ଏସିଆ କପ୍ରୁ ଭାରତ ଆପାତତଃ ବିଦା

ଦୁବାଇ, ୬ା୯ (ଏଜେନ୍ସି): ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ସତ୍ତ୍ୱେ ଟିମ୍ ଇଣ୍ଡିଆ ମଙ୍ଗଳବାର ସୁପର୍-୪ ପର୍ଯ୍ୟାୟରେ କର ବା ମର ମ୍ୟାଚ୍ରେ ଶ୍ରୀଲଙ୍କା ଠାରୁ ୬ ୱିକେଟ୍ରେ ପରାଜିତ ହୋଇଛି । ଗୋଟିଏ ବଲ୍ ବାକି ଥାଇ ଶ୍ରୀଲଙ୍କା ଟିମ୍ ମ୍ୟାଚ୍ ଛଡ଼ାଇ ନେଇଛି । ଏଥିସହିତ କ୍ରମାଗତ ଦୁଇଟି ପରାଜୟ ସହ ଟିମ୍ ଇଣ୍ଡିଆ ଏସିଆ କପ୍ରୁ ଆପାତତଃ ବିଦାୟ ନେଇଛି ।
୧୭୪ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଶ୍ରୀଲଙ୍କା ଟିମ୍ ୧୯.୫ ଓଭର୍ରେ ୪ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା । ଦୁଇ ଓପନର୍ ପଥୁମ ନିଶଙ୍କା ଓ କୁଶଲ ମେଣ୍ଡିସ୍ ଦମ୍ଦାର ଢଙ୍ଗରେ ଇନିଂସ୍ ଆରମ୍ଭ କରିଥିଲେ । ୧୦ ଓଭର୍ରେ ଟିମ୍ର ସ୍କୋର୍ ୮୯/୦ ହୋଇଥିଲା । ନିଶଙ୍କା ୩୩ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ ।
୧୨ତମ ଓଭର୍ରେ ଏହି ଯୋଡ଼ି ଭାଙ୍ଗିଥିଲା । ଏହି ଓଭର୍ରେ ଯୁଜବେନ୍ଦ୍ର ଚହଲ ଦୁଇଟି ୱିକେଟ୍ ନେଇଥିଲେ । ପଥୁମ ନିଶଙ୍କା ୩୭ ବଲ୍ରୁ ୫୨ ରନ୍ କରିଥିଲେ । ପରବର୍ତ୍ତୀ ବ୍ୟାଟର୍ ଚରିତ ଅସଲଙ୍କା ଖାତା ଖୋଲି ନ ପାରି ପାଭିଲିଅନ୍ ଫେରିଥିଲେ ।
ଦାନୁଷ୍କା ଗୁଣତିଲକ ୧ ରନ୍ କରି ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ଶିକାର ହୋଇଥିଲେ । କୁଶଲ (୩୭ ବଲ୍ରୁ ୫୭)ଙ୍କ ଇନିଂସ୍ର ବି ଅନ୍ତ ଘଟାଇଥିଲେ ଚହଲ । ୧୧୦ ରନ୍ ମଧ୍ୟରେ ୪ ୱିକେଟ୍ ପଡ଼ିଥିଲା । ଏହାପରେ ଭାନୁକା ରାଜପାକ୍ଷ (୨୫) ଓ ଦାସୁନ ଶନକା (୩୩) ଇନିଂସ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ ।
ଏହା ପୂର୍ବରୁ ଶ୍ରୀଲଙ୍କା ଟିମ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଶ୍ରୀଲଙ୍କା ଟିମ୍ ଅପରିବର୍ତ୍ତିତ ରହିଥିଲା । ତେବେ ଭାରତୀୟ ଟିମ୍ରେ ରବି ବିଷ୍ଣୋଇଙ୍କ ସ୍ଥାନରେ ରବିଚନ୍ଦ୍ରନ୍ ଅଶ୍ୱିନଙ୍କୁ ସାମିଲ୍ କରାଯାଇଥିଲା ।
ଲୋକେଶ ରାହୁଲ ପୁଣି ଥରେ ଫ୍ଲପ୍ ହୋଇଛନ୍ତି । ସେ ୭ ବଲ୍ରେ ମାତ୍ର ୬ ରନ୍ କରି ମହୀଶ ତୀକ୍ଷ୍ଣାଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ଆଉଟ୍ ହୋଇଥିଲେ । ଏସିଆ କପ୍ର ଚାରି ମ୍ୟାଚ୍ରେ ସେ ଗୋଟିଏ ବି ଅର୍ଦ୍ଧଶତକ ଲଗାଇ ନାହାନ୍ତି । ତାଙ୍କ ଷ୍ଟ୍ରାଇକ୍ ରେଟ୍ ମଧ୍ୟ ଚିନ୍ତାର ବିଷୟ ହୋଇଛି । ଦ୍ୱିତୀୟ ଓଭର୍ରେ ୧୧ ରନ୍ରେ ଓପନିଂ ଯୋଡ଼ି ଭାଙ୍ଗିଥିଲା ।
ପାକିସ୍ତାନ ବିପକ୍ଷ ପୂର୍ବ ମ୍ୟାଚ୍ରେ ଅର୍ଦ୍ଧଶତକ ଲଗାଇଥିବା ବିରାଟ କୋହଲି ଖାତା ଖୋଲି ପାରି ନ ଥିଲେ । ଯୁବ ପେସର୍ ଦିଲଶାନ ମଦୁଶଙ୍କାଙ୍କ ଭିତରକୁ ଆସୁଥିବା ବଲ୍ରେ ସେ କ୍ଲିନ୍ ବୋଲ୍ଡ ହୋଇଥିଲେ ।
୧୩ ରନ୍ ମଧ୍ୟରେ ଦୁଇ ୱିକେଟ୍ ପଡ଼ିବା ପରେ ରୋହିତ ଶର୍ମା ନୂଆ ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ରୋହିତ ୩୨ ବଲ୍ରୁ ଟି-୨୦ ଆନ୍ତର୍ଜାତିକ କ୍ୟାରିଅରର ୨୮ତମ ଅର୍ଦ୍ଧଶତକ ପୂରଣ କରିଥିଲେ । ୧୦ ଓଭର୍ ସୁଦ୍ଧା ସ୍କୋର୍ ହୋଇଥିଲା ୭୯/୨ ।
ଉଭୟଙ୍କ ପ୍ରୟାସରେ ଇନିଂସ୍ ୧୦୦ ଅତିକ୍ରମ କରିଥିଲା । ଉଭୟଙ୍କ ମଧ୍ୟରେ ୫୮ ବଲ୍ରୁ ୯୭ ରନ୍ର ଭାଗୀଦାରୀ ହୋଇଥିଲା । ରୋହିତଙ୍କ ଚିତ୍ତାକର୍ଷକ ଇନିଂସ୍ର ଅନ୍ତ ଘଟାଇଥିଲେ ଚମିକା କରୁଣାରତ୍ନେ । ରୋହିତ ୪୧ ବଲ୍ରୁ ୫ ଚୌକା ଓ ୪ ଛକା ସହାୟତାରେ ୭୨ ରନ୍ର ଇନିଂସ୍ ଖେଳିଥିଲେ ।
ତାଙ୍କ ପରେ ସୂର୍ଯ୍ୟକୁମାର ବି ଶୀଘ୍ର ଆଉଟ୍ ହୋଇଯାଇଥିଲେ । ସେ ୨୯ ବଲ୍ରୁ ୩୪ ରନ୍ କରିଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା (୧୭), ଦୀପକ ହୁଡ଼ା (୩), ରିଷଭ ପନ୍ତ (୧୭) ଖାସ୍ ପ୍ରଦର୍ଶନ କରିପାରି ନ ଥିଲେ । ପାଣ୍ଡ୍ୟା ଦାସୁନ ଶନକାଙ୍କ ବଲ୍ରେ ଏବଂ ଦୀପକ ଓ ପନ୍ତ ମଦୁଶଙ୍କାଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ ।
ଶେଷ ଓଭର୍ରେ ଭୁବନେଶ୍ୱର କୁମାର ବିନା ସ୍କୋର୍ରେ କରୁଣାରତ୍ନେଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ରବିଚନ୍ଦ୍ରନ୍ ଅଶ୍ୱିନ ୭ ବଲ୍ରୁ ୧୫ ଓ ଅର୍ଶଦୀପ ୧ ରନ୍ କରି ଅପରାଜିତ ଥିଲେ । ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୮ ୱିକେଟ୍ ହରାଇ ୧୭୩ ରନ୍ ସଂଗ୍ରହ କରିଥିଲା । ବିପକ୍ଷ ବୋଲର୍ ମଦୁଶଙ୍କା ୨୪ ରନ୍ ଦେଇ ୩ ୱିକେଟ୍ ଅକ୍ତିଆର କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *