୨ ବର୍ଷ ପରେ ଶ୍ରୀକ୍ଷେତ୍ରରେ ବ୍ରତ ପାଳିବେ ହବିଷ୍ୟାଳି
ପୁରୀ (ବୁ୍ୟରୋ): ମହାମାରୀ କରୋନା ପାଇଁ ବନ୍ଦ ଥିବା ହବିଷ୍ୟାଳିଙ୍କ ପାଇଁ ଶିବିର ପୁଣି ଚଳିତବର୍ଷ ଠାରୁ ଆରମ୍ଭ ହେବ । ସେଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋର୍ଦାର ଜାରି ରହିଛି । ଏନେଇ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ହବିଷ୍ୟାଳିମାନେ କିଭଳି ସୁବିଧାରେ ରହିବେ ସେ ନେଇ ଆଲୋଚନା ହୋଇଛି । ଚଳିତଥର ଦୁଇ ବର୍ଷ ପରେ ଆରମ୍ଭ ହେବ ହବିଷ୍ୟାଳି ଶିବିର । ପ୍ରାୟ ଅଢ଼େଇ ହଜାର ହବିଷ୍ୟାଳିଙ୍କ ପାଇଁ ହେଉଛି ବ୍ୟବସ୍ଥା । ସେଥିଲାଗି ଚଳିତମାସ ୧୦ରୁ ହବିଷ୍ୟାଳିଙ୍କ ନାମ ପଞ୍ଜିକରଣ ଆରମ୍ଭ ହୋଇ ୨୫ରେ ଶେଷ ହେବ । ଏନେଇ ଆସନ୍ତା ୮ ତାରିଖରେ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ଅକ୍ଟୋବର ୧୦ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଏଥର ନରେନ୍ଦ୍ରକୋଣସ୍ଥିତ ବୃନ୍ଦାବତୀ ଭବନ ଅର୍ଥାତ୍ ନୂତନ ହବିଷ୍ୟାଳି ଶିବିରରେ ରହିବେ ହବିଷ୍ୟାଳି । ଏହି ଭବନକୁ ହବିଷ୍ୟାଳିଙ୍କ ଉଦେ୍ଦଶ୍ୟରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଅନ୍ୟପକ୍ଷରେ ଉକ୍ତ ଭବନରେ ହବିଷ୍ୟାଳିଙ୍କ ସଂଖ୍ୟା ବଢ଼ିଲେ ରେଳବାଇ ଯାତ୍ରୀ ବିଶ୍ରାମଗାରକୁ ମଧ୍ୟ ଅସ୍ଥାୟୀ ଶିବିର କରାଯିବ । ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଥାନୀୟ ହବିଷ୍ୟାଳିମାନେ ନିଜର ନାମ ପଞ୍ଜିକରଣ କରିପାରିବେ । ଏତଦ୍ବ୍ୟତିତ ଯେଉଁ ହବିଷ୍ୟାଳିମାନେ ବୁଷ୍ଟର ଡୋଜ୍ ନେଇ ନ ଥିବେ ସେମାନେ ହବିଷ୍ୟାଳି କେନ୍ଦ୍ରରେ ରହିପାରିବେନି ବୋଲି ସ୍ପଷ୍ଟ କରିଛନ୍ତି ଜିଲ୍ଲାପାଳ । ଅଢ଼େଇ ହଜାରରୁ ତିନିହଜାର ହବିଷ୍ୟାଳିଙ୍କ ଲାଗି ମାଗଣାରେ ଖାଦ୍ୟ ଓ ମହାପ୍ରଭୁଙ୍କ ଦର୍ଶନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ତତ୍ସହିତ କାର୍ତ୍ତିକ ମାସରେ ଠାକୁରଙ୍କ ନୀତିକାନ୍ତି ଧାର୍ଯ୍ୟ ସମୟରେ ସମାପନ ହେବ ସେ ନେଇ ବୈଠକରେ ଆଲୋଚନା ହୋଇଛି ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ୍ତ କୁମାର ସାହୁ, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉପଜିଲ୍ଲାପାଳ ଭବତାରଣ ସାହୁ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରାଙ୍କ ସମେତ ପରିଚାଳନା କମିଟିର ସଦସ୍ୟାମାନେ ଉପସ୍ଥିତ ଥିଲେ । ସୂଚନାଥାଉକି, ଗତ ୨୦୧୬ ମସିହାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ହବିଷ୍ୟାଳିଙ୍କ ନିମନ୍ତେ ମାଗଣାରେ ହବିଷ୍ୟ ବ୍ରତ ପାଳନ କରିବାକୁ ବ୍ୟବସ୍ଥା ହୋଇଆସୁଅଛି ।