ଚାମ୍ପିଅନ୍ ଓଡ଼ିଶା ଜଗରନଟ୍ସକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବର୍ଦ୍ଧନା
‘ଆମ ଦଳ ପାଇଁ ଆମେ ଖୁବ୍ ଗର୍ବିତ’
ଭୁବନେଶ୍ୱର, ୭ା୯ (ବୁ୍ୟରୋ): ଅଲ୍ଟିମେଟ୍ ଖୋ ଖୋ ଲିଗ୍ର ପ୍ରାରମ୍ଭିକ ସଂସ୍କରଣରେ ଚାମ୍ପିଅନ୍ ହୋଇଥିବା ‘ଓଡ଼ିଶା ଜଗରନଟ୍ସ’ ଟିମ୍କୁ ବୁଧବାର ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ସଫଳତା ପାଇଁ ଟିମ୍କୁ ଅଭିନନ୍ଦନ ଜଣାଇବା ସହ ଦୁଇ କୋଟି ଟଙ୍କା ପୁରସ୍କାର ପ୍ରଦାନ କରିଛନ୍ତି ।
ଟିମ୍କୁ ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, “ଖୋ ଖୋ ଏକ ପାରମ୍ପରିକ ଖେଳ, ଯାହାକି ଗ୍ରାମାଞ୍ଚଳ ଓ ସୀମିତ ଦର୍ଶକଙ୍କ ମଧ୍ୟରେ ସୀମାବଦ୍ଧ ରହିଛି । ଅଲ୍ଟିମେଟ୍ ଖୋ ଖୋରେ ତୁମେମାନେ ବିଜୟ ସହ ଇତିହାସ ରଚିଛ । ଏହା ସ୍ମରଣୀୟ ରହିବ ଏବଂ ଆଗାମୀ ଦିନରେ ଏନେଇ ଆଲୋଚନା କରାଯିବ । ଯୁବ ଖେଳାଳିମାନେ ଏହାକୁ ଏକ ପେସାଦାର ଖେଳ ଭାବରେ ଆପଣାଇବା ପାଇଁ ଏହା ପ୍ରେରଣା ଦେବ । ଆଜି ଲୋକେ ଅଲ୍ଟିମେଟ୍ ଖୋ ଖୋ ଏବଂ ଓଡ଼ିଶା ଜଗର୍ନଟ୍ସ ବିଷୟରେ କଥାବାର୍ତ୍ତା କରୁଛନ୍ତି ଏବଂ ଆମ ଦଳ ପାଇଁ ଆମେ ଖୁବ୍ ଗର୍ବିତ ଅନୁଭବ କରୁଛୁ ।”
ଏହି ଅବସରରେ ଖୋ ଖୋର ଉକ୍ରର୍ଷତା ପାଇଁ ଓଡ଼ିିଶା ସରକାର ସମର୍ଥନ କରିବେ ଏବଂ ଖୋ ଖୋ ପାଇଁ ଏକ ଷ୍ଟାଡିୟମ୍ ଏବଂ ଖେଳର ବିକାଶ ପାଇଁ ଏକ ହାଇ ପର୍ଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
ଅଲ୍ଟିମେଟ ଖୋ ଖୋର ସିଇଓ ତେନ୍ଜିଙ୍ଗ ନିଓଗି ମୁଖ୍ୟମନ୍ତ୍ରୀଙ୍କୁ ଟିମ୍ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ । ଅଲ୍ଟିମେଟ୍ ଖୋ ଖୋ ଲିଗ୍ରେ ଓଡ଼ିିଶା ଦଳ ଅବିସ୍ମରଣୀୟ ପ୍ରଦର୍ଶନ କରିଥିଲେ ଏବଂ ଅଧିକାଂଶ ସମୟରେ ଟେବୁଲ୍ ଟପ୍ପର ରହିଥିଲେ । ଖୋ ଖୋ ପାଇଁ ସମସ୍ତ ରାଜ୍ୟରୁ ଏଭଳି ସମର୍ଥନ ଆବଶ୍ୟକ ବୋଲି ନିଓଗି କହିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ଡିଆନ୍ ଲିଗ୍ରେ ସେମାନଙ୍କର ଚମକ୍ରାର ପ୍ରଦର୍ଶନ ପାଇଁ ଟିମ୍କୁ ଉତ୍ସାହିତ କରିଥିଲେ । ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପି.କେ. ଜେନା, କ୍ରୀଡ଼ା ସଚିବ ଆର୍ ଭିନିଲ୍ କ୍ରିଷ୍ଣା ଏବଂ ଅନ୍ୟ କ୍ରୀଡ଼ା ଅଧିକାରୀ ଏହି ଅବସରରେ ଉପସ୍ଥିତ ଥିଲେ ।