ଥାନରୁ ରାସ୍ତା ନିର୍ମାଣ କାମ ବନ୍ଦ ରଖିବା ସହିତ ଅନ୍ୟ ପାଶ୍ୱର୍ରେ ରାସ୍ତା ନିର୍ମାଣ କରିଥିଲେ । ପରେ ତକ୍ରାଳିନ ଉପଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ବିବାଦକୁ ଫଇସଲା କରାଯାଇଥିଲା । ଅଭିଯୋଗର ଫଇସଲାକୁ ୨ ବର୍ଷରୁ ଉଦ୍ଧ୍ୱର୍ ସମୟ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବାକି ରହିଥିବା ୫୦ ମିଟର ରାସ୍ତାର ନିର୍ମାଣ ହୋଇପାରୁନାହିଁ । ଯାହାଫଳରେ ଅସରାଏ ବର୍ଷା ହେଲେ ପାଣି ଜମି ରହୁଛି । ଏହି ପାଣି ଦୀର୍ଘ ଦିନ ଜମି ରହିବା ଫଳରେ ପାଣିରୁ ଦୁର୍ଗନ୍ଧ ବାହାରୁଛି । ଏହି ରାସ୍ତା ଦେଇ ନିକଟସ୍ଥ ସ୍କୁଲକୁ ଛୋଟ ଛୋଟ ପିଲାମାନେ ଚାଲି ଚାଲି ଯିବା ବେଳେ ଅପରିଷ୍କାର ପାଣି ଭିତରେ ଯାଉଛନ୍ତି । ଯାହାଫଳରେ ସେମାନେ ବିଭିନ୍ନ ପ୍ରକାର ଚର୍ମ ରୋଗ ଓ ଥଣ୍ଡା ଜ୍ୱରରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି । ଏପରିକି ଗାଁ ଭିତରୁ ବାହାରିବା ପାଇଁ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଗାଁରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଠି ହେଉଛି । ବାକି ଥିବା ରାସ୍ତାକୁ ତୁରନ୍ତ ନିର୍ମାଣ କରିବା ପାଇଁ ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସହ ସଂଯୋଜକ ଅଶୋକ ସ୍ୱାଇଁଙ୍କ ସହିତ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି ।