ବନ୍ୟା ବିପନ୍ନଙ୍କୁ ରିଲିଫ୍ ପ୍ରଦାନରେ ପାତରଅନ୍ତର

ଧାମନଗର (ଆପ୍ର): ଧାମନଗର ବ୍ଲକ୍ ଏକ ବନ୍ୟା ବିପନ୍ନ ଅଞ୍ଚଳ । ପ୍ରତ୍ୟେକ ବର୍ଷ ସାମାନ୍ୟ ବର୍ଷାରେ ବୈତରଣୀ, କୋଚିଳା ଓ ଗେଙ୍ଗଟୀ ନଦୀରେ ବନ୍ୟା ଆସି ଅଞ୍ଚଳରେ ନାହିଁ ନ ଥିବା କ୍ଷତି କରିଥାଏ । ଚଳିତ ବର୍ଷ ଦୁଇ ଦୁଇଟି ବନ୍ୟା ଆସି ଧାମନଗର ବ୍ଲକ୍ର ପ୍ରାୟ ୨୬ ପଞ୍ଚାୟତର ପ୍ରାୟ ୧୦ ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪୮ ଗ୍ରାମର ପ୍ରାୟ ୧୧ ହଜାର ୩୧୯ ଲୋକ ବନ୍ୟା ଘେରେରେ ଥିଲେ । ସୋହଡ଼ା, ଖଡ଼ିପଦା, ଆନନ୍ଦପୁର, ଅର୍ଜ୍ଜୁନପୁର, ଭଟ୍ଟସାହି, ପଧାନୀ ଓ କରଦା ପଞ୍ଚାୟତ ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିଲା । ହେଲେ ବନ୍ୟା ଛାଡ଼ିବାର ପ୍ରାୟ ୧୫ଦିନ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ଲୋକଙ୍କୁ ବନ୍ୟା ସହାୟତା ଯୋଗାଇ ଦିଆଯାଇ ନାହିଁ । ପ୍ରଶାସନ ପକ୍ଷରୁ ବନ୍ୟା କ୍ଷତିଗ୍ରସ୍ତ ଆକଳନ ଏଯାଏ ସଠିକ୍ ଭାବରେ ହୋଇପାରିଲା ନାହିଁ । ତରବରିଆ ଭାବେ ବ୍ଲକ୍ର ୧୦ଟି ପଞ୍ଚାୟତକୁ ରିଲିଫ୍ ଦେବାପାଇଁ ବ୍ଲକ୍ ପ୍ରଶାସନ ନିଷ୍ପତ୍ତି ନେଇଥିବା ବେଳେ ବନ୍ୟାରେ ସବୁବେଳେ ଅଧିକ କ୍ଷତିଗ୍ରସ୍ତ ହେଉଥିବା ପଧାନୀ ପଞ୍ଚାୟତକୁ ରିଲିଫ୍ ପ୍ରଦାନରେ ପାତରଅନ୍ତର କରାଯାଇଥିବା ଅଭିଯୋଗ ହୋଇଛି । ବନ୍ୟାହେଲେ ପଧାନୀ ପଞ୍ଚାୟତର ୧୧ଟି ୱାର୍ଡ କ୍ଷତିଗ୍ରସ୍ତ ହୋଇଥାଏ ଏବଂ ପ୍ରାୟ ୪ରୁ ୬ଦିନ ସେମାନେ ଘରୁ ବାହାରକୁ ବାହାରି ପାରନ୍ତି ନାହିଁ । ଉକ୍ତ ପଞ୍ଚାୟତର ପ୍ରାୟ ୯୦ଭାଗ ଲୋକ ପନିପରିବା ଓ ଧାନଚାଷ ଉପରେ ନିର୍ଭର କରୁଥିବା ବେଳେ ଏହା ସମ୍ପୂର୍ଣ୍ଣ କ୍ଷତି ହୋଇଛି । ପ୍ରଶାସନ କିପରି ଭାବରେ ଉକ୍ତ ପଞ୍ଚାୟତର ୬ଟି ୱାର୍ଡକୁ ରିଲିଫରୁ ବାଦ୍ କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପଧାନୀ ପଞ୍ଚାୟତର ୧୧ଟି ୱାର୍ଡ ଓ ୪ଟି ରାଜସ୍ୱ ଗ୍ରାମର ପଧାନୀ, ଭଗତପୁର, ରାମରାକୂଳ, ଆଠଘରିଆ, ସଇଲୋ ଓ ଦାସପାରୀ ଗ୍ରାମକୁ ବାଦ୍ ଦିଆଯାଇଛି । ଏନେଇ ପଧାନୀ ସରପଞ୍ଚ ଅଶୋକ କୁମାର ପୁହାଣ କହିଛନ୍ତି, ରାଜନୈତିକ ଆକ୍ରୋଶ ରଖି ଏପରି ହୀନ ଚକ୍ରାନ୍ତ କରାଯାଇଛି । ବନ୍ୟା ବିପନ୍ନଙ୍କୁ ରିଲିଫ୍ ପ୍ରଦାନ କରା ନ ଗଲେ ଆନେ୍ଦାଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ପଞ୍ଚାୟତର ସମିିତିସଭ୍ୟା କଣ୍ଢେଇ ରାଉତ, ରବିନ୍ଦ୍ର ଜେନା, ସଞ୍ଜୀତ୍ କୁମାର ବେହେରା, ଦେବାଶିଷ ମିଶ୍ର, ଲଲାଟକେଶରୀ ପୁହାଣ, ରଜନିକାନ୍ତ ମିଶ୍ର, ଦିଲ୍ଲୀପ କୁମାର ରାଉତ ପ୍ରମୁଖ ବିଡିଓଙ୍କୁ ଭେଟି ଅଭିଯୋଗ କରିବା ସହିତ ସ୍ୱତନ୍ତ୍ର ରିଲିଫ କମିସନର ଓ ଜିଲ୍ଲାପାଳଙ୍କୁ ମଧ୍ୟ ପଧାନୀ ରାଜସ୍ୱ ଗ୍ରାମର ରିଲିଫନ୍ ପାଇବାରୁ ବଞ୍ଚିତ ବନ୍ୟା ବିପନ୍ନଙ୍କୁ ତୁରନ୍ତ ରିଲିଫ୍ ଯୋଗାଇଦେବା ପାଇଁ ସେମାନେ ଲିଖିତ ଅଭିଯୋଗ ପ୍ରେରଣ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *