ସିଟିଓ ବାତିଲ ପାଇଁ କୈଫିୟତ ତଲବ
ାା ପ୍ରଦୂଷଣ ସୃଷ୍ଟି କରୁଛି ବ୍ରାଣ୍ଡ୍ ସ୍ପଞ୍ଜ୍ କାରଖାନା ।ା
କେନ୍ଦୁଝର (ଆପ୍ର): କେନ୍ଦୁଝର ସଦର ବ୍ଲକ୍ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତର ମୁରୁସୁଆଁ ମୌଜାରେ ସ୍ଥାପିତ ବ୍ରାଣ୍ଡ ଷ୍ଟିଲ୍ ଆଣ୍ଡ ପାୱାର ପ୍ରାଇଭେଟ ଲିଃ ସ୍ପଞ୍ଜ କାରଖାନାର ବାୟୁ ଓ ଜଳ ପ୍ରଦୂଷଣ କାରଣରୁ ସ୍ଥାନୀୟ ଅଞ୍ଚଳର ଲୋକେ ବିଭିନ୍ନ ରୋଗରେ ପୀଡ଼ିତ ହେଉଥିବା ଅଭିଯୋଗ ହୋଇଥିଲା । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ କନସେଣ୍ଟ ଟୁ ଅପରେଟ (ସିଟିଓ) ପାଇଥିଲେ ମଧ୍ୟ ଏଥିରେ ଥିବା ସ୍ୱତନ୍ତ୍ର ସର୍ତ୍ତ ଖିଲାପ କରି କାରଖାନା ଚଲାଇ ଆସୁଥିବା ଅଭିଯୋଗ ମଧ୍ୟ ହୋଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କାରଖାନା ଯାଞ୍ଚବେଳେ ଜଳ ଓ ବାୟୁ ନିୟମ ଉଲ୍ଲଘଂନ କରି ଲୋକଙ୍କ ଜୀବନ ଜୀବିକାକୁ ବିପଦରେ ପକାଇ କାରଖାନା ଚାଲି ଆସୁଥିବା ଜଣାପଡ଼ିଥିଲା ।
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କାରଖାନାର ନିଦେ୍ର୍ଦଶକଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ରହିଥିବା ତ୍ରୁଟି ସଂଶୋଧନ ନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ସହ ସିଟିଓ ବାତିଲ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଇଂ ପ୍ରଶାନ୍ତ କର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି । ସ୍ପଞ୍ଜ କାରଖାନା ପ୍ରଦୂଷଣରେ ଜର୍ଜରିତ ହୋଇ ବିଭିନ୍ନ ସମସ୍ୟାରେ ପଡୁଛନ୍ତି । ଗାରଲାଣ୍ଡ ଡ୍ରେନ, ସେଟଲିଙ୍ଗ ପୋଖରୀ ଏବଂ ରିଟେନିଂ ୱାଲ ବର୍ଜ୍ୟବସ୍ତୁ ଗଦା ହେଉଥିବା ସ୍ଥାନ ନିକଟରେ ସଠିକ୍ ଭାବେ କରାଯାଇ ନ ଥିବାରୁ ବର୍ଜ୍ୟ କଳାଗୁଣ୍ଡ ବର୍ଷା ସମୟରେ ସିଧାସଳଖ ଅରଡେଇ ନଦୀରେ ମିଶୁଛି । ଫଳରେ ନଦୀ ଜଳ ପ୍ରଦୂଷିତ ହେଉଛି । ଅରଡ଼େଇ ନଦୀ ଜଳ ବ୍ୟବହାର କରୁଥିବା ପଶୁପକ୍ଷୀ ଓ ଲୋକଙ୍କୁ ଅନେକ ମାତ୍ରାରେ ପ୍ରଦୂଷଣଜନିତ ରୋଗ ଯଥା ଜଣ୍ଡିସ୍, କାଛୁକୁଣ୍ଡିଆ, ବ୍ରୋଙ୍କାଇଟିସ୍, ବିଭିନ୍ନ ପ୍ରକାର ଚର୍ମ ରୋଗ ଆଦି ରୋଗରେ ଆକ୍ରାନ୍ତ ହେଉଛନ୍ତି । ନଦୀ ଜଳ ପ୍ରଦୂଷଣ ଯୋଗୁ ନଦୀ ଜଳ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । କମ୍ପାନୀ ଉଚ୍ଚ କ୍ଷମତାସମ୍ପନ୍ନ ଡିଜି ସେଟ ଚଲାଇ ଇଏସ୍ପି ଚଲାଇବା କଥା । ମାତ୍ର ଲାଇନ ରହୁନଥିବା ସମୟରେ ଡିଜି ସେଟ ଚଲାଉ ନଥିବାରୁ ଇଏସ୍ପି କୁ ବାଇପାସ କରାଯାଇ ବାୟୁରେ ଜରୁରୀକାଳୀନ ଠିପିରେ କଳାଧୂଆଁ ଛଡାଯାଉଛି । ଫଳରେ ବ୍ୟାପକ ମାତ୍ରାରେ ବାୟୁ ପ୍ରଦୂଷଣ ହେଉଛି ।
କନସେଣ୍ଟ ଟୁ ଅପରେଟ (ସିଟିଓ)ର ଥିବା ସର୍ତ୍ତ ଠିକ୍ ଭାବରେ ଯାଞ୍ଚ କରାଯାଉନାହିଁ । ହିଟ୍ ଏକ୍ସଚେଞ୍ଜର ଠିକ୍ ଭାବରେ କାମ କରୁ ନ ଥିବାରୁ ପ୍ରଦୂଷଣ ମାତ୍ରା ବଢ଼ିଛି । ସ୍ଥାନୀୟ ଅଧିବାସୀ ପ୍ରଦୂଷଣରେ ଜର୍ଜରିତ ହେଉଥିବାବେଳେ କମ୍ପାନୀ କୋଟି କୋଟି ଟଙ୍କା ଲାଭ କରି ଲୋକଙ୍କୁ ମରଣମୁହଁକୁ ଠେଲି ଦେଇଛି । ପ୍ରଦୂଷଣରେ ସ୍ଥାନୀୟ ଲୋକ ଅଣନିଃଶ୍ୱାସୀ ହୋଇ ପଡ଼ିଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି କାରଖାନାର ସିଟିଓରେ ରହିଥିବା ସର୍ତ୍ତ ଉଲ୍ଲଙ୍ଘନ ହୋଇଥିବାରୁ ସିଟିଓ ବାତିଲ କରା ନ ଗଲେ ସ୍ଥାନୀୟ ଲୋକ ବାଧ୍ୟ ହୋଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି ।