ଅନ୍ଲାଇନ୍ ବୁକିଂରେ ଦେବଦର୍ଶନ

କର୍ଣ୍ଣାଟକ, ତାମିଲନାଡ଼ୁ ପରେ ଏବେ ଓଡ଼ିଶାରେ
ଭୁବନେଶ୍ୱର, ୮ା୯ (ବୁ୍ୟରୋ): ଏଣିକି ଓଡ଼ିଶାରେ ମଧ୍ୟ ଅନ୍ଲାଇନ୍ରେ ଦେବାଳୟ ଦର୍ଶନ କରିବେ ଶ୍ରଦ୍ଧାଳୁ । କର୍ଣ୍ଣାଟକ ଓ ତାମିଲନାଡୁ ଭଳି ଓଡ଼ିଶାରେ ମଧ୍ୟ ଇଣ୍ଟିଗ୍ରେଟେଡ୍ ଟେମ୍ପଲ୍ ମ୍ୟାନେଜମେଣ୍ଟ ସିଷ୍ଟମ ଆରମ୍ଭ ହେବ । ଏହାଦ୍ୱାରା ଶ୍ରଦ୍ଧାଳୁ ଅନ୍ଲାଇନ୍ରେ ଦେବାଳୟ ଦର୍ଶନ କରିପାରିବେ । ଏହାସହ ପୂଜା ଓ ପ୍ରସାଦ ସେବନ ସୁବିଧା ମଧ୍ୟ ପାଇପାରିବେ ବୋଲି ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି । ଦୁଇ ଦୁଇଥର ବିଭିନ୍ନ ପଦାଧିକାରୀଙ୍କ ସହ ବୈଠକ ପରେ ଏନେଇ ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି । ହିନ୍ଦୁ ଧର୍ମର ଭାବାବେଗ ଆଘାତ ନ ହେବା ଭଳି ଏକ ୱେବ୍ ପୋର୍ଟାଲ ପ୍ରସ୍ତୁତ କରାଯିବ । ଏହି ୱେବ୍ ପୋର୍ଟାଲ ମାଧ୍ୟମରେ ବିଭିନ୍ନ ମନ୍ଦିରରେ ହେଉଥିବା କାର୍ଯ୍ୟକ୍ରମ, ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର କେଉଁ ସମୟରେ ଖୋଲୁଛି ଓ ବନ୍ଦ ହେଉଛି, ମନ୍ଦିରରେ ହେଉଥିବା ବିଭିନ୍ନ ପ୍ରକାରର ସେବା ସମ୍ପର୍କରେ ଶ୍ରଦ୍ଧାଳୁ ତଥ୍ୟ ପାଇପାରିବେ । ଏହାସହ ଯେଉଁ ମନ୍ଦିରକୁ ଚାହିଁବେ ସେହି ମନ୍ଦିରକୁ ଦାନ ମଧ୍ୟ କରିପାରିବେ । ମନ୍ଦିର ଗୁଡ଼ିକର ଜମା ଖାତା ସରକାରୀ ବ୍ୟାଙ୍କରେ ରହିବ । ହେଲେ ଅନଲାଇନ୍ ପେମେଣ୍ଟ ପାଇଁ ପେମେଣ୍ଟ ଗେଟ୍ୱେ ଏଚ୍ଡିଏଫ୍ସି ବ୍ୟାଙ୍କର ରହିବ ବୋଲି ନିଷ୍ପତ୍ତି ହୋଇଛି ।
ଶ୍ରୀଲିଙ୍ଗରାଜ ମନ୍ଦିରରେ ଲାଗୁ ହେବ ଅନଲାଇନ୍ ସମନ୍ୱିତି ମନ୍ଦିର ପରିଚାଳନା ବ୍ୟବସ୍ଥା ବା ଆଇଟିଏମଏସ । ଏଣିକି ଭକ୍ତ ଦର୍ଶନ, ପୂଜା କିମ୍ବା ପ୍ରସାଦ ପାଇଁ ଅନଲାଇନରେ ବୁକିଂ କରିପାରିବେ । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆଇନ ବିଭାଗ ଏବଂ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ମିଳିତ ଭାବେ ଏହି ଅନଲାଇନ୍ ବ୍ୟବସ୍ଥା ଲାଗୁ କରିବେ । ଅନଲାଇନ୍ ବ୍ୟବସ୍ଥାରେ ମନ୍ଦିରର ଐତିହ୍ୟ ଓ ସଂସ୍କୃତି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯିବ । ଏନ୍ଆଇସି ଏହି ଆଇଟିଏମଏସ ବ୍ୟବସ୍ଥାର ଡିଜାଇନ ପ୍ରସ୍ତୁତ କରିବ । ଧାର୍ମୀୟ ଭାବନାକୁ ସମ୍ମାନ ଦେଇ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ପ୍ରକାଶ ପାଇଛି ।
ମିଳିଥିବା ସୂଚନା ମୂତାବକ, ଓଡିଶାର ପ୍ରସିଦ୍ଧ ମନ୍ଦିରଗୁଡିକରେ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁମାନେ କେମିତି ସୁରୁଖୁରରେ ଦର୍ଶନ କରିପାରିବେ ସେଥିପାଇଁ ଅନଲାଇନରେ ଟିକେଟ ମିଳିବ । ମନ୍ଦିରରେ ଠାକୁର ଦର୍ଶନ, ପୂଜା ଓ ପ୍ରସାଦ ସେବନ ପାଇଁ ଏହି ପୋର୍ଟାଲ ଜରିଆରେ ଟିକେଟ କରି ହେବ । ପୋର୍ଟାଲରେ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାର ବିକଳ୍ପ ରହିବ । ଏନେଇ ଆଇନ୍ ବିଭାଗ ପକ୍ଷରୁ ଦେବୋତର କମିଶନଙ୍କୁ ଚିଠି ଲେଖାଯାଇଛି ।
ଆଇନ ବିଭାଗ, ସଂସ୍କୃତି ବିଭାଗ, ଦେବୋତ୍ତର କମିଶନ, ଏଏସଆଇ ପକ୍ଷରୁ ବୈଠକ ପରେ ଅନଲାଇନ ଟିକେଟ ଦର୍ଶନ ନେଇ ଏକ ନକ୍ସା ପ୍ରସ୍ତୁତ କରାଯାଇଛି । କେଉଁ ମନ୍ଦିରରେ ଏହି ନିୟମ ଲାଗୁ କରାଯିବ ସେନେଇ ଖୁବଶୀଘ୍ର ଏକ ତାଲିକା ପ୍ରସ୍ତୁତ କରି ଦେବୋତ୍ତର କମିଶନ ସରକାରଙ୍କୁ ଦେବେ ।
ପ୍ରଥମ ପର୍ଯ୍ୟାୟରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଘଟଗାଁ ତାରିଣୀ, ଆରଡିର ଆଖଣ୍ଡଳମଣି ମନ୍ଦିରକୁ ସାମିଲ କରାଯାଇପାରେ । ଦେଶବିଦେଶର ଭକ୍ତମାନେ ଏହିସବୁ ମନ୍ଦିରରେ ଦର୍ଶନ ପାଇଁ ସ୍ୱତନ୍ତ୍ର ପୋର୍ଟାଲ ଜରିଆରେ ଟିକେଟ୍ କରିପାରିବେ । ରାଜ୍ୟରେ ବର୍ଷକୁ ୨୦ଲକ୍ଷରୁ ଅଧିକ ରାଜସ୍ୱ ସଂଗ୍ରହ କରୁଥିବା ମନ୍ଦିର ଗୁଡିକୁ ଏଥିରେ ସାମିଲ କରାଯିବ । ୧୫୦ ମନ୍ଦିରକୁ ପର୍ଯ୍ୟାୟକ୍ରମେ ଏହି ପୋର୍ଟାଲରେ ସ୍ଥାନିତ କରାଯିବ । ପ୍ରଥମ ପର୍ଯ୍ୟାୟରେ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରକୁ ଏଥିରେ ସାମିଲ କରାଯିବନାହିଁ । ସରକାରଙ୍କ ଏହି ନିଷ୍ପତିକୁ ମନ୍ଦିର ଟ୍ରଷ୍ଟ ଓ ସମ୍ପୃକ୍ତ ମନ୍ଦିରର ସେବାୟତ କିଭଳି ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ରହିଥିବାବେଳେ ଅନଲାଇନରେ ଯେଉଁମାନେ ଟିକେଟ ନକରିବେ, ସେମାନେ ପୂର୍ବଭଳି ଧାଡିରେ ଯାଇ ଦର୍ଶନ କରିପାରିବେ । ପୂଜା ଓ ପ୍ରସାଦ ସେବନ ନିଜ ଇଛାରେ କରିପାରିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *