‘କର୍ତ୍ତବ୍ୟ ପଥ’- ନୂଆ ଯୁଗର ଆରମ୍ଭ
ସେଣ୍ଟ୍ରାଲ ଭିଷ୍ଟା ଆଭେନୁ୍ୟ ଉଦ୍ଘାଟିତ
ନୂଆଦିଲ୍ଲୀ (ଏଜେନ୍ସି): ଗୁରୁବାର ସନ୍ଧ୍ୟାରେ ଇଣ୍ଡିଆ ଗେଟ୍ ଠାରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ ତଥା ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଣ୍ଟ୍ରାଲ ଭିଷ୍ଟା ଆଭେନୁ୍ୟର ଶୁଭ ଉଦ୍ଘାଟନ କରିଛନ୍ତି । ଇଣ୍ଡିଆ ଗେଟ୍ ଠାରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଲମ୍ବିଥିବା କର୍ତ୍ତବ୍ୟ ପଥ (ରାଜପଥର ପରିବର୍ତ୍ତିତ ନାମକରଣ) ପ୍ରଧାନମନ୍ତ୍ରୀଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି । ସୁତରାଂ ବ୍ରିଟିଶ ସରକାର ସମୟରୁ ନାମିତ ହୋଇଆସୁଥିବା ରାଜପଥ (କିଙ୍ଗ୍ସ୍ ୱେ) ଆଜି ଠାରୁ କର୍ତ୍ତବ୍ୟ ପଥ ଭାବେ ନୂଆ ପରିଚୟ ପାଇଛି । ତେବେ କର୍ତ୍ତବ୍ୟ ପଥର ଉଦ୍ଘାଟନ୍ ଏହା ପୂର୍ବରୁ ମୋଦି ଏଠାରେ ନୂଆକରି ସ୍ଥାପନ କରାଯାଇଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ୍ଙ୍କ ୨୮ ଫୁଟ୍ ଉଚ୍ଚ ଏବଂ କଳାମୁଗୁନି ପଥରେ ନିର୍ମିତ ଏହି ପ୍ରତିମାର ଲୋକାର୍ପଣ କରିଥିଲେ । ମୋଦି ଏହି ଅବସରରେ ନେତାଜୀଙ୍କୁ ଅଖଣ୍ଡ ଭାରତର ପ୍ରଧାନ ଭାବେ ଅଭିହିତ କରିଥିଲେ ।
ଏହି ଅବସରରେ ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, ଆଜିର ଦିନ ସମଗ୍ର ଭାରତବର୍ଷ ପାଇଁ ଏକ ସ୍ମରଣୀୟ ତଥା ଐତିହାସିକ ଦିନ । ଆଜିର ଦିନରେ ଦେଶର ବୀରପୁତ୍ର ନେତାଜୀଙ୍କ ବିଶାଳ ପ୍ରତିମୂର୍ତ୍ତିର ଅନାବତରଣ ଏବଂ କର୍ତ୍ତବ୍ୟପଥର ଶୁଭାରମ୍ଭ ସମଗ୍ର ଭାରତବାସୀଙ୍କୁ ଗୌରବାନ୍ୱିତ କରିଛି । ନେତାଜୀ ଅଖଣ୍ଡ ଭାରତ ବର୍ଷର ମୁଖିଆ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ତାଙ୍କର ଏପ୍ରକାର ବିଶାଳ ପ୍ରତିମା ସମଗ୍ର ଭାରତବର୍ଷକୁ ପ୍ରତିନିଧିତ୍ୱ କରିବ । କର୍ତ୍ତବ୍ୟ ପଥ ଭାବେ ନାମକରଣ ଦ୍ୱାରା ଦେଶକୁ ଆଉ ଏକ ବ୍ରିଟିଶ ଛାପରୁ ମୁକ୍ତି ମିଳିଛି ବୋଲି ମୋଦି କହିଛନ୍ତି । କର୍ତ୍ତବ୍ୟ ପଥ ଭାବେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । ଏହା ଆଗାମୀ ଭବିଷ୍ୟତ ପୀଢ଼ୀଙ୍କୁ ସଦାସର୍ବଦା ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ଅନୁପ୍ରେରିତ କରିବ । ସମଗ୍ର ଦେଶ ଆଜି ଆଜାଦୀ କା ଅମୃତ ମହୋତ୍ସବକୁ ଅତ୍ୟନ୍ତ ହର୍ଷୋଲ୍ଲାସର ସହ ପାଳନ କରୁଥିବା ବେଳେ ଉପନିବେଶବାଦର ଆଉ ଏକ ପ୍ରତୀକରୁ ମୁକ୍ତି ମିଳିଥିବାରୁ ସମସ୍ତ ଦେଶବାସୀଙ୍କୁ ମୋଦି ଶୁଭେଚ୍ଛା ଜଣାଇଛନ୍ତି । ମୋଦି କହିଛନ୍ତି, ଏହି ପରିବର୍ତ୍ତନ କେବଳ ପ୍ରତିମୂର୍ତ୍ତି ସ୍ଥାପନ କିମ୍ବା ନାମ ପରିବର୍ତ୍ତନ ମଧ୍ୟରେ ସୀମିତ ରହିବ ନାହିଁ । ଆମ ସଭିଙ୍କୁ ନୂଆ ଭାରତ ନିର୍ମାଣ ଦିଗରେ ଆଗେଇବାକୁ ହେବ ।
ଆଜିର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ପାଇଁ ଇଣ୍ଡିଆ ଗେଟ୍ ସମେତ ନବନିର୍ମିତ ସେଣ୍ଟ୍ରାଲ ଭିଷ୍ଟାକୁ ସଜ୍ଜିତ କରାଯାଇଥିଲା । ତେବେ ନେତାଜୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପଣ କାର୍ଯ୍ୟକ୍ରମରେ ନେତାଜୀଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଦେଖିବାକୁ ମିଳିନଥିଲା । କିନ୍ତୁ ନେତାଜୀଙ୍କ ଝିଅ ଅନୀତା ବୋଷ୍ କହିଛନ୍ତି, ସେ ଏବଂ ତାଙ୍କ ପରିବାରର ସମସ୍ତ ସଦସ୍ୟ ଭାରତ ସରକାରଙ୍କ ଏହି ନିଷ୍ପତ୍ତିରେ ବେଶ୍ ଖୁସି । ନେତାଜୀଙ୍କ ଏପ୍ରକାର ପ୍ରତିମୂର୍ତ୍ତିର ଅନାବରତରଣ ଦେଶର ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀ ବିଶେଷକରି ଇଣ୍ଡିଆନ୍ ନ୍ୟାସନାଲ ଆର୍ମି (ଆଇଏନ୍ଏ)ର ବୀର ସହିଦ୍ ଯବାନ୍ଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି । ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ କରିବାକୁ ସୁଯୋଗ ଦିଆଗଲେ ସେ ଭାରତ ଆସିବେ ଏବଂ ଇଣ୍ଡିଆ ଗେଟ୍ ଯାଇ ନିଜ ଦିବଂଗତ ବାପା (ନେତାଜୀ)ଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ବୋଲି ଅନୀତା କହିଛନ୍ତି । ମୋଦିଙ୍କୁ ଭେଟି ବାପାଙ୍କ ଚିତାଭସ୍ମ ଭାରତ ଆଣିବା ସମ୍ପର୍କରେ ସେ ଆଲୋଚନା କରିବେ ବୋଲି ଅନୀତା କହିଛନ୍ତି ।