ଉପକୃତ ହେବ ପୂର୍ବ ଭାରତ

ଭୁବନେଶ୍ୱରରେ ଟାଟା ମେମୋରିଆଲ କ୍ୟାନ୍ସର୍ ହସ୍ପିଟାଲ
ଭୁବନେଶ୍ୱର, ୭ା୯ (ବୁ୍ୟରୋ): ଜଟଣିସ୍ଥିତ ନାଇଜର ପରିସରରେ ଏକ ୨୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସପିଟାଲ ସ୍ଥାପନ ପାଇଁ ଓଡ଼ିଶା ସରକାର ଓ ଟାଟା କ୍ୟାନସର ସେଣ୍ଟର ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବୁଧବାରଦିନ ଲୋକସେବା ଭବନଠାରେ ଏହି ବୁଝାମଣାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ଓ ଟାଟା ମେମୋରିଆଲ ସେଣ୍ଟର ପକ୍ଷରୁ ସ୍ୱାକ୍ଷରିତ ହୋଇଛି । ଏହି ହସପିଟାଲରେ ମୋଟ ୬୦୦ କୋଟି ଟଙ୍କା ବ୍ୟୟ ହେବ । ଏହା ମଧ୍ୟରୁ ୪୦୦ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ଆଣବିକ ଶକ୍ତି ମନ୍ତ୍ରାଳୟ, ୨୫୦ କୋଟି ଟଙ୍କା ଟାଟା ଟ୍ରଷ୍ଟ ଯୋଗାଇ ଦେବେ ବୋଲି ପ୍ରକାଶ ପାଇଛି ।
ଅନ୍ୟପକ୍ଷରେ ରାଜ୍ୟ ସରକାର ଏହି ହସପିଟାଲ ପାଇଁ ୪୦ ଏକର ଜମି ଓ ଅନ୍ୟାନ୍ୟ ଭିତ୍ତିଭୂମି ଯୋଗାଇ ଦେବେ । ଏହାସହ ରାଜ୍ୟ ସରକାର ରେଡିଓ ଆଇସୋଟପ୍ସ ନିମନ୍ତେ ଏକ ସାଇକ୍ଲୋଟ୍ରୋନ ମେସିନ ଯୋଗାଇ ଦେବେ । ପ୍ରଥମ ପର୍ଯ୍ୟାୟରେ ଏହି ହସପିଟାଲ ପାଇଁ ନାଇଜର ୧୭ ଏକର ଜମି ଯୋଗାଇ ଦେବ । ପରେ ଏହାର ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାର ଆଉ ୪୦ ଏକର ଜମି ଯୋଗାଇଦେବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହି କ୍ୟାନସର ହସପିଟାଲ କେବଳ ଓଡ଼ିଶା କି ଓଡ଼ିଶାବାସୀ ଉପକୃତ ହେବେନି ବରଂ ପୂର୍ବ ଭାରତର ପ୍ରତ୍ୟେକ ବ୍ୟକ୍ତି ଏଥିରେ ଉପକୃତ ହେବେ । ଏହି ହସପିଟାଲ ସ୍ଥାପନକୁ ସାକାର କରିଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର, ଟାଟା ଟ୍ରଷ୍ଟ ଓ ନାଇଜରକୁ କୃତଜ୍ଞତା ଜଣାଇଛନ୍ତି । ଏହି ପ୍ରକଳ୍ପ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ର ମଧ୍ୟରେ ସମନ୍ୱୟର ଏକ ଉଦାହରଣ ବୋଲି ସେ କହିଛନ୍ତି ।
ସୂଚନା ମୂତାବକ, ହସ୍ପିଟାଲରେ ବିଏସକେୱାଇ କାର୍ଡ଼ଧାରୀଙ୍କୁ ମାଗଣା ସୁବିଧା ବ୍ୟବସ୍ଥା ରହିବ । ରାଜ୍ୟବାସୀ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ପାଇବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ହସ୍ପିଟାଲ ପରିସରରେ ନିର୍ମାଣ ହେବ ସାଇକ୍ଲୋଟ୍ରନ, ଷ୍ଟାଫ କ୍ୱାର୍ଟର୍ସ, ଟାଉନସିପ, ଆକାଡେମିକ ବ୍ଲକ, ରେଷ୍ଟ ସେଡ, ଧର୍ମଶାଳା ଇତ୍ୟାଦି । ସେବା, ଶିକ୍ଷା ଓ ଗବେଷଣା ଦିଗରେ ଅଭିପ୍ରେତ ହେବ ହସ୍ପିଟାଲ ।
ଏହି ହସ୍ପିଟାଲ ପ୍ରତିଷ୍ଠା ହେବା ଯୋଗୁ ରାଜ୍ୟବାସୀ କ୍ୟାନସରର ଚିକିତ୍ସା ଲାଗି ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ । ଏହି ବିଭାଗରେ ସର୍ଜିକାଲ ଅଙ୍କୋଲୋଜି, ମେଡିକାଲ ଅଙ୍କୋଲୋଜି, ରେଡିଓଲୋଜି, ମାଇକ୍ରୋବାୟୋଲୋଜି, ବାୟୋକେମିଷ୍ଟ୍ରି ଆଦି ବିଭାଗ ରହିବ । ହସ୍ପିଟାଲ କ୍ୟାମ୍ପସରେ ବି ପ୍ରତିଷ୍ଠା ହେବ ଆହାର କେନ୍ଦ୍ର । ପ୍ରତିବର୍ଷ ରାଜ୍ୟରେ ୪୦ ହଜାର ନୂଆ କର୍କଟ ରୋଗୀ ଚିହ୍ନଟ ହେଉଥିବାବେଳେ ୧୮ ହଜାର ରୋଗୀଙ୍କ ଜୀବନ ନେଉଛି କର୍କଟ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *