ମୁଁ କ’ଣ ସେମାନଙ୍କ ଚାକରାଣୀ?
ନେତାଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ: ନିମନ୍ତ୍ରଣ ପ୍ରକ୍ରିୟା ନେଇ ବର୍ଷିଲେ ମମତା
କୋଲକାତା (ଏଜେନ୍ସି): ତୃଣମୂଳ କଂଗ୍ରେସ (ଟିଏମ୍ସି) ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସରକାରକୁ ପୁନଃ ଟାର୍ଗେଟ୍ କରିଛନ୍ତି । କୋଲକାତା ଠାରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ମମତା ମୋଦି ଏବଂ କେନ୍ଦ୍ର ସରକାର ବିରୋଧରେ ବିଷୋଦ୍ଗାର କରିଛନ୍ତି ।
ପ୍ରକାଶ, ନୂଆଦିଲ୍ଲୀ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍ଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କାର୍ଯ୍ୟକ୍ରମ ପାଇଁ ମମତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିମନ୍ତ୍ରଣ କରାଯାଇଥିବା ବେଳେ ନିମନ୍ତ୍ରଣ ପ୍ରକ୍ରିୟାକୁ ନେଇ ମମତା ଏଥର ରୌଦ୍ରରୂପ ଧାରଣ କରିଛନ୍ତି । ମମତା କହିଛନ୍ତି, ସଂସ୍କୃତି ମନ୍ତ୍ରଣାଳୟର ଜଣେ ଅନୁଶାସନ ସଚିବଙ୍କ ଦ୍ୱାରା କରାଯାଇଥିବା ନିମନ୍ତ୍ରଣ ପତ୍ରରେ ‘ପ୍ରଧାନମନ୍ତ୍ରୀ ଗୁରୁବାର ସନ୍ଧ୍ୟା ୭ଟାରେ ନେତାଜୀଙ୍କ ପ୍ରତିମୂର୍ତ୍ତିର ଉନ୍ମୋଚନ କରିବେ । ସନ୍ଧ୍ୟା ୬ଟା ସୁୂଦ୍ଧା ଆପଣଙ୍କୁ କାର୍ଯ୍ୟକ୍ରମ ସ୍ଥଳୀରେ ଉପସ୍ଥିତ ରହିବାକୁ ହେବ’ ବୋଲି ଉଲ୍ଲେଖ କରାଯାଇଥିଲା । ଏପ୍ରକାର ନିମନ୍ତ୍ରଣ ପ୍ରକ୍ରିୟା ନେଇ ସେ (ମମତା) ନିଜକୁ ଅପମାନିତ ବୋଧ କରୁଛନ୍ତି । ସେ କେନ୍ଦ୍ର ସରକାରଙ୍କ ଚାକର ନୁହଁନ୍ତି ଯେ, ଏଭଳି ନିମନ୍ତ୍ରଣରେ ସେ କାର୍ଯ୍ୟକ୍ରମରେ ସାମିଲ ହେବେ । ଜଣେ ଅନୁଶାସନ ସଚିବ, ଏକ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ କିପରି ଚିଠି ଲେଖି କେନ୍ଦ୍ରୀୟ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିପାରିବେ? ଏଥିପାଇଁ ସେ କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ବୋଲି ମମତା କହିଛନ୍ତି । ତେବେ ସେ ସେହି କୋଲକାତା ଠାରେ ଥିବା ନେତାଜୀଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବା ମମତା କହିଛନ୍ତି ।
ଏହି ଅବସରରେ ମମତା ୨ଠ୨୪ରେ ‘ଖେଲା ହୋବେ’ର ନାରା ଦେଇଛନ୍ତି । ମମତା କହିଛନ୍ତି, ୨ଠ୨୪ ନିର୍ବାଚନ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ସମାଜବାଦୀ ପାର୍ଟି (ଏସ୍ପି) ନେତା ଅଖିଳେଶ ଯାଦବଙ୍କ ସମେତ ଅନେକ ଛୋଟବଡ ଆଞ୍ଚଳିକ ଦଳଙ୍କ ସହ ମିଶି ଲଢ଼ାଯିବ । ବିଜେପିର ଅହଂକାର ବିରୋଧରେ ଏହି ଲଢ଼େଇ ହେବ ଏବଂ ଏଥିପାଇଁ ସବୁ ବିରୋଧୀ ଏକଜୁଟ୍ ହେବେ । ଅନ୍ୟପକ୍ଷେ ମମତା କଂଗ୍ରେସର ନାମ ଉଚ୍ଚାରଣ ନକରିବାରୁ ଏହାକୁ ନେଇ ଏକ ଭିନ୍ନ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି ।
ଏସବୁ ମଧ୍ୟରେ ମମତା କେନ୍ଦ୍ର ବିରୋଧରେ ଆଉ ଏକ ସଂଗୀନ ଅଭିଯୋଗ ମଧ୍ୟ ଆଣିଛନ୍ତି । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଭାରତ ଗସ୍ତରେ ଆସିଥିବା ବେଳେ ହସିନାଙ୍କୁ ପଶ୍ଚିମବଙ୍ଗ ଆସିବାକୁ ଦିଆଯାଇନଥିଲା ବୋଲି ମମତା ଅଭିଯୋଗ କରିଛନ୍ତି । ତେବେ କେନ୍ଦ୍ର ପକ୍ଷରୁ ଏପ୍ରକାର ଅଭିଯୋଗକୁ ଖଣ୍ଡନ କରାଯାଇଛି । ଏପ୍ରକାର କୌଣସି କାର୍ଯ୍ୟକ୍ରମ ନଥିବା କେନ୍ଦ୍ର ସଫେଇ ଦେଇଛି ।