ପିଇବାକୁ ପଡ଼ୁଛି ଆବର୍ଜନା ପାଣି

ଦେଢ଼ ମାସ ବିତିଲା: ହେଲାନି ପାନୀୟ ଜଳ ଯୋଗାଣ
ମୋହନା (ଆପ୍ର): ଗଜପତି ଜିଲ୍ଲା ମୋହନା ବ୍ଲକ୍ର ଗୋବିନ୍ଦପୁର ଗ୍ରାମରେ ଜୁଲାଇ ମାସରେ ଡାଇରିଆ ବ୍ୟାପୀ ୨୧ ଜଣ ଆକ୍ରାନ୍ତ ହୋଇଥିବାବେଳେ ଜଣେ ଶିଶୁର ମୃତ ହୋଇଥିଲା । ଡାଇରିଆ ରୋକିବା ପାଇଁ ମେଡିକାଲ ଟିମ୍ ଗାଁରେ ଡେରା ପକାଇ ଲୋକଙ୍କ ଚିକିତ୍ସା କରିବା ସହ ସଚେତନ କରାଇଥିଲେ । ଗ୍ରାମର ୮ ସ୍ଥାନରୁ ପାଣି ନମୂନା ନେଇ ପରୀକ୍ଷା କରାଯାଇଥିଲା । ସେଥି ମଧ୍ୟରୁ ଦୁଇଟି କୂଅରୁ ଇକଲାଇ ବେକ୍ଟରିଆ ଥିବା ପରୀକ୍ଷାରୁ ଜଣାପଡ଼ିଥିଲା । ଗୋଟିଏ ଗ୍ରାମ ମଝିରେ ଥିବା କୂଅଁ ଅନ୍ୟଟି ବସୁଧା ଯୋଜନାରେ ଗ୍ରାମକୁ ସପ୍ଲାଏ ହେଉଥିବା କୂଅ । ସେହି କୂଅ ପାଣି ପିଇ ଝାଡ଼ାବାନ୍ତିର ଆକ୍ରାନ୍ତ ହୋଇଥିଲେ ଗ୍ରାମବାସୀ । ଖବର ପ୍ରସାରଣ ପରେ ଭୁବନେଶ୍ୱରରୁ ଏକ ଟିମ୍ ଗ୍ରାମକୁ ଏକ ଗାଡ଼ି ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଇଥିଲେ । ଦୁଇଟି ନଳକୂପ ଖନନ କରି ବସୁଧା ଯୋଜନାରେ ନିର୍ମାଣ ହୋଇଥିବା ଟାଙ୍କି ଦ୍ୱାରା ଗ୍ରାମକୁ ପାଣି ସପ୍ଲାଏ ପାଇଁ ଗ୍ରାମବାସୀ ଦାବି କରିଥିଲେ । ହେଲେ ଏପର୍ଯ୍ୟନ୍ତ ତାହା ପୂରଣ କରାଯାଇପାରି ନାହିଁ । ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଗ୍ରାମରେ ଗୋଟିଏ ନଳକୂପ ଖନନ କରାଯାଇଛି । ସେଥିରୁ ଗୋଳିଆ ପାଣି ବାହାରୁଥିବାରୁ ଲୋକେ ପିଇବା ପାଇଁ ନାରାଜ । ଦେଢ଼ ମାସ ବିତିଲା ପରେ ମଧ୍ୟ ବସୁଧା ଯୋଜନା ଦ୍ୱାରା ଗ୍ରାମକୁ ପାଣି ଯୋଗାଇବାରେ ବିଫଳ ହୋଇଛି ପାନୀୟ ଜଳ ଯୋଗାଣ ବିଭାଗ । ଯଦ୍ଦ୍ୱାରା ଗ୍ରାମବାସୀ ବାକ୍ଟେରିଆ ଚିହ୍ନଟ ହୋଇଥିବା କୂଅ ପାଣି ପୁଣି ପିଇବାକୁ ଗ୍ରାମବାସୀ ବାଧ୍ୟ ହେଉଛନ୍ତି । ତୁରନ୍ତ ଗୋବିନ୍ଦପୁର ଗ୍ରାମରେ ବସୁଧା ଯୋଜନାରେ ନିର୍ମାଣ ହୋଇଥିବା ଟାଙ୍କି ଜରିଆରେ ପାଣି ଯୋଗାଣ ନ ହେଲେ ମହିଳା ମଣ୍ଡଳ ଓ ଗ୍ରାମବାସୀ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦିଆଯାଇଛି । ଅନ୍ୟ ପକ୍ଷରେ ନଳକୂପ ଖନନରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ କରି ତାହାର ମଧ୍ୟ ତଦନ୍ତ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *