ବ୍ଲାକ୍ ପାଗୋଡ଼ାରୁ ଖାଲି ହେବ ବାଲି

କୋଣାର୍କ, ୮ା୯(ଆପ୍ର): ବିଶ୍ୱ ଐତିହ୍ୟ ତଥା ୧୩ଶହ ଶତାବ୍ଦୀର ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ନିମିତ୍ତ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ବିଧିବଦ୍ଧ ନିଷ୍ପତ୍ତି ଗ୍ରହଣ କରିବା ସହିତ ତୁରନ୍ତ କାର୍ଯ୍ୟାରମ୍ଭ କରିଛି । ଦୀର୍ଘ ୧୧୯ ବର୍ଷ ପରେ ଗର୍ଭଗୃହ ଖୋଲିବା ନିମିତ୍ତ ଏଏସ୍ଆଇ ପକ୍ଷରୁ ନିଆଯାଇଥିବା ଐତିହାସିକ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ବାଲି କଢ଼ା ଯିବା ପୂର୍ବରୁ ଗୁରୁବାର ନୀତିନିୟମ ଅନୁଯାୟୀ ହୋମଯଜ୍ଞ କରାଯାଇଛି ।
ଗର୍ଭଗୃହରୁ ବାଲି କାଢି ସର୍ବସାଧାରଣଙ୍କୁ ଦର୍ଶନର ସୁଯୋଗ ପ୍ରଦାନ ଦାବିରେ କୋଣାର୍କ ସୁରକ୍ଷା ସମିତି ସଭାପତି ବାଦଲ ଦାଶଙ୍କ ଆନେ୍ଦାଳନ ଓ ଜଣେ ବରିଷ୍ଠ ଆଇନଜୀବୀଙ୍କ ପକ୍ଷରୁ ଦାଏର ପିଆଇଏଲ୍ ପରିପ୍ରେକ୍ଷୀରେ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍କ୍ୟୁରି ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ବାଲି କଢାଯିବା ସପକ୍ଷରେ ମତ ଦେଇଥିଲେ । ସଂସଦୀୟ କମିଟି ମଧ୍ୟ ଅନୁରୂପ ପରାମର୍ଶ ଦେଇଥିଲେ । ଏଏସ୍ଆଇ ପକ୍ଷରୁ ଦୁଇବର୍ଷ ହେବ ବିଭିନ୍ନ ସମୟରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଇଞ୍ଜିନୟରଙ୍କ ଦ୍ୱାରା ସର୍ଭେ କରାଯାଇ ଭଲମନ୍ଦ ଦିଗ ଉପରେ ଅନୁଧ୍ୟାନ କରାଯାଇଥିଲା । ସେହିପରି ଜଗମୋହନକୁ କଣା କରାଯାଇ ଲେଜର କ୍ୟାମେରା ମାଧ୍ୟମରେ ଗର୍ଭଗୃହକୁ ଅନୁଧ୍ୟାନ କରାଯାଇଥିଲା । ଆଜି ସକାଳେ ଏଏସ୍ଆଇ ଅଧିକାରୀମାନେ ଉତ୍ତର ଦ୍ୱାର ନିକଟରେ ବାସ୍ତୁ ପୂଜା ସହିତ ହୋମଯଜ୍ଞ କରିଥିଲେ । ପୂଜାର୍ଚ୍ଚନାରେ ଏଏସ୍ଆଇ ଓଡ଼ିଶା ସର୍କଲ ସୁପେରିଣ୍ଟେଣ୍ଡେଣ୍ଟ ଅରୁଣ କୁମାର ମଲ୍ଲିକ କର୍ତ୍ତା ହୋଇଥିଲେ । ଏଏସ୍ଆଇର ସ୍ଥାନୀୟ ଅଧିକାରୀ ନିରୋଜ ସିଂହ, ଡେପୁଟିସୁପରିଣ୍ଟେଣ୍ଡେଣ୍ଟ ଚିତ୍ତରଞ୍ଜନ ଦାସ, ବାଲି କାଢ଼ିବା ଦାୟିତ୍ୱରେ ଥିବା ବରିଷ୍ଠ ଇଞ୍ଜିନୟର ଓ ଆର୍କିର୍ଟେକ୍ ଡିଜାଇନର ଲୋକନାଥ ବେହେରା, ସହାୟକ ଅଧିକାରୀ ଅରୁଣିମା ପତି, ସହାୟକ ସୁପରିଣ୍ଟେଣ୍ଡେଣ୍ଟ ଭାଗବତ ଗଡତିୟା, ସଂଗ୍ରହାଳୟ ଅଧିକାରୀ ପ୍ରତାପ କୁମାର ନାୟକ ପ୍ରମୁଖ ସାମିଲ ହୋଇଥିଲେ । ହୋମ ସରିବାପରେ ଶ୍ରୀ ମଲ୍ଲିକ ନଡ଼ିଆ ବାଡେଇ କାମ ଅନୁକୂଳ କରିଥିଲେ । ଏହାପରେ ଇଞ୍ଜିନୟରମାନେ ପଥର କାଟିଥିଲେ ।
ଉନ୍ନତ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଅତ୍ୟାଧୁନିକ ଲିଫ୍ଟ ମାଧ୍ୟମରେ ଗର୍ଭଗୃହରୁ ବାଲି କଢ଼ାଯିବ । ବାଲିଗୁଡିÿକ ପର୍ଯ୍ୟାୟକ୍ରମେ ସ୍ଥାନାନ୍ତର କରାଯିବ । ପ୍ରଥମେ ଜଗମୋହନ ଉପରି ଭାଗ ପଶ୍ଚିମ ଦିଗରେ ପଥର କଟାଯାଇ ଟନେଲ କରାଯିବ । ଏହି ବାଟରେ ଗର୍ଭଗୃହରୁ ଲିଫ୍ଟ ଦ୍ୱାରା ବାଲି କଢ଼ାଯିବ । ଇଞ୍ଜିନୟର ଶ୍ରୀ ବେହେରାଙ୍କ ତତ୍ତ୍ୱାବଧାନରେ ବିଡ଼ିଆର ନିର୍ମାଣ କମ୍ପାନୀଦ୍ୱାରା ସ୍ୱତନ୍ତ୍ର ଭାବେ ଧାତୁ ନିର୍ମିତ ପ୍ଲାଟଫର୍ମଗୁଡିକୁ ଲଗାଇ ଜଗମୋହନକୁ ସୁରକ୍ଷିତ ରଖାଯିବ । ବାଲି କଢ଼ାଯିବା ସହିତ ଆନୁସଙ୍ଗିକ କାମ ଶେଷ ହେବା ପାଇଁ ପ୍ରାୟ ୩ ବର୍ଷ ଲାଗିବ ବୋଲି ଅଧୀକ୍ଷକ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।
ସୂର୍ଯ୍ୟମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ ଇଂରେଜମାନେ ୧୯୦୩ରୁ ୧୯୦୯ ମସିହା ମଧ୍ୟରେ ଗର୍ଭଗୃହରେ ବାଲି ଭର୍ତ୍ତି କରାଯାଇ ପ୍ରବେଶ ପଥଗୁଡିକୁ ବନ୍ଦ କରାଯାଇଥିଲା । ଏପର୍ଯ୍ୟନ୍ତ ଏହା ବାଲି ଭର୍ତ୍ତି ହୋଇ ରହିଛି । ଏବେ ବାଲି କଢ଼ା କାମ ଆରମ୍ଭ ହେବାରୁ ସାଧାରଣରରେ ଖୁଓୀର ଲହରି ଖେଳିଯାଇଛି । କୋଣାର୍କ ବ୍ୟବସାୟୀ ମହାସଂଘ ସଭାପତି ସୁବାସ ନାୟକ ଏବଂ ଅନ୍ୟମାନେ ଏହାକୁ ସ୍ୱାଗତ କରିଛନ୍ତିି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *