ବ୍ଲକ୍ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ
ପିଇବା ପାଣି ସମସ୍ୟା
ଛେଣ୍ଡିପଦା (ଆପ୍ର): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ପାଟକୁମୁଣ୍ଡା ଗ୍ରାମ ହରିଜନ ସାହିରେ ପିଇବା ପାଣି ସମସ୍ୟାକୁ ନେଇ ମଙ୍ଗଳବାର ଗ୍ରାମର ଶତାଧିକ ପୁରୁଷ ଓ ମହିଳା ବ୍ଲକ୍ ମୁଖ୍ୟ ଫାଟକରେ ତାଲା ପକାଇବା ସହିତ ଧାରଣାରେ ବସିଥିଲେ । ଗ୍ରାମବାସିଙ୍କ ଅଭିଯୋଗ ଅନୁଯାୟୀ ପାଟକୁଣ୍ଡା ଗ୍ରାମର ହରିଜନ ସାହିର ପ୍ରାୟ ୨୦୦ ପରିବାର ବାସ କରନ୍ତି । ଆଜକୁ ୪ ବର୍ଷ ହେବ ବସୁଧା ଯୋଜନାରେ ଦିଆଯାଉଥିବା ପିଇବା ପାଣି ବ୍ୟବହାର କରି ଆସୁଥିଲେ । ବର୍ଷେ ହେବ ବୋରୱେଲର ଜଳସ୍ତର କମିଯିବାରୁ ହରିଜନ ସାହିର ବସ୍ତିକୁ ପିଈବା ପାଣି ଠିକ୍ ଭାବେ ପହଁଚି ପାରୁନାହିଁ । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମୁଖିନ ହେଉଛନ୍ତି । ଏ ନେଇ ସ୍ଥାନିୟ ସରପଞ୍ଚ ଠାରୁ ବିଭାଗିୟ ଅଧିକାରିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନଥିଲା ।
ଏ ନେଇ ଗତ ମାସରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ପିଇବା ପାଣିର ସମସ୍ୟାକୁ ସମାଧାନ କରିବା ପାଇଁ ଦାବି କରିଥିଲେ । ବ୍ଲକ୍ ପାନୀୟ ଜଳ ବିଭାଗ ପକ୍ଷରୁ ୧୦ ଦିନ ଭିତରେ ଏହାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ କୈାଣସି ପଦକ୍ଷେପ ନେଇ ନ ଥିଲେ । ତେଣୁ ମଙ୍ଗଳବାର ହରିଜନ ସାହିର ପୁରୁଷ ଓ ମହିଳା ବ୍ଲକ୍ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ । ଏ ନେଇ ଛେଣ୍ଡିପଦା ଗୋଷ୍ଠି ଉନ୍ନୟନ ଅଧିକାରୀ ତ୍ରିବିକ୍ରମ କୁମୁରା ଧାରଣା ସ୍ଥଳରେ ପହଁଚି ଶୁକ୍ରବାର ଗ୍ରାମକୁ ଯାଇ କିପରି ସମସ୍ତେ ପାନୀୟ ଜଳ ପାଇପାରିବେ ସେ ନେଇ ବ୍ୟବସ୍ଥା କରାଯିବ ଏବଂ ଯେ ପର୍ଯ୍ୟନ୍ତ ପାନୀୟ ଜଳ ସମସ୍ୟାର ସମାଧାନ ନ ହୋଇଛି ସେ ପର୍ଯ୍ୟନ୍ତ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଗ୍ରାମବାସୀ ଧାରଣାରୁ ଓହରି ଥିଲେ ।