ଇତିହାସ ରଚିଲେ ନୀରଜ
ଡାଇମଣ୍ଡ୍ ଲିଗ୍ ଜିତିବାରେ ପ୍ରଥମ ଭାରତୀୟ
ଜୁ୍ୟରିକ୍, ୯ା୯ (ଏଜେନ୍ସି): ଭାରତୀୟ ଜାଭଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ପୁଣି ଥରେ ଇତିହାସ ରଚିଛନ୍ତି । ସେ ପ୍ରଥମ ଥର ଡାଇମଣ୍ଡ୍ ଲିଗ୍ରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଡାଇମଣ୍ଡ ଲିଗ୍ ଫାଇନାଲ୍ରେ ସେ ୮୮.୪୪ ମିଟରର ବେଷ୍ଟ ଥ୍ରୋ ସହ ପ୍ରଥମ ସ୍ଥାନରେ ରହିଥିଲେ । ଅଧିକାଂଶ ବଡ଼ ପ୍ରତିଯୋଗିତାରେ ବିଜେତା ହୋଇଥିବା ନୀରଜଙ୍କ କୀର୍ତ୍ତିରେ ଆଉ ଏକ ସଫଳତା ଯୋଡ଼ି ହୋଇଛି ।
ଏହା ପୂର୍ବରୁ ନୀରଜ ୨୦୧୭ ଓ ୨୦୧୮ରେ ମଧ୍ୟ ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ସେ ୨୦୧୭ରେ ସପ୍ତମ ଓ ୨୦୧୮ରେ ଚତୁର୍ଥ ସ୍ଥାନରେ ରହିଥିଲେ ।
ନୀରଜଙ୍କ ଆରମ୍ଭ ଭଲ ନ ଥିଲା ଏବଂ ତାଙ୍କ ପ୍ରଥମ ଥ୍ରୋ ଫାଉଲ୍ ହୋଇଥିଲା । ଏହାପରେ ସେ ଦ୍ୱିତୀୟ ପ୍ରୟାସରେ ୮୮.୪୪ ମିଟର ଥ୍ରୋ କରି ଅନ୍ୟ ଥ୍ରୋଅରଙ୍କ ଠାରୁ ଅଗ୍ରଣୀ ହାସଲ କରିଥିଲେ । ସେ ତୃତୀୟ ପ୍ରୟାସରେ ୮୮.୦୦ ମିଟର, ଚତୁର୍ଥରେ ୮୬.୧୧ ମିଟର, ପଞ୍ଚମରେ ୮୭.୦୦ ମିଟର ଏବଂ ଷଷ୍ଠ ପ୍ରୟାସରେ ୮୩.୬୦ ମିଟର ଥ୍ରୋ କରିଥିଲେ ।
ଜ୍ୟାକୋବ୍ ୱାଡ଼ଲେଚ ୮୬.୯୪ ମିଟରର ବେଷ୍ଟ ଥ୍ରୋ ସହିତ ଦ୍ୱିତୀୟ ଓ ଜର୍ମାନୀର ଜୁଲିଅନ୍ ୱେବର (୮୩.୭୩ମି.) ତୃତୀୟ ସ୍ଥାନରେ ରହିଥିଲେ ।
ଏହା ପୂର୍ବରୁ ନୀରଜ ୨୦୨୧ରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ, ୨୦୧୮ରେ ଏସିଆଡ୍ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିସାରିଛନ୍ତି । ଏହାଛଡ଼ା ବିଶ୍ୱ ଆଥ୍ଲେଟିକ୍ ଚାମ୍ପିଅନ୍ସିପ୍ରେ ସେ ସ୍ୱର୍ଣ୍ଣ ପଦକ ପାଇଥିଲେ ।
ଆଘାତ ପରେ ବି ହାର୍ ମାନି ନ ଥିଲେ
ନୀରଜ ଚୋପ୍ରା ବିଶ୍ୱ ଚାମ୍ପିଅନ୍ସିପ୍ରେ ଆହତ ହୋଇଥିଲେ । ତେଣୁ ସେ ଜୁଲାଇ-ଅଗଷ୍ଟରେ ଆୟୋଜିତ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇପାରି ନ ଥିଲେ । ତେବେ ସେ ଡାଇମଣ୍ଡ୍ ଲିଗ୍ରେ ପ୍ରତ୍ୟାବର୍ତ୍ତନ କରି ଫାଇନାଲ୍ରେ ପହଞ୍ଚିବାରେ ଭାରତର ପ୍ରଥମ ଖେଳାଳି ହୋଇପାରିଥିଲେ । ନୀରଜଙ୍କ କ୍ୟାରିଅରର ସର୍ବଶ୍ରେଷ୍ଠ ଥ୍ରୋ ୮୯.୯୪ ମିଟର । ସେ ଷ୍ଟକ୍ହୋମ୍ ଡାଇମଣ୍ଡ ଲିଗ୍ରେ ଏହି ଥ୍ରୋ କରିଥିଲେ ।