ପ୍ରଶସ୍ତ ହେବ ବାଲିସାହି-ସ୍ୱର୍ଗଦ୍ୱାର-ଲୋକନାଥ ମନ୍ଦିର ରାସ୍ତା

ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ଐତିହ୍ୟ କରିଡର୍ ପରେ ଏବେ ପ୍ରଶସ୍ତ ହେବ ସିଂହଦ୍ୱାରଠାରୁ ବାଲିସାହି ଓ ସ୍ୱର୍ଗଦ୍ୱାର ରାସ୍ତା । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ଥାନୀୟ ବାସିନ୍ଦାଙ୍କ ସହ ପ୍ରଶାସନର ଭିତିରି ଆଲୋଚନା ମଧ୍ୟ ଜାରି ରହିଛି । ଏହି ପ୍ରକଳ୍ପ କାକୁଡ଼ିଖାଇ ଛକଠାରୁ ବାଲିସାହି ଦେଇ ସ୍ୱର୍ଗଦ୍ୱାର ବେଳାଭୂମି ରାସ୍ତାକୁ ସଂଯୋଗ କରିବ । ଏଥିଲାଗି ରାସ୍ତାର ଓସାର ୪୦ ଫୁଟ୍ ହେବ । ଯେଭଳି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଠିଆହେଲେ ସମୁଦ୍ର ଦେଖାଯିବ ।
ସେହିପରି ଶ୍ରୀମନ୍ଦିରର ଦକ୍ଷିଣଦ୍ୱାରଠାରୁ ଗାଣ୍ଡୁଆଚଉରା ଛକ ଦେଇ ଲୋକନାଥ ମନ୍ଦିରର ରାସ୍ତା ମଧ୍ୟ ପ୍ରଶସ୍ତୀକରଣ କରାଯିବ । ସେଥିଲାଗି ମଧ୍ୟ ନିଷ୍ପତ୍ତି ଶେଷ ହୋଇଛି । ବାଲିସାହି-ସ୍ୱର୍ଗଦ୍ୱାର ରାସ୍ତା ଭଳି ଲୋକନାଥ ମନ୍ଦିର ରାସ୍ତାକୁ ମଧ୍ୟ ୪୦ଫୁଟ୍ ଓସାର କରାଯିବ । ଉଭୟ ରାସ୍ତା ପ୍ରକଳ୍ପ କାର୍ଯ୍ୟ ଖୁବ୍ଶୀଘ୍ର ଆରମ୍ଭ କରାଯିବ । କେବଳ କ୍ଷତିଗ୍ରସ୍ତ ପରିବାର, ବ୍ୟବସାୟୀ ଅନୁଷ୍ଠାନ ଓ ମଠମାନଙ୍କ ସହ ଆଲୋଚନା କରାଯାଇ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି । ଜିଲ୍ଲା ପ୍ରଶାସନ ପ୍ରକି୍ରୟା ଆରମ୍ଭ କରିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭାଳେଣି ପଡ଼ିଲାଣି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଧିକ ସଶକ୍ତ ଓ ସୌନ୍ଦର୍ଯ୍ୟକରଣ ହେବ ବୋଲି ବ୍ଲୁ-ପ୍ରିଣ୍ଟ୍କୁ କାର୍ଯ୍ୟକାରୀ କରିବାକୁ ପ୍ରଶାସନ ଅଣ୍ଟା ଭିଡ଼ିଛି । ଏହାରି ମଧ୍ୟରେ ଜିଲ୍ଲା ପ୍ରଶାସନ ବାଲିସାହିର କିଛି ମୁରବୀଙ୍କ ସହ ପ୍ରଥମ ପର୍ଯ୍ୟାୟରେ ଭିତିରି ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ପ୍ରଶାସନ ପକ୍ଷରୁ ୬୦ ଫୁଟ୍ ଉଚ୍ଛେଦ କରିବାକୁ ଯୋଜନା କରୁଥିଲା । ହେଲେ ବିରୋଧ ହେବାରୁ ଏହାକୁ କମାଇ ୪୦ ଫୁଟ୍ ରଖିବାକୁ ପ୍ରଶାସନ ପ୍ରସ୍ତାବ ଦେଇଛି । କିନ୍ତୁ ସ୍ଥାନୀୟ ବାସିନ୍ଦାମାନେ ୩୦ଫୁଟ୍ ମଧ୍ୟରେ ରାସ୍ତା ପ୍ରଶସ୍ତୀକରଣ ସୀମିତ ରଖିବାକୁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି । ପ୍ରଶାସନ ୪୦ ଫୁଟ୍ ଉଚ୍ଛେଦ କରିବ ବୋଲି ଆଲୋଚନା ଜୋର୍ ଧରିଛି ।
ଅନ୍ୟପକ୍ଷରେ ଶ୍ରୀମନ୍ଦିରର ଦକ୍ଷିଣଦ୍ୱାର ନିକଟ କାକୁଡ଼ିଖାଇ ଛକ ପାଖରୁ ସ୍ୱର୍ଗଦ୍ୱାର ବେଳାଭୂମି ପର୍ଯ୍ୟନ୍ତ ଯାଇଥିବା ବାଲିସାହି ରାସ୍ତାଟି ସବୁବେଳେ ଜନଗହିଳପୂର୍ଣ୍ଣ । ସମୁଦ୍ରରୁ ସ୍ନାନ ସାରି ପର୍ଯ୍ୟଟକମାନେ ସିଧାସଳଖ ଉକ୍ତ ରାସ୍ତା ଦେଇ ଶ୍ରୀମନ୍ଦିରକୁ ଆସିଥାନ୍ତି । ଏହି ରାସ୍ତା ଅତ୍ୟନ୍ତ ଅଣଓସାରିଆ ହୋଇଥିବା ବେଳେ ଚାରିଚକିଆ ଯାନ ଯିବା ଅସମ୍ଭବ । ସେହିଭଳି ଉକ୍ତ ରାସ୍ତା ପାଶ୍ୱର୍ରେ ଦୋକାନ ଘର ସହ ମଠ ମନ୍ଦିର ରହିଛି । ଉକ୍ତ ରାସ୍ତାରେ ଶହ ଶହ ଛୋଟ ଛୋଟ ବ୍ୟବସାୟୀ ବ୍ୟବସାୟ କରି ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି । ସେମାନେ ରାସ୍ତା ପ୍ରଶସ୍ତୀକରଣ ହେବା ଲାଗି ଉଚ୍ଛେଦ ହେବା ଘଟଣା ଶୁଣି ସ୍ଥାନୀୟ ବାସିନ୍ଦାଙ୍କ ସହ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଲାଣି । ଏ ସମ୍ପର୍କରେ ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ଉଭୟ ରାସ୍ତା ଲାଗି ପ୍ରକି୍ରୟା ଆରମ୍ଭ ହୋଇଛି । ରାସ୍ତାକୁ ୪୦ ଫୁଟ୍ ଓସାର କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *