ଘାତକ ହେଉଛି ଲମ୍ପି, ବିପଦରେ ଗୋବଂଶ
ବିକାନିର/ ଲକ୍ଷ୍ନୌ (ଏଜେନ୍ସି): କିଛି ରାଜ୍ୟରେ ଏବେ ‘ଲମ୍ପି’ ଭୂତାଣୁ ଭୟାବହ ସ୍ଥିତି ଉତ୍ପନ୍ନ କରିଛି । ଗୃହପାଳିତ ପଶୁ ବିଶେଷତଃ ଗୋସମ୍ପଦଙ୍କ ଠାରେ ଦେଖାଦେଉଥିବା ଏହି ଭୂତାଣୁ ଏବେ ଗୋବଂଶକୁ ନିଶ୍ଚିହ୍ନ କରିଦେବାକୁ ବସିଛି । ସପ୍ତାହକ ପୂର୍ବେ ଏହି ଭୂତାଣୁ ଉତ୍ତରପ୍ରଦେଶରେ ଭୟାବହ ସ୍ଥିତି ସୃଷ୍ଟି କରିଥିବା ବେଳେ ଏବେ ରାଜସ୍ଥାନ ଏବଂ ଗୁଜରାଟରେ ଏହି ଭୂତାଣୁ ହଜାର ହଜାର ଗାଈଗୋରୁଙ୍କ ମୃତୁ୍ୟର କାରଣ ସାଜିଛି । ରାଜସ୍ଥାନର ବିକାନିର ଅଞ୍ଚଳରେ ହଜାର ହଜାର ସଂଖ୍ୟକ ଗାଈଗୋରୁଙ୍କ ମୃତଦେହକୁ ଫିଙ୍ଗାଯାଇଥିବା ଏବଂ ସେସବୁକୁ ଶାଗୁଣା ଖାଉଥିବାର କିଛି ମର୍ମସ୍ପର୍ଶୀ ଫଟୋ ଏବେ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଆଲୋଡନ ସୃଷ୍ଟି ହୋଇଛି ।
ରାଜସ୍ଥାନ, ଗୁଜରାଟରେ ଏବେ ‘ଲମ୍ପି’ ଭୂତାଣୁ ଗାଈଗୋରୁଙ୍କୁ ସଂକ୍ରମିତ କରିବାରେ ଲାଗିଛି । ଏଥିରେ ସଂକ୍ରମିତ ହେଉଥିବା ପଶୁଙ୍କୁ ବଞ୍ଚାଇବା ପାଇଁ ପ୍ରଶାସନ ପକ୍ଷରୁ ଚେଷ୍ଟା ଜାରି ରହିଥିଲେ ମଧ୍ୟ ସଫଳତା ମିଳିପାରିନାହିଁ । ପଶୁସମ୍ପଦଙ୍କ କ୍ଷେତ୍ରରେ ଏହି ଭୂତାଣୁକୁ ମଣିଷଙ୍କ ପାଇଁ ପ୍ରାଣଘାତୀ ଭୂତାଣୁ ବିବେଚିତ ହେଉଥିବା କରୋନା ଭୂତାଣୁ ସହ ତୁଳନା କରାଯାଉଛି । ରାଜସ୍ଥାନର ଏବେ ପ୍ରାୟ ୧ଠଟି ଜିଲ୍ଲା ଏହି ଲମ୍ପି ଭୂତାଣୁ ଦ୍ୱାରା ପ୍ରଭାବିତ ହୋଇସାରିଥିବା ଜଣାପଡ଼ିଛି । ସେହିପରି ଗୁଜରାଟର ମଧ୍ୟ କେତେକ ଜିଲ୍ଲାରେ ଏହି ଭୂତାଣୁ ଦ୍ୱାରା ଅନେକ ଗାଈଗୋରୁ ସଂକ୍ରମିତ ହୋଇ ମୃତୁ୍ୟଲାଭ କରିଛନ୍ତି ।
ଅନ୍ୟପକ୍ଷେ ରାଜସ୍ଥାନରେ ଏପ୍ରକାର ଖୋଲାରେ ମୃତ ଗାଈଗୋରୁଙ୍କ ଶବକୁ ପୋତିବା ବଦଳରେ ଫିଙ୍ଗିଦିଆଯାଉଥିବା ବେଳେ ଏହା ମଣିଷଙ୍କ ପକ୍ଷେ ମଧ୍ୟ ଏକ ନୂଆ ରୋଗର ଆଶଙ୍କା ସୃଷ୍ଟି କରିଛି । ବେସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁସାରେ ରାଜସ୍ଥାରେ ଗତ ୧ ମାସ ମଧ୍ୟରେ ପ୍ରାୟ ୫ଠ ହଜାର ଗାଈଗୋରୁ ମୃତୁ୍ୟବରଣ କରିଛନ୍ତି । ବିକାନୀରରେ ଦୈନିକ ପ୍ରାୟ ୩ଠଠ ଗୋରୁଗାଈ ମୃତୁ୍ୟମୁଖରେ ପଡୁଛନ୍ତି । ଗୁଜରାଟ ଓ ହିମାଚଳରେ ମଧ୍ୟ ଏହି ଭୂତାଣୁ କାରଣରୁ ଶହଶହ ଗୃହପାଳିତ ପଶୁଙ୍କ ମୃତୁ୍ୟ ହୋଇଥିବା ସୂଚନା ମିଳିଛି ।
ଏସବୁ ମଧ୍ୟରେ ଅନ୍ୟ ଏକ ଆଶଙ୍କା ମଧ୍ୟ ଉଙ୍କି ମାରିଛି । ଲମ୍ପି ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଥିବା ସବୁ ଗାଈଗୋରୁ ବାସ୍ତବରେ ମରୁଛନ୍ତି ନା ସେମାନଙ୍କୁ ହତ୍ୟା କରିଦିଆଯାଉଛି? ଏସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିପାରିନାହିଁ । ତେବେ ଲମ୍ପି ଭୂତାଣୁ କାରଣରୁ ଗାଈଗୋରୁଙ୍କ ଏପ୍ରକାର ମୃତୁ୍ୟ କାରଣରୁ ପ୍ରଥମେ ଉତ୍ତରପ୍ରଦେଶ ଏବେ ଏବେ ଗୁଜରାଟ ଏବଂ ରାଜସ୍ଥାନରେ ଦୁଗ୍ଧ ଉତ୍ପାଦନ ବେଶ୍ ହ୍ରାସ ପାଇଥିବା ସରକାରୀ ଭାବେ କୁହାଯାଇଛି ।
ଲମ୍ପି ଏକ ଭୂତାଣୁଜନିତ ଚର୍ମରୋଗ, ଯାହାକି ଗୃହପାଳିତ ପଶୁ ବିଶେଷକରି ଗାଈଗୋରୁଙ୍କ ଠାରେ ଦେଖିବାକୁ ମିଳିଥାଏ । ଗୋରୁଗାଈଙ୍କ ଶରୀରରେ ବଡ ବଡ ଘା’ ବା କ୍ଷତ ସୃଷ୍ଟି ହୋଇଥାଏ । ମଶା, ଡାଆଁଶ, ଓଡ଼ଶ ଭଳି ରକ୍ତ ପିଉଥିବା କୀଟଙ୍କ ଦ୍ୱାରା ଏହି ଭୂତାଣୁ ସଂକ୍ରମିତ ହୋଇଥାଏ । ସଂକ୍ରମିତ ପଶୁ ଠାରେ ପ୍ରବଳ ଜ୍ୱର ସହ ନାକ ଏବଂ ମୁହଁରୁ ପାଣି ତଥା ଲାଳ ଗଡ଼ିବା ଦେଖିବାକୁ ମିଳିଥାଏ । ସଂକ୍ରମିତ ଗାଈଗୋରୁ ଖାଇବା ପିଇବା ଛାଡିଦେଇଥାନ୍ତି ଫଳରେ କିଛି ଦିନ ମଧ୍ୟରେ ମୃତୁ୍ୟଲାଭ କରିଥାନ୍ତି ।