ଗୋଗ୍ରା-ହଟ୍ସ୍ପ୍ରିଙ୍ଗ୍ସ୍ରୁ ହଟିଲେ ଫୌଜ
ନୂଆଦିଲ୍ଲୀ, ୮ ।୯: ଗଲୱାନ୍ ସଂଘର୍ଷ ପରଠାରୁ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି)ରେ ଭାରତ ଓ ଚୀନ୍ ମଧ୍ୟରେ ଉତ୍ତେଜନା ଖୁବ୍ ବଢ଼ିଯାଇଥିଲା । ଉଭୟ ପକ୍ଷ କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ଜାରି ରଖିଥିଲେ । ଏବେ ସେଦିଗରେ କିଛି ସଫଳତା ମିଳିଛି । ଜୁଲାଇ ୧୭ରେ ଅନୁଷ୍ଠିତ କୋର୍ କମାଣ୍ଡରସ୍ତରୀୟ ଷୋଡ଼ଶ ବୈଠକରେ ସହମତି ହେବା ପରେ ଲଦାଖର ଗୋଗରା-ହଟ୍ସ୍ପି୍ରଙ୍ଗ୍ସ୍ (ପାଟ୍ରୋଲିଂ ପଏଣ୍ଟ-୧୫) ଇଲାକାରୁ ସୈନିକ ହଟାଇବା ପ୍ରକି୍ରୟା (ଡିସ୍ଏନ୍ଗେଜ୍ମେଣ୍ଟ) ଆରମ୍ଭ ହୋଇଛି ବୋଲି ଗୁରୁବାର ଦୁଇ ଦେଶର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମିଳିତ ବିବୃତିରେ କୁହାଯାଇଛି । ପ୍ରାୟ ୨୮ ମାସ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବା ଆଶା କରାଯାଉଛି । ଫୌଜ ପ୍ରତ୍ୟାହାର ପରେ ଆସନ୍ତା ସପ୍ତାହରେ ତାସ୍କେଣ୍ଟଠାରେ ହେବାକୁ ଥିବା ଶଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ଶୀର୍ଷ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଚୀନ୍ ରାଷ୍ଟ୍ରପତି ଶି ଜୀନ୍ ପିଙ୍ଗ୍ଙ୍କ ମଧ୍ୟରେ ଆଲୋଚନା ସମ୍ଭାବନା ଉଜ୍ଜ୍ୱଳ ହୋଇଛି ।
ଉଲ୍ଲେଖଯୋଗ୍ୟ ଯେ, ଚୀନ୍ ଗୋଗରା-ହଟ୍ସ୍ପି୍ରଙ୍ଗ୍ସ୍ର ପାଟ୍ରୋଲିଂ ପଏଣ୍ଟ-୧୫ (ପିପି-୧୫)ରୁ ହଟିବା ପାଇଁ ପ୍ରସ୍ତୁତ ନ ଥିଲା । ଏଭଳି ସ୍ଥିତିରେ ଭାରତ ସେଠାରେ ଅଧିକରୁ ଅଧିକ ସୈନ୍ୟ ସମାବେଶ କରିଥିଲା । ଭାରତ ଓ ଚୀନ୍ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା ଆନୁଷ୍ଠାନିକ ଭାବେ ଏପର୍ଯ୍ୟନ୍ତ ଚିହ୍ନିତ କରାଯାଇ ନ ଥିବାସ୍ଥଳେ ଭାରତୀୟ ସେନା କେତେକ ନିଶ୍ଚିତ ସ୍ଥାନ ପର୍ଯ୍ୟନ୍ତ ପାଟ୍ରୋଲିଂ କରିଆସୁଥିଲା । ଲଦାଖରେ ଏଭଳି ୬୦ରୁ ଅଧିକ ପାଟ୍ରୋଲିଂ ପଏଣ୍ଟ ଅଛି । ପୂର୍ବ ଲଦାଖର ଗଲୱାନ୍ ଇଲାକାର ଚାଙ୍ଗ୍ ଚେନମୋ ନଦୀର ଉତ୍ତରରେ ହଟ୍ସ୍ପି୍ରଙ୍ଗ୍ସ୍ ଏବଂ ପୂର୍ବରେ ଗୋଗରା ପୋଷ୍ଟ ଅଛି ।