ରୂପାନ୍ତରଣକୁ ଦେଖି ଶିକ୍ଷାଲାଭ କର

ଟ୍ରେନି ଆଇଏଏସ୍ଙ୍କ ସହ କଥାହେଲେ ମୁଖ୍ୟ ସଚିବ
ଭୁବନେଶ୍ୱର (ବୁ୍ୟରୋ): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଶିକ୍ଷାନବିଶ (ଟ୍ରେନି)ଙ୍କ ସହ ଆଲୋଚନା କରିଛନ୍ତି । ଗୋପବନ୍ଧୁ ପ୍ରଶାସନିକ ଏକାଡ଼େମୀ ମହା ନିଦେ୍ର୍ଦଶକ ରଞ୍ଜନା ଚୋପ୍ରାଙ୍କ ନେତୃତ୍ୱରେ ଏହି ୬ ଜଣିଆ ଦଳ ରାଜ୍ୟ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଥିଲେ । ଆଲୋଚନାରେ ଶ୍ରୀ ମହାପାତ୍ର ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ଅଭିନବ ସୃଜନାତ୍ମକ ପ୍ରଚେଷ୍ଟାରୁ ଶିକ୍ଷାଲାଭ କରି ନିଜ ନିଜ ଅଞ୍ଚଳରେ ସେସବୁର କ୍ଷେତ୍ରସ୍ତରୀୟ ପ୍ରୟୋଗ କରିବା ପାଇଁ ପରାମର୍ଶ ଦେଇଥିଲେ ।
ବିଶେଷତଃ ନୂଆ ଜିବୀକା ନିର୍ବାହ ପନ୍ଥା ସୃଷ୍ଟି, ଶିଳ୍ପ ପାଇଁ କ୍ଷେତ୍ର ଓ ଭିତ୍ତିଭୂମି ପ୍ରସ୍ତୁତି, ଗ୍ରାମ ସମୁଦାୟ ଭିତ୍ତିକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା, ପ୍ରକୃତି ପର୍ଯ୍ୟଟନ, ରୋଜଗାର କ୍ଷମତା ବୃଦ୍ଧି ମାଧ୍ୟମରେ ମହିଳା ସଶକ୍ତିକରଣ, ସହରାଞ୍ଚଳ ଜଙ୍ଗଲ ପରିଚାଳନା, ଗ୍ରାମାଞ୍ଚଳରେ ସହରୀ ସୁବିଧା ସୃଷ୍ଟି, ପ୍ରତି ଘରକୁ ପାଇପ୍ ଜଳ ଯୋଗାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ବିକାଶ, ସଡ଼କ ଓ ପୋଲ ନିର୍ମାଣ ଏବଂ ସେସବୁର ରକ୍ଷଣାବେକ୍ଷଣ, ପୋଲ ତଳେ ସ୍ୱଳ୍ପ ଉଚ୍ଚ ଡ୍ୟାମ୍ ନିର୍ମାଣ ଆଦି କ୍ଷେତ୍ରରେ ଅନେକ ନୂତନ କୌଶଳର ପ୍ରୟୋଗ ରାଜ୍ୟରେ ସଫଳତାର ସହ କରାଯାଇଛି ବୋଲି ଶ୍ରୀ ମହାପାତ୍ର କହିଥିଲେ । ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ସୃଜନାତ୍ମକ ପ୍ରୟୋଗ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ହାସଲ ହୋଇଥିବା ରୂପାନ୍ତରଣରୁ ମଧ୍ୟ ଶିକ୍ଷାଲାଭ କରିବାକୁ ଶ୍ରୀ ମହାପାତ୍ର ଟ୍ରେନିଙ୍କୁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ, ଭେଟିବାକୁ ଆସିଥିବା ସମସ୍ତ ଟ୍ରେନି ଓଡ଼ିଶା କ୍ୟାଡ଼ର ଅନ୍ତର୍ଭୁକ୍ତ ଏବଂ ସେମାନେ ୨୦୨୧ ବ୍ୟାଚ୍ର ବୋଲି ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *