ଯୁବକଙ୍କୁ ଦଳିଲା, ଭଙ୍ଗାରୁଜା କଲା
ହାଟରେ ଦନ୍ତାର ଉନ୍ମତ୍ତ କାଣ୍ଡ
ବୈଶିଙ୍ଗା, ୮ା୯ (ଆପ୍ର): ବୈଶିଙ୍ଗା ଥାନା ଆମ୍ବଗଡ଼ିଆ ସାପ୍ତାହିକ ହାଟରେ ଏକ ଦନ୍ତାହାତୀ ଉନ୍ମତ୍ତକାଣ୍ଡ ଘଟାଇଛି । ଗୁରୁବାର ଅପରାହ୍ଣରେ ହାଟ ଚାଲିଥିବା ସମୟରେ ଏକ ଦନ୍ତାହାତୀ ହାଟ ଭିତରକୁ ପଶି ଆସିଥିଲା । ଅଚାନକ ଏକ ବିଶାଳକାୟ ହାତୀକୁ ଦେଖି ବ୍ୟବସାୟୀ ଓ ଗ୍ରାହକ ଜୀବନ ବିକଳରେ ଦୌଡ଼ି ପଳାଇଥିଲେ । ଦନ୍ତା ହାଟ ଭିତରେ ବୁଲି ବୁଲି ପନିପରିବା ଖାଇବା ସହିତ ଦଳିମନ୍ଥି ଛିନ୍ଛତର କରିଦେଇଥିଲା । ସେହିପରି ହାଟ ଚାଳିଗୁଡ଼ିକୁ ଭାଙ୍ଗି ଦେଇଥିଲା । ହାତୀ ଭୟରେ ସଂପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ସ୍ଥାନୀୟ ଲୋକେ ବେତନଟୀ ରେଞ୍ଜରଙ୍କୁ ବାରମ୍ବାର ଫୋନ କରିଥିଲେ । ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ବନବିଭାଗ ପକ୍ଷରୁ କାହାରି ଦେଖା ମିଳି ନ ଥିଲା ।
ହାଟରେ ଭଙ୍ଗାରୁଜା କରି ଆମ୍ବଗଡିଆ-ବୈଶିଙ୍ଗା ମୁଖ୍ୟ ରାସ୍ତା ଉପରେ ମଧ୍ୟ ଉପଦ୍ରବ କରିଥିଲା । ସେହି ସମୟରେ ଅମ୍ବଗଡ଼ିଆ ଶିମିଳିସାହିର ଶିବା ସିଂହଙ୍କ ପୁଅ ବିଶୁ (୩୨) ଗ୍ରାମର ଆଉଜଣେ ବ୍ୟକ୍ତିଙ୍କ ସହିତ ବାଇକ୍ରେ ହାଟରୁ ପରିବା କିଣି ଫେରୁଥିବା ହାତୀ ହାବୁଡ଼ରେ ପଡ଼ିଥିଲେ । ବିଶୁ ହାତୀ ପାଶ୍ୱର୍ ଦେଇ ରାସ୍ତା ଅତିକ୍ରମ କରିବାକୁ ପ୍ରୟାସ କରିଥିଲେ । ହାତୀ ବୁଲି ପଡି ଶୁଣ୍ଢରେ ତାଙ୍କୁ ଟେକି ନେଇ ବାରମ୍ବାର କଚାଡ଼ି ଥିଲା । ବିଶୁଙ୍କ ସହିତ ଥିବା ବ୍ୟକ୍ତିି ଜଣକ ଦୌଡ଼ି ପଳାଇଥିଲେ । ବିଶୁଙ୍କୁ ହାତୀ କଚାଡ଼ି ମାରିବାର ଭୟାନକ ଦୃଶ୍ୟ ଶତାଧିକ ଲୋକ ଦେଖୁଥିଲେ ମଧ୍ୟ ନିରୁପାୟ ଥିଲେ । ହାତୀ ପଳାଇଯିବା ପରେ ଲୋକେ ବିଶୁକୁ ସଙ୍କଟାପନ୍ନ ଅବସ୍ଥାରେ ବୈଶିଙ୍ଗା ଡାକ୍ତରଖାନାକୁ ନେଇଥିଲେ । ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ବିଜେଡି ଯୁବ ସଂଗଠକ ଲଲାଟେନ୍ଦୁ ବେହେରା ବିଶୁର ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନରେ ସହଯୋଗ କରିବେ ବୋଲି ପ୍ରତିଶ୍ୁତି ଦେଇଛନ୍ତି । ବୈଶିଙ୍ଗା ପୁଲିସ ଶବ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ।