ହକି ବିଶ୍ୱକପ୍ କାଉଣ୍ଟଡାଉନ୍

ଭୁବନେଶ୍ୱର, ୮ା୯ (ବୁ୍ୟରୋ): ଭୁବନେଶ୍ୱର ଓ ରାଉରକେଲାରେ ହେବାକୁ ଥିବା ହକି ପୁରୁଷ ବିଶ୍ୱକପ ୨୦୨୩ର ଅବଗଣନା ଆରମ୍ଭ ହୋଇଯାଇଛି । ଗୁରୁବାରଦିନ ଲୋକସଭା ଭବନଠାରେ ଅନ୍ତର୍ଜାତୀୟ ହକି ଫେଡେରେସନ ପକ୍ଷରୁ ଏହି ବିଶ୍ୱକପର ଡ୍ର’ ଅନୁଷ୍ଠିତ ହୋଇଯାଇଛି । ଏହି ଡ୍ର’ ପରେ କେଉଁ ପୁଲରେ କେଉଁ ଦଳ ରହିବେ ତାହା ନିର୍ଦ୍ଧାରିତ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅନ୍ତର୍ଜାତୀୟ ହକି ଫେଡେରେସନର ସଭାରତି ସେଫ ଅହମଦ ଉପସ୍ଥିତ ଥିଲେ ।
ପୁଲ-ଏରେ ବର୍ତ୍ତମାନର ୧ ନମ୍ବର ମାନ୍ୟତାପ୍ରାପ୍ତ ଦଳ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି ।
ପୁଲ-ବିରେ ବିଶ୍ୱ ଚାମ୍ପିଅନ ବେଲଜିଅମ, ଜର୍ମାନି, ଜାପାନ ଓ ଦକ୍ଷିଣ କୋରିଆ ଅଛନ୍ତି । ସେହିପରି ପୁଲ-ସିରେ ନେଦରଲାଣ୍ଡସ, ନୁ୍ୟଜିଲାଣ୍ଡ, ମାଲେସିଆ ଓ ଚିଲି ରହିଛନ୍ତି । ଅନ୍ୟପକ୍ଷରେ ପୁଲ-ଡିରେ ଭାରତ, ଇଂଲଣ୍ଡ, ସ୍ପେନ ଓ ୱେଲସ ରହିଛି । ଉଭୟ ଚିଲି ଓ ୱେଲସ ପ୍ରଥମ ଥର ପାଇଁ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ବିଶ୍ୱ ରାଙ୍କିଙ୍ଗ ଅନୁସାରେ ଅଷ୍ଟ୍ରେଲିଆ, ବେଲଜିଅମ, ନେଦରଲାଣ୍ଡସ ଓ ଭାରତ ନିଜ ନିଜର ପୁଲରେ ପ୍ରଥମ ସ୍ଥାନରେ ରହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ହକି ଇଣ୍ଡିଆ ସଦସ୍ୟ ଜାଫର ଇକବାଲଙ୍କ ଉଦବୋଧନ ଦେଇ କହିଛନ୍ତି, ହକି ପ୍ରେମୀଙ୍କ ପାଇଁ ଆଜି ଏକ ବଡ଼ ଦିନ । ୨ୟ ଥର ପାଇଁ ଓଡ଼ିଶା ହକି ବିଶ୍ୱକପ ଆୟୋଜନ କରୁଛି । ଯାହା ଅତ୍ୟନ୍ତ ଗର୍ବର ବିଷୟ । ଏଥିପାଇଁ ସେ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେହିଭଳି ହକି ଇଣ୍ଡିଆ ସିଓଏ ଡକ୍ଟର ଏସ. ୱାଇ କୁ୍ୟରେସୀ ମଧ୍ୟ ନିଜ ଉଦବୋଧନରେ ଓଡ଼ିଶାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଭାରତୀୟ ହକିକୁ ନୂଆ ରୂପ ଦେବାରେ ଓଡିଶାର ଉଦ୍ୟମ ପ୍ରଶଂସନୀୟ । ଏହା ବ୍ୟତୀତ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜ ଉଦବୋଧନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ହକି ବିଶ୍ୱକପ୍ ଆୟୋଜନ କରି ଓଡ଼ିଶା ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି । ଓଡିଶାର ୨ଟି ସ୍ଥାନରେ ବିଶ୍ୱକପ ଖେଳାଯିବାକୁ ଥିବାରୁ ଏହା ଗର୍ବର ବିଷୟ ବୋଲି କହିଛନ୍ତି । ହକି ବିଶ୍ୱକପ କରି ରୋଲ ମଡେଲ ପାଲଟିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହିପରି ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ବିଶ୍ୱର ଶ୍ରେଷ୍ଠ ହକି ଦଳ ଏବଂ ଖେଳାଳିଙ୍କୁ ସ୍ୱାଗତ କରି ଆମେ ସର୍ବଦା ଗର୍ବିତ । ଭୁବନେଶ୍ୱରର ଆମର ଚମକ୍ରାର କାଲିଙ୍ଗ ଷ୍ଟାଡିୟମ୍ ଖେଳାଳୀଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରିଛି । ଆମେ ବିଶ୍ୱକୁ ଏକ ନୂତନ ମଞ୍ଚକୁ ନିମନ୍ତ୍ରଣ କରୁଛୁ, ଯଥା ର୍ବିସା ମୁଣ୍ଡା ହକି ଷ୍ଟାଡିୟମ୍ ରାଉରକେଲା । ଏହି ନୂତନ ଷ୍ଟାଡିୟମ୍ ହେଉଛି ହକି ପ୍ରତି ଆମର ଦୃଢ଼ ପ୍ରତିବଦ୍ଧତାର ଆଉ ଏକ ପ୍ରମାଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ଅବସରରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଭିନିଲ କ୍ରିଷ୍ଣା, ହକି ଇଣ୍ଡିଆର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *