ରାଜଧାନୀରେ ନକଲି ଔଷଧ ବିକ୍ରି!
ଭୁବନେଶ୍ୱର (ବୁ୍ୟରୋ): ଲୁଣ ଓ ସର୍ଫ ପରେ ଏବେ ରାଜଧାନୀରେ ନକଲି ଔଷଧ କାରବାର ଭଳି ଗୁରୁତର ଅଭିଯୋଗ ଆସିଛି । ଘଟଣା ସମ୍ପର୍କରେ ଜଣେ ଗ୍ରାହକ ଡ୍ରଗ କଣ୍ଟ୍ରୋଲରଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଶେଳଶ୍ରୀ ବିହାରର ଏକ ଔଷଧ ଦୋକାନରୁ ଜଣେ ଗ୍ରାହକ ବ୍ଲଡ ପ୍ରେସର ପାଇଁ ଔଷଧ କିଣିଥିଲେ । ସେହି ଔଷଧ ସେବନ କରିବା ପରେ କିଛି କାମ ନ କରିବାରୁ ସନେ୍ଦହ ସୃଷ୍ଟି ହୋଇଥିଲା । ପରେ ସେହି ଔଷଧକୁ ଅନ୍ୟ ଏକ ଔଷଧ ଦୋକାନରୁ କିଣି ଉଭୟ ଔଷଧର ମାନ ପରଖିଥିଲେ । ସନେ୍ଦହ ହେବା ପରେ ଡ୍ରଗ କଣ୍ଟ୍ରୋଲରଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଔଷଧ ନିୟନ୍ତ୍ରକଙ୍କ କାର୍ଯ୍ୟାଳୟରୁ ଏକ ସ୍ୱତନ୍ତ୍ର ଟିମ୍ ସମ୍ପୃକ୍ତ ଦୋକାନରେ ଚଢଉ କରି ସେହି ଔଷଧକୁ ସିଜ କରିଛନ୍ତି ।
ଦୋକାନୀଙ୍କ ପାଖକୁ ସେହି ଔଷଧ କେଉଁଠାରୁ ଆସିଥିଲା ଏବଂ ଏହାର ଷ୍ଟକିଷ୍ଟ କିଏ ସେସବୁ ତଥ୍ୟ ସଂଗ୍ରହ କରାଯାଉଛି । ସିଜ୍ ହୋଇଥିବା ଔଷଧ ନକଲି କି ନୁହେଁ ତାହାର ମାନ ନିରୂପଣ କରିବାକୁ ରାଜ୍ୟ ଔଷଧ ପରୀକ୍ଷଣ କେନ୍ଦ୍ରକୁ ପଠାଇ ତଦନ୍ତ କରାଯିବ ବୋଲି ସହକାରୀ ଡ୍ରଗ କଣ୍ଟ୍ରୋଲର କହିଛନ୍ତି । ସେପଟେ ଔଷଧ ଦୋକାନୀ ଏନେଇ କିଛି ଜାଣି ନ ଥିବା କହିଥିବାବେଳେ ବ୍ଲଡ ପ୍ରେସର ଔଷଧ ନହରକଣ୍ଟାରୁ ଆସିଥିବା କହିଛନ୍ତି ।
ଏହି ଅଭିଯୋଗ ସତ୍ୟ ହୋଇଥିଲେ ସାଙ୍ଘାତିକ ବୋଲି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ୱର ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନର ସଭାପତି ପ୍ରଗତି ମହାନ୍ତି । ଔଷଧ କମ୍ପାନୀ କୋଡ଼ରେ ଲୁଗା କମ୍ପାନୀର ନାମ ଆସିବା ଆଶ୍ଚର୍ଯ୍ୟ । ଏଭଳି ଘଟଣା ପ୍ରଥମ ଡ୍ରଗ୍ସ କଣ୍ଟ୍ରୋଲର ତଦନ୍ତ କରନ୍ତୁ । ଆମେ ସହଯୋଗ କରିବୁ । ଲୋକଙ୍କ ଜୀବନ ସହ ଖେଳିବା ଭଳି ଘଟଣାକୁ ସଙ୍ଘ କେବେବି ବରଦାସ୍ତ କରିବ ନାହିଁ । ନିଜ ଆଡୁ ତଦନ୍ତ କରାଯିବ । ଅଭିଯୋଗ ସତ୍ୟ ହେଲେ ସମ୍ପୃକ୍ତ ଦୋକାନୀ ଓ ଷ୍ଟକିଷ୍ଟଙ୍କୁ କଳା ତାଲିକାଭୁକ୍ତ କରିବ ବୋଲି ଡ୍ରଗିଷ୍ଟ ଆଣ୍ଡ କେମିଷ୍ଟ ଆସୋସିଏସନ ପକ୍ଷରୁ କୁହାଯାଇଛି ।