ଅଷ୍ଟ୍ରେଲିଆ ଓ ନୁ୍ୟଜିଲାଣ୍ଡକୁ ଭେଟିବ ଭାରତ
ଟି-୨୦ ବିଶ୍ୱକପ୍ ୱାର୍ମଅପ୍ କାର୍ଯ୍ୟସୂଚୀ ଜାରି
ସିଡ୍ନୀ, ୮ା୯ (ଏଜେନ୍ସି): ଟିମ୍ ଇଣ୍ଡିଆ ଅକ୍ଟୋବର ୧୭ ଓ ୧୯ରେ ଆଇସିସି ଟି-୨୦ ବିଶ୍ୱକପ୍ ୱାର୍ମଅପ୍ ମ୍ୟାଚ୍ରେ ଯଥାକ୍ରମେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ନୁ୍ୟଜିଲାଣ୍ଡକୁ ଭେଟିବ । ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ବ୍ରିସ୍ବେନ୍ର ଗାବା ଠାରେ ଉଭୟ ୱାର୍ମଅପ୍ ମ୍ୟାଚ୍ ଖେଳିବ ।
ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ୧୬ ଟିମ୍କୁ ନେଇ ଖେଳାଯିବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଗୁରୁବାର ୱାର୍ମଅପ୍ କାର୍ଯ୍ୟସୂଚୀ ଜାରି କରିଛି । ମେଲ୍ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ୍ ଅକ୍ଟୋବର ୧୦-୧୩ ଯାଏଁ ପ୍ରଥମ ରାଉଣ୍ଡ୍ ଟିମ୍ଗୁଡ଼ିକର ଅଭ୍ୟାସ ମ୍ୟାଚ୍ ହେବ । ବ୍ରିସ୍ବେନ୍ର ଗାବା ଓ ଆଲାନ୍ ବର୍ଡର ଗ୍ରାଉଣ୍ଡ୍ରେ ସୁପର୍-୧୨ ପର୍ଯ୍ୟାୟରେ ଟିମ୍ ଅକ୍ଟୋବର ୧୭-୧୯ ଯାଏଁ ଅଭ୍ୟାସ ମ୍ୟାଚ୍ ଖେଳିବେ ।
ପ୍ରଥମ ୱାର୍ମଅପ୍ ମ୍ୟାଚ୍ରେ ଦୁଇ ଥର ବିଜେତା ୱେଷ୍ଟଇଣ୍ଡିଜ୍ (୨୦୧୨ ଓ ୨୦୧୬) ଅକ୍ଟୋବର ୧୦ରେ ଜଙ୍କ୍ସନ୍ ଓଭାଲ୍ ଠାରେ ୟୁନାଇଟେଡ୍ ଆରବ ଏମିରେଟ୍ସକୁ ଭେଟିବ । ପ୍ରଥମ ରାଉଣ୍ଡର ପ୍ରତି ଟିମ୍ ଦୁଇଟି ୱାର୍ମଅପ୍ ମ୍ୟାଚ୍ ଖେଳିବେ ।
୨୦୦୯ ବିଜେତା ପାକିସ୍ତାନ ଓ ୨୦୧୦ ବିଜେତା ଇଂଲଣ୍ଡ ଅକ୍ଟୋବର ୧୮ରେ ଗାବା ଠାରେ ମୁକାବିଲା କରିବେ । ୨୦୧୪ରେ ଟି-୨୦ ବିଶ୍ୱକପ୍ ଜିତିଥିବା ଶ୍ରୀଲଙ୍କା ଏମ୍ସିସି ଠାରେ ଦୁଇଟି ୱାର୍ମଅପ୍ ମ୍ୟାଚ୍ ଅକ୍ଟୋବର ୧୦ ଓ ୧୩ରେ ଯଥାକ୍ରମେ ଜିମ୍ବାୱେ ଓ ଆୟରଲାଣ୍ଡ ବିପକ୍ଷରେ ଖେଳିବ ।
ଆଇସିସି ପକ୍ଷରୁ କୁହାଯାଇଛି ଯେ ୱାର୍ମଅପ୍ ମ୍ୟାଚ୍ ପାଇଁ ଦର୍ଶକଙ୍କୁ ଷ୍ଟାଡିୟମ୍ରେ ଅନୁମତି ଦିଆଯିବ ନାହିଁ, ଯାହାକି ନଅ ଦିନ ଧରି ଚାଲିବ ।
ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ଅକ୍ଟୋବର ୧୬ରୁ ଆରମ୍ଭ ହେବ । ଜୀଲଙ୍ଗସ୍ଥିତ କାର୍ଡିନିଆ ପାର୍କ ଷ୍ଟାଡିୟମ୍ରେ ଶ୍ରୀଲଙ୍କା ଉକ୍ତ ଦିନ ନାମ୍ବିଆକୁ ଭେଟିବେ ।