ଏ ସମ୍ମାନ ଆପଣଙ୍କର
ଜୀବନବ୍ୟାପୀ ସାଧନା ସମ୍ମାନ ପାଇ ଫେରିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୬ା୯ (ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତ ଶେଷ କରି ମଙ୍ଗଳବାର ଭୁବନେଶ୍ୱର ଫେରିଛନ୍ତି । ଜନସେବା ଓ ବଳିଷ୍ଠ ନେତୃତ୍ୱ ପାଇଁ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହୋଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିମାନବନ୍ଦରରୁ ନବୀନ ନିବାସ ଯାଏଁ ହଜାର ହଜାର ଲୋକଙ୍କ ଜନସମାଗମ ହୋଇଥିବାବେଳେ ରାସ୍ତାଘାଟ, ଘର, ଛାତ ଉପର ସବୁଠି ଜନସମୁଦ୍ର ଦେଖିବାକୁ ମିଳିଛି । ଏକ ବିରାଟ ପଟୁଆରରେ ବିମାନବନ୍ଦରରୁ ନବୀନ ନିବାସ ଯାଏ ମୁଖ୍ୟମନ୍ତ୍ରୀଙ୍କୁ ଅଗଣିତ ଦଳୀୟ କର୍ମୀ ପାଛୋଟି ନେଇ ଜୀବନବ୍ୟାପୀ ସମ୍ମାନକୁ ସ୍ମରଣୀୟ କରାଇଛନ୍ତି ।
ବର୍ଷା ସତ୍ତ୍ୱେ ବିଜେଡି କର୍ମୀ ଓ ନେତାମାନେ ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଚାରିଆଡେ ‘ନବୀନ…ନବୀନ’ ନାରା ଶୁଣିବାକୁ ମିଳିଥିଲା । ମଙ୍ଗଳବାର ସକାଳ ହେବାବେଳକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରାଜଧାନୀକୁ ଛୁଟି ଥିଲା ଶହ ଶହ ସଂଖ୍ୟାରେ ବସ୍, ଚାରି ଚକିଆ ଯାନ ଆଉ ମଟରସାଇକେଲ । ସମସ୍ତଙ୍କ ହାତରେ ଥିଲା ବିଜେଡି ପତାକା ଏବଂ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପ୍ଲାକାର୍ଡ । ଦିନ ୧୦ ବେଳକୁ ସାରା ରାଜଧାନୀ ଲୋକାରଣ୍ୟ ହୋଇଯାଇଥିଲା । ଏୟାରପୋର୍ଟ ଅଞ୍ଚଳ ଏବଂ ଏହାକୁ ସଂଯୋଗ କରୁଥିବା ରାସ୍ତା ୫୦ ହଜାରରୁ ଊଦ୍ଧ୍ୱର୍ ମହିଳା ଓ ପୁରୁଷଙ୍କ ସମାଗମ ଯୋଗୁଁ ଜନସମୁଦ୍ରରେ ପରିଣତ ହୋଇଥିଲା । ବିଜେଡି ସାଂସଦ, ବିଧାୟକଙ୍କ ସମେତ ଛାମୁଆ ନେତାମାନେ ନିଜ ନିଜ ନିର୍ବାଚନମଣ୍ଡଳୀରୁ ଆସିଥିବା କର୍ମୀ ଓ କର୍ମକର୍ତ୍ତାଙ୍କ ନେତୃତ୍ୱ ନେଇଥିଲେ ।
ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରୁ ଦଳୀୟ ନେତା ଓ କର୍ମୀ ତଥା ବୁଦ୍ଧିଜୀବୀ ଭୁବନେଶ୍ୱରରେ ଏକାଠି ହୋଇଥିଲେ । ନାଚ, ଗୀତ, ପାରମ୍ପରିକ ବାଦ୍ୟରେ ବିମାନବନ୍ଦରରୁ ନବୀନ ନିବାସ ଯାଏ ରାସ୍ତା କମ୍ପୁଥିଲା । ମଙ୍ଗଳବାର ପୂର୍ବାହ୍ନ ୧୧ଟା ୨୫ରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚôଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏକ ଝଲକ ପାଇବାକୁ ତଥା ତାଙ୍କୁ ସ୍ୱାଗତ ଜଣାଇବା ନିମନ୍ତେ ବିମାନବନ୍ଦର ବାହାରେ ଅସମ୍ଭବ ଭିଡ଼ ଜମିଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚôବା ପରେ ବିମାନବନ୍ଦର ଛକରେ ଥିବା ବିଜୁ ପଟ୍ଟନାୟକଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ନବୀନ ନିବାସ ଅଭିମୂଖେ ଯାଇଥିଲା । ସମ୍ବର୍ଦ୍ଧନା ପରେ ଏକ ବିଶାଳ ଶୋଭାଯାତ୍ରାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ନବୀନ ନିବାସ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା । ଦଳର ରଜତ ଜୟନ୍ତୀ ବର୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଛି । ଦଳ ମଧ୍ୟରେ ଏକ ଉତ୍ସବ ପରି ପରିବେଶ ସୃଷ୍ଟି ହୋଇଛି । ଏକାଧିକ ମଞ୍ଚରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତପୂର୍ବକ ଗୋଟିପୁଅ, ଯୋଡ଼ିଶଙ୍ଖ, ଢେମେସା, ସମ୍ୱଲପୁରୀ ଏବଂ ପାରମ୍ପରିକ ବାଜା ଓ ସଙ୍ଗୀତ ପରିବେଷଣ କରାଯାଇଥିବାବେଳେ ଦଳୀୟ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ‘ଆପଣ ଖୁସି ତ’ ବୋଲି ପୁଣି ପ୍ରଶ୍ନ କରିଥିବା ନଜରକୁ ଆସିଛି ।
ସେପଟେ ଟ୍ରାଫିକ୍ ବ୍ୟବସ୍ଥା ସହ ନିରାପତ୍ତା ବ୍ୟବସ୍ଥାକୁ ପୁରା କଡ଼ାକଡ଼ି କରାଯାଇଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ୨ଟି ରାସ୍ତାରୁ ଗୋଟେ ରାସ୍ତାରେ ଜନସାଧାରଣଙ୍କ ପାଇଁ ଖୋଲା ରଖାଯାଇଥିବାବେଳେ ଆଉ ଗୋଟେ ରାସ୍ତା କର୍ମୀଙ୍କ ପାଇଁ ରହିଛି । ଏଥିଲାଗି ରାଜଧାନୀରେ ୪୦ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୫୦ ଜଣ ପୁଲିସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଏଥିରେ ୮ ଅତିରିକ୍ତ ଡିସିପି, ୧୬ ଏସିପି, ୨୫ ଆଇଆଇସି, ୯୦ ଏସ୍ଆଇଙ୍କ ସମେତ ୪୦ପ୍ଲାଟୁନ୍ ପୁଲିସ ଫୋର୍ସ ପୂରା ସହର ଉପରେ ନଜର ରଖିଥିବା ସୂଚନା ପ୍ରକାଶ ପାଇଛି ।
ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ମନ୍ତ୍ରିମଣ୍ଡଳର ଅଧିକାଂଶ ସଦସ୍ୟ, ବିଜେଡି ବିଧାୟକ ଓ ସାଂସଦଙ୍କ ସମେତ ହଜାର ହଜାର ବିଜେଡି କର୍ମୀ ଉପସ୍ଥିତ ଥିଲେ । ନିଜ ନିଜ ଅଞ୍ଚଳବାସୀଙ୍କ ସହ ବିଧାୟକ ଓ ଦଳିୟ ନେତୃବୃନ୍ଦ ରାଲି କରି ବିମାନବନ୍ଦରକୁ ଯାଇଥିଲେ । ବିମାନବନ୍ଦରରୁ ନବୀନ ନିବାସ ଯାଏଁ ଏବଂ ରାଜଧାନୀ ରାସ୍ତାରେ ବଡ ବଡ କଟ୍ଆଉଟ୍, ପୋଷ୍ଟର ଏବଂ ବ୍ୟାନର ଲଗାଯାଇଥିଲା । ଦଳୀୟ ପତାକା, ପୋଷ୍ଟର ଏବଂ ବ୍ୟାନର ଧରି ଦଳର କର୍ମୀ ମୁଖ୍ୟମନ୍ତ୍ରୀଙ୍କୁ ଅଭିବାଦନ ଜଣାଇବା ପାଇଁ ରାସ୍ତାରେ ସ୍ଲାଗାନ ଦେଉଥିବା ନଜରକୁ ଆସିଥିଲା । ବିମାନବନ୍ଦରରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଡିଜାଇନ୍ ହୋଇଥିବା ବସ୍ରେ ବସିଥିବା ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ବିଜେଡି ଦ୍ୱାରା ଆୟୋଜିତ ବିଭିନ୍ନ ସାଂସ୍କୃତିକ ଦଳ ନୃତ୍ୟ ଓ ସଙ୍ଗୀତ ପରିବେଷଣ ହୋଇଥିଲା । ମୁଖ୍ୟମନ୍ତ୍ରୀ ବସ୍ରୁ ସଂକ୍ଷିପ୍ତ ଭାଷଣ ଦେଇ ଓଡ଼ିଶାର ୪.୫ କୋଟି ଲୋକଙ୍କୁ ଏହି ପୁରସ୍କାର ଉତ୍ସର୍ଗ କରିଥିଲେ ।
ସୂଚନାଯୋଗ୍ୟ, ରାଜନୀତିରେ ପ୍ରବେଶର ୨୫ ବର୍ଷ ଓ ମୁଖ୍ୟମନ୍ତ୍ରୀ ଭାବରେ ୨୨ ବର୍ଷ ପୂରଣ କରିଛନ୍ତି ମୁୂଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ । ଓଡ଼ିଶା ଶୂନ୍ୟ ରାଜକୋଷ ସାଙ୍ଗକୁ ମହାବାତ୍ୟା ପରବର୍ତ୍ତୀ ଓଡ଼ିଶାର ପୁନର୍ଗଠନ, ଅନାହାର-ଅପୁଷ୍ଟି-କ୍ଷୁଧା ଜର୍ଜରିତ ଓଡ଼ିଶାକୁ ଖାଦ୍ୟ ଯୋଗାଇବାର ଆହ୍ୱାନ ପରି ଅନେକ ପ୍ରତିକୂଳ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଶାସନ ମଙ୍ଗ ଧରିଥିଲେ । କେନ୍ଦ୍ରମନ୍ତ୍ରୀ ଭାବରେ ରାଜନୀତିରେ ମାତ୍ର ୨ ବର୍ଷର ଅଭିଜ୍ଞତା ଥିଲା । ମାତ୍ର ଯେବେଠାରୁ ସେ ଓଡ଼ିଶାର ଶାସନ ଦାୟିତ୍ୱ ଗ୍ରହଣ କରିଥିଲେ, ସେହିଦିନଠାରୁ ଓଡ଼ିଶାକୁ ଦେଶର ଶୀର୍ଷ ସମୃଦ୍ଧ ରାଜ୍ୟ ଭାବରେ ଗଢ଼ିବା ପାଇଁ ବିଜୁଙ୍କ ସ୍ୱପ୍ନକୁ ପୂରଣ ନିମନ୍ତେ ବିକାଶ ନକ୍ସା ପ୍ରସ୍ତୁତ କରିଥିଲେ । ସମସ୍ତ ପ୍ରତିକୂଳ ପରିସ୍ଥିତି, ବିରୋଧୀଙ୍କ ଅସୂୟା ଓ ଅସହିଷ୍ଣୁତା ସତ୍ତ୍ୱେ ଗତ ୨୨ ବର୍ଷ ଧରି ସେ ଓଡ଼ିଶାବାସୀଙ୍କୁ ନିଜ ପରିବାର ସଦସ୍ୟଭାବରେ ଗ୍ରହଣ କରି ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିଛନ୍ତି । ବିକାଶର ରୂପାନ୍ତରଣ ଓଡ଼ିଶାକୁ ନୂଆ ରୂପ ଦେଇଥିବା ନଜରକୁ ଆସୁଛି ।