ଅନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ର ହେବ ଚନ୍ଦ୍ରଭାଗା
କୋଣାର୍କ (ଆପ୍ର): ଚନ୍ଦ୍ରଭାଗା ବେଳାଭୂମିକୁ ଅନ୍ତର୍ଜାତୀୟ ପର୍ଯ୍ୟଟନ କେନ୍ଦ୍ରଭାବେ ବିକଶିତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରାୟ ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ଚନ୍ଦ୍ରଭଗା ତୀର୍ଥ ପୁଷ୍କରଣୀ ସମ୍ମୁଖ ସମୁଦ୍ର କୂଳରେ ୭୦୦ ମିଟର ଇକୋରିଟ୍ରିଟ୍ ପର୍ଯ୍ୟନ୍ତ ବେଳାଭୂମି ଏବଂ ମାଘମେଳା ପଡିଆଠାରୁ ପର୍ଯ୍ୟଟନ ବିଭାଗର କାଫେ କଫି ରେଷ୍ଟୁରାଣ୍ଟ ପର୍ଯ୍ୟନ୍ତ ପ୍ରାୟ ୩୦୦ ମିଟର ପର୍ଯ୍ୟନ୍ତ ଗୋଆ ସମୁଦ୍ର କୂଳପରି ବିକାଶ କରାଯିବା ନିମିତ୍ତ ବ୍ୟବସ୍ଥା ହୋଇଛି । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ କୈଳାସ ନାୟକ, ପୁରୀ ଆର୍ ଆଣ୍ଡ ବି ଡିଭିଜନ ଏସ୍ଇ ଅଜିତ କୁମାର ମହାପାତ୍ର, ସ୍ଥାନୀୟ ପୂର୍ତ୍ତ ବିଭାଗ ଇଞ୍ଜିନୟର ଦିଲ୍ଲୀପ କୁମାର ବିଶ୍ୱାଳ ପ୍ରମୁଖ ପ୍ରକଳ୍ପ ସମ୍ବନ୍ଧରେ ଟିକିନିକି ଯାଞ୍ଚ କରିଛନ୍ତି ।
ଜଣେ ଦକ୍ଷ ଠିକାଦାରଙ୍କ ଦ୍ୱାରା ୧୫ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଏସ୍ଇ ଶ୍ରୀ ମହାପାତ୍ର ଜିଲ୍ଲାପାଳଙ୍କୁ କହିଥିଲେ । ଇକୋ- ଫ୍ରେଣ୍ଡଲି ବ୍ୟବସ୍ଥାରେ ସମସ୍ତ କାମ କରାଯିବ । ପାଦଚଲା ରାସ୍ତା, ସିଟିଙ୍ଗ ବେଞ୍ଚ, ଲାଇଫ ଗାର୍ଡ ସୁରକ୍ଷା, ଆଲୋକୀକରଣ ସହିତ ମଡୁ୍ୟଲାର ଶୌ·ଳୟ ଆଦି ସୁବିଧା ଉପଲବ୍ଧ ହେବ । ସନ୍ଧ୍ୟାରେ ବେଳାଭୂମିରେ ପର୍ଯ୍ୟଟକମାନେ ଅଧିକ ସମୟ ବିତାଇବା ଉପରେ ଗୁରୁତ୍ୱ ଦିଆଯିବ ।
ପ୍ରକଳ୍ପ ପାଇଁ ଚନ୍ଦ୍ରଭଗା କୂଳରେ ବହୁ ପୁରୁଣା ହନୁମାନ ମନ୍ଦିର ସମେତ ୨ ମନ୍ଦିର ଉଚ୍ଛେଦ କରାଯାଇ ଅନ୍ୟସ୍ଥାନକୁ ସ୍ଥାନାନ୍ତର କରାଯିବ । ସମୁଦ୍ର କୂଳରେ ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କ ପାଇଁ ଜୟଦେବ ପାର୍କ ନିକଟରେ ଭେଣ୍ଡିଂ ଜୋନ୍ କରାଯାଇ ଥଇଥାନ କରାଯିବ । ଉଡେନ ରେଷ୍ଟୁରାଣ୍ଟ ନିକଟରେ ଦୁଇଚକିଆ ଓ ଏକ କାର ପାର୍କିଂ ସ୍ଥଳ ନିର୍ମାଣ ହେବ । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ଓ ଆସନ୍ତା ଜାନୁଆରୀ ସୁଦ୍ଧା ଏହାର ଉଦ୍ଘାଟନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ବର୍ମା ପ୍ରକାଶ କରିଥିଲେ ।
ଜିଲ୍ଲାପାଳଙ୍କ ଅନୁଧ୍ୟାନ ସମୟରେ ତହସିଲଦାର ଶେଖ ସଗିର, ଅତିରିକ୍ତ ତହସିଲଦାର ଶରତ ପରିଡା, ଚନ୍ଦ୍ରଭାଗା ବଜÿାର କମିଟି ସଭାପତି ଭାସ୍କର ବେହେରା, ସମ୍ପାଦକ ବାନାମ୍ବର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।