୧୮ରେ ପୁରୀରେ ଏୟାର ସୋ’
ପୁରୀ (ବୁ୍ୟରୋ): ପୁରୀ ରାଜଭବନ ନିକଟ ବେଳାଭୂମିରେ ଚଳିତ ମାସ ୧୮ରେ ବାୟୁ ସେନା ପକ୍ଷରୁ ହେବ ଏୟାର ସୋ’ । ବାୟୁ ସେନାର ପାଇଲଟ୍ମାନେ ଆକାଶ ମାର୍ଗରେ ଏହି କଳା କୌଶଳ ପ୍ରଦର୍ଶନ କରିବେ ବୋଲି ସ୍ଥିର ହୋଇଛି । କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୁଚାରୁରୂପେ ସମ୍ପାଦନ ପାଇଁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ସମର୍ଥ ବର୍ମା ଏଥିରେ ଅଧ୍ୟକ୍ଷତା କରିବା ସହ ପୁରୀରେ ପ୍ରଥମ ଥର ପାଇଁ ଏଭଳି ଏକ ସୋ’ ଆୟୋଜନ କରାଯାଉଥିବାରୁ ସରକାର, ବାୟୁସେନାର ଅଧିକାରୀ, ପାଇଲଟ୍ ଓ ସହଯୋଗୀ କର୍ମଚାରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ପୁରୀର ଲୋକମାନେ ମଧ୍ୟ ଏହି ସୋ’କୁ ବେଳାଭୂମିରେ ଦେଖିପାରିବେ ବୋଲି ସେ କହିଥିଲେ । ବିସ୍ତୃତ ଆଲୋଚନା ପରେ ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ, ସୋ’ ଦେଖିବା ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ପ୍ରଚାର ପ୍ରସାର, ସ୍ୱାସ୍ଥ୍ୟ, ଅଗ୍ନିଶମ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ବିଭାଗ ସେମାନଙ୍କ ଦାୟିତ୍ୱକୁ ନିଷ୍ଠାର ସହ ପାଳନ ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ବୈଠକରେ ଡିଏଫ୍ଓ ରାମସ୍ୱାମୀ ପି, ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ଉପ-ଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଏସ୍ପି ମିହିର ପ୍ରସାଦ ପଣ୍ଡା, ସିଟି ଡିଏସ୍ପି ଜନାର୍ଦ୍ଦନ ପାଢ଼ୀ, ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ ଓ ଅନ୍ୟାନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।