ଶେଷ ମ୍ୟାଚ୍ରେ ଭାରତର ଶକ୍ତି ପ୍ରଦର୍ଶନ

ଏସିଆ କପ୍ ସୁପର୍-୪
ଦୁବାଇ, ୮ା୯ (ଏଜେନ୍ସି): ୧୦୨୦ ଦିନ ପରେ ଆନ୍ତର୍ଜାତିକ ଶତକ ଲଗାଇଛନ୍ତି ବିରାଟ କୋହଲି, ଆଉ ଏସିଆ କପ୍ରେ ଔପଚାରିକ ହୋଇ ରହିଯାଇଥିବା ଆଫଗାନିସ୍ତାନ ବିପକ୍ଷ ନିଜ ଶେଷ ମ୍ୟାଚ୍ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଶକ୍ତି ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ଭାରତୀୟ ଟିମ୍ ୨୧୩ ରନ୍ର ବିଶାଳ ବିଜୟଲକ୍ଷ୍ୟ ଦେଇଥିବା ବେଳେ ମୁଖ୍ୟ ପେସର୍ ଭୁବନେଶ୍ୱର କୁମାରଙ୍କ ଘାତକ ବୋଲିଂ ବଳରେ ୧୦୧ ରନ୍ର ବଡ଼ ବ୍ୟବଧାନରେ ପରାଜିତ ହୋଇଛି ଆଫଗାନିସ୍ତାନ । ବିଜୟ ସହ ଶେଷ ହୋଇଛି ଭାରତର ଅଭିଯାନ । ବିରାଟ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଉଭୟ ଭାରତ ଓ ଆଫଗାନିସ୍ତାନ ଟିମ୍ ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିସାରିଛନ୍ତି । ଉଭୟଙ୍କ ପାଇଁ ଏହା ଶେଷ ମ୍ୟାଚ୍ ଥିଲା । ବୁଧବାର ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ମ୍ୟାଚ୍ ଖେଳିଥିବା ଆଫଗାନିସ୍ତାନ ଆଜି ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ଟିମ୍ର ବୋଲର୍ ଓ ବ୍ୟାଟର୍ ନିରାଶ କରିଥିଲେ । ଟି-୨୦ ଆନ୍ତର୍ଜାତିକରେ ଆଫଗାନିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ଏହା କ୍ରମାଗତ ଚତୁର୍ଥ ବିଜୟ ।
ପଣ୍ଟିଂଙ୍କ ସମକକ୍ଷ ହେଲେ କୋହଲି
ବିରାଟ ଓ ଭୁବନେଶ୍ୱର ମ୍ୟାଚ୍ର ମୁଖ୍ୟ ଆକର୍ଷଣ ଥିଲେ । ବିରାଟଙ୍କ ଶତକୀୟ ମରୁଡ଼ି ତିନି ବର୍ଷରୁ ଊଦ୍ଧ୍ୱର୍ କାଳ ପରେ ଶେଷ ହୋଇଥିଲା । ସେ ୬୧ ବଲ୍ରୁ ଅପରାଜିତ ୧୨୨ ରନ୍ର ଇନିଂସ୍ ଖେଳିଥିଲେ । ସେ ମାତ୍ର ୫୩ ବଲ୍ରୁ ଟି-୨୦ ଆନ୍ତର୍ଜାତିକ କ୍ୟାରିଅରର ପ୍ରଥମ ଶତକ ପୂରଣ କରିଥିଲେ । ପୂର୍ବତନ ଅଧିନାୟକ ଶେଷ ଥର ୨୦୧୯ ନଭେମ୍ବର ୨୩ରେ କୋଲକାତା ଟେଷ୍ଟରେ ନିଜ କ୍ୟାରିଅରର ଶତକ ଲଗାଇଥିଲେ ।
ସର୍ବାଧିକ ଶତକ ମାରିବାରେ ବିରାଟ (୭୧ତମ ଆନ୍ତର୍ଜାତିକ ଶତକ) ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ସମକକ୍ଷ ହୋଇଛନ୍ତି । ଏହି ତାଲିକାରେ କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକର (୧୦୦ ଶତକ) ସର୍ବାଗ୍ରେ ଅଛନ୍ତି ।
ଓପନିଂ ୱିକେଟ୍ରେ ୧୧୯ ଭାଗୀଦାରୀ
ଆଫଗାନିସ୍ତାନ ଟିମ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ଟିମ୍ରେ ତିନିଟି ପରିବର୍ତ୍ତନ କରାଯାଇଥିଲା । ଦୀପକ ଚାହର, ଦିନେଶ କାର୍ତ୍ତିକ ଓ ଅକ୍ଷର ପଟେଲ୍ଙ୍କୁ ଟିମ୍ରେ ସ୍ଥାନ ପାଇଥିଲେ । ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିଲା, ଯାହା ଫଳରେ ଲୋକେଶ ରାହୁଲ ଟିମ୍ର ନେତୃତ୍ୱ ନେଇଥିଲେ ।
ରାହୁଲଙ୍କ ସହ କୋହଲି ଇନିଂସ୍ ଓପନ୍ କରିଥିଲେ । ଉଭୟ ଦୃଢ଼ତାର ସହ ଖେଳ ଆରମ୍ଭ କରି ଇନିଂସ୍କୁ ଅନାୟାସରେ ଆଗେଇ ନେଇଥିଲେ । ୬୮ ବଲ୍ରେ ଇନିଂସ୍ ୧୦୦ ଛୁଇଁଥିଲା । ବିରାଟ ୩୨ ବଲ୍ରୁ ଓ ଏହାପରେ ରାହୁଲ ୩୬ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ।
୧୩ତମ ଓଭର୍ରେ ଫରୀଦ ଅହମ୍ମଦ ଏହି ଯୋଡ଼ି ଭାଙ୍ଗିଥିଲେ । ରାହୁଲ ୪୧ ବଲ୍ରୁ ୬୨ ରନ୍ କରି ଆଉଟ୍ ହୋଇଥିଲେ । ତାଙ୍କ ଇନିଂସ୍ରେ ୬ ଚୌକା ଓ ୨ ଛକା ରହିଥିଲା । ପ୍ରଥମ ୱିକେଟ୍ ପାଇଁ ୧୧୯ ରନ୍ର ଭାଗୀଦାରୀ ହୋଇଥିଲା ।
ଏହାପରେ କ୍ରିଜ୍ରେ ଯୋଗ ଦେଇଥିବା ସୂର୍ଯ୍ୟକୁମାର ଯାଦବ ମାତ୍ର ୬ ରନ୍ କରି ଫରୀଦଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଅନ୍ୟପଟେ, ବିରାଟଙ୍କ ଦମ୍ଦାର ପ୍ରଦର୍ଶନ ଜାରି ରହିଥିଲା । ସେ ନୂଆ ବ୍ୟାଟର୍ ରିଷଭ ପନ୍ତଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ଉଭୟଙ୍କ ପ୍ରୟାସରେ ଇନିଂସ୍ ୨୦୦ ଅତିକ୍ରମ କରିଥିଲା । ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୨ ୱିକେଟ୍ ହରାଇ ୨୧୨ ରନ୍ ସଂଗ୍ରହ କରିଥିଲା । ବିରାଟ ୬୧ ବଲ୍ରେ ୧୨୨ (୧୨ ଚୌକା ଓ ୬ ଛକା ସହାୟତାରେ) ଏବଂ ପନ୍ତ ୨୦ ରନ୍ କରି ଅପରାଜିତ ଥିଲେ ।
ଆଫଗାନିସ୍ତାନ ୧୧୧ରେ ସୀମିତ
ଜବାବରେ ଆଫଗାନିସ୍ତାନ ଟିମ୍ ଧାର୍ଯ୍ୟ ଓଭର୍ରେ ୮ ୱିକେଟ୍ ହରାଇ ୧୧୧ ରନ୍ କରିବାକୁ ସମର୍ଥ ହୋଇଥିଲା । ଇବ୍ରାହିମ୍ ଜଦରାନଙ୍କ ଛଡ଼ା ଆଉ କାହା ପ୍ରଦର୍ଶନ ଆଶାଜନକ ନ ଥିଲା । ଇବ୍ରାହିମ୍ ୬୪ ଓ ଫରୀଦ ୧ ରନ୍ କରି ଅପରାଜିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଜୀବ ଉର୍ ରହମାନ ୧୮ ଓ ରଶିଦ୍ ଖାଁ ୧୫ ରନ୍ କରିଥିଲେ । ମାତ୍ର ୨୧ ରନ୍ ମଧ୍ୟରେ ଟିମ୍ ୬ ୱିକେଟ୍ ହରାଇଥିଲା ।
ଭାରତ ପକ୍ଷରୁ ଭୁବନେଶ୍ୱର ୪ ରନ୍ ଦେଇ ସର୍ବାଧିକ ୫ ୱିକେଟ୍ ଅକ୍ତିଆର କରିଥିଲେ । ଅର୍ଶଦୀପ ସିଂହ, ରବିଚନ୍ଦ୍ରନ୍ ଅଶ୍ୱିନ ଓ ଦୀପକ ହୁଡ଼ା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *