ମହେଞ୍ଜୋଦାରୋ ପାଚେରି ଧ୍ୱସ୍ତ
ଇସ୍ଲାମାବାଦ, ୬ା୯: ଆଠ ସପ୍ତାହର ଲଗାଣ ବର୍ଷା ପରେ ଭୀଷଣ ବନ୍ୟା ଆସି ପାକିସ୍ତାନର ଅଦେ୍ର୍ଧକ ଇଲାକାରେ ଜଳ ପ୍ରଳୟ ସୃଷ୍ଟି କରିଛି । ଏଥିରେ ସହସ୍ରାଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ୩କୋଟିରୁ ଅଧିକ ଲୋକ ବାସହରା ହୋଇଛନ୍ତି । ଇତି ମଧ୍ୟରେ ବର୍ଷା ଯୋଗୁଁ ବିଶ୍ୱପ୍ରସିଦ୍ଧ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର ମହେଞ୍ଜୋଦାରୋ ପ୍ରତି ବଡ ବିପଦ ସୃଷ୍ଟି ହୋଇଥିବା ଖବର ଆସିଛି । ୪୫୦୦ବର୍ଷ ପୂର୍ବର ଏହି ବିଶ୍ୱ ଐତିହ୍ୟସ୍ଥଳର ଅନେକ ପାଚେରୀ ଭୁଶୁଡି ପଡିଛି ।
ସିନ୍ଧ୍ ପ୍ରଦେଶର ଇଣ୍ଡସ୍ ନଦୀ ନିକଟ ମହେଞ୍ଜୋଦାରୋଠାରେ ପ୍ରାଚୀନ ସିନ୍ଧୁ ସଭ୍ୟତାର ଧ୍ୱଂସାବଶେଷ ରହିଛି । ସେଠାକୁ ବନ୍ୟା ଜଳ ପ୍ରବେଶ କରିନଥିଲେ ହେଁ ରେକର୍ଡ ପରିମାଣର ଲଗାଣ ବର୍ଷାରେ ଏହାର ବହୁ କ୍ଷୟକ୍ଷତି ଘଟିଥିବା ସେଠାକାର କୁ୍ୟରେଟର ଅହସାନ୍ ଅବାସି କହିଛନ୍ତି । ସେ କହିଛନ୍ତି, ମହେଞ୍ଜୋଦାରୋର ବଡବଡ ପାଚେରୀଗୁଡିକ ପ୍ରାୟ ୫ହଜାର ବର୍ଷ ପୂର୍ବେ ନିର୍ମିତ ହୋଇଥିଲା । ରେକର୍ଡ ପରିମାଣର ମୌସୁମୀ ବର୍ଷା ଯୋଗୁଁ ସେଗୁଡିକ ତାହା ଭୁଶୁଡି ପଡିଛି । ପ୍ରତ୍ନତତ୍ତ୍ୱବିତ୍ମାନଙ୍କ ଉପସ୍ଥିତିରେ ବହୁ ସଂଖ୍ୟକ ନିର୍ମାଣ ଶ୍ରମିକଙ୍କୁ ପାଚେରୀ ମରାମତିରେ ନିୟୋଜିତ କରାଯାଇଛି । ତେବେ ଅବାସି କ୍ଷୟକ୍ଷତିର ପୂର୍ଣ୍ଣ ବିବରଣୀ ଦେଇନାହାନ୍ତି । ୧୯୨୨ ମସିହାରେ ଆବିଷ୍କୃତ ମହେଞ୍ଜୋଦାରୋର ଲ୍ୟାଣ୍ଡ ମାର୍କ କୁହାଯାଉଥିବା ‘ବୌଦ୍ଧସ୍ତୂପ’ର ବିଶେଷ କ୍ଷୟକ୍ଷତି ହୋଇନାହିଁ । ତେବେ ସ୍ତୂପ ବାହାରେ ଥିବା ପାଚେରି ନଷ୍ଟ ହୋଇଯାଇଛି । କୋଠାରୀଗୁଡିକୁ ପୃଥକ୍ କରୁଥିବା କେତେକ ପାଚେରି ମାଟିରେ ମିଶିଯାଇଛି । ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନରେ ମହେଞ୍ଜୋଦାରୋକୁ ମିଶାଇ ୬ଟି ୟୁନେସ୍କୋ ମାନ୍ୟତାପ୍ରାପ୍ତ ବିଶ୍ୱ ଐତିହ୍ୟସ୍ଥଳ ଅଛି । ଭାରତରେ ଅଛି ଏପରି ୪୦ଟି ଐତିହ୍ୟସ୍ଥଳ । ମହେଞ୍ଜୋଦାରୋ ଦକ୍ଷିଣ ଏସିଆର ସର୍ବ ପ୍ରାଚୀନ ଯୋଜନାବଦ୍ଧ ସହର ତଥା ସିନ୍ଧୁ ସଭ୍ୟତାର ସର୍ବବୃହତ୍ ସହର ଥିଲା ।