ବୈଷୟିକ ଜ୍ଞାନକୌଶଳ ଆପଣାଅ
ଅର୍ଥ ବିଭାଗରେ ୧୪୭ ଅଡିଟର୍ ନିଯୁକ୍ତ
ଭୁବନେଶ୍ୱର (ବୁ୍ୟରୋ): ୧୪୭ କମନ୍ କ୍ୟାଡର ଅଡିଟରଙ୍କୁ ଅର୍ଥ ବିଭାଗରେ ରାଜ୍ୟ ସରକାର ନିଯୁକ୍ତ କରିଛନ୍ତି । ଗୁରୁବାର ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ପ୍ଲାଟଫର୍ମ ଦ୍ୱାରା ଯୋଗ ଦେଇ ନୂତନ ଅନୁପ୍ରବେଶକାରୀଙ୍କୁ ଅତି ଆନ୍ତରିକତାର ସହ କାର୍ଯ୍ୟ କରିବା, କାମରେ ନୂତନ ବୈଷୟିକ ଜ୍ଞାନକୌଶଳ ଗ୍ରହଣ କରିବା ଏବଂ ମନୋନୀତ ହୋଇଥିବା କାର୍ଯ୍ୟରେ ସର୍ବୋତ୍ତମ ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଛନ୍ତି ।
ଆମକୁ ଏହା ମନେ ରଖିବାକୁ ହେବ ଯେ ଆମ ଦରମା ରାଜ୍ୟବାସୀଙ୍କଠାରୁ ଆସିଥାଏ । ଆମ ସମସ୍ତଙ୍କୁ ରାଜ୍ୟବାସୀଙ୍କ ପାଇଁ କାର୍ଯ୍ୟ କରିବା ପାଇଁ ଏକ ସ୍ୱଚ୍ଛ ଯୋଗ୍ୟତା ଭିତ୍ତିକ ଚୟନ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇଛି । “୫-ଟି’ର ନୀତିଗୁଡିକ ଜନସେବା ଯୋଗାଇବାରେ ନିଜର ଉଚ୍ଚ ମାନ ସ୍ଥିର କରିଛି । ସମସ୍ତ ସରକାରୀ କର୍ମଚାରୀମାନେ ପ୍ରତିବଦ୍ଧତା, ଉତ୍ସର୍ଗୀକୃତ କାର୍ଯ୍ୟ କରିବା ସହ ସହାନୁଭୂତି ଏବଂ ଆନ୍ତରିକତାର ସହ ରାଜ୍ୟବାସୀଙ୍କ ସେବା କରିବା ଆବଶ୍ୟକ । ରାଜ୍ୟରେ ଫାଷ୍ଟ ଟ୍ରାକ୍ ବିକାଶ ପ୍ରକ୍ରିୟାକୁ ଆଲୋକିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୨ ଦଶନ୍ଧିରେ ଆମ ରାଜ୍ୟରେ ଏକ ଅଦ୍ଭୁତପୂର୍ବ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟ ଭାବରେ ପରିଗଣିତ ହେବାକୁ ଓଡିଶା ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛି । ଉଲ୍ଲେଖନୀୟ ଅର୍ଥନୈତିକ ଅଭିବୃଦ୍ଧି ବ୍ୟତୀତ ରାଜ୍ୟ ଶାସନ ଏବଂ ଜନସେବା କ୍ଷେତ୍ରରେ ଏକ ମଡେଲ ଭାବରେ ଉଭା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି କେ ପାଣ୍ଡିଆନ, ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ଅର୍ଥ ସଚିବ ବିଶାଲ ଦେବ ପ୍ରମୁଖ ଉପସ୍ଥିତ ଥିଲେ ।