ଲିଜ୍ ହେବେ ପ୍ରଧାନମନ୍ତ୍ରୀ
ଲଣ୍ଡନ, ୫ା୯: ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ପଦ ପାଇଁ କଜରଭେଟିଭ୍ ପାର୍ଟି (ଟୋରୀ) ସଦସ୍ୟମାନଙ୍କ ମଧ୍ୟରେ ହୋଇଥିବା ନିର୍ବାଚନରେ ବିଦେଶମନ୍ତ୍ରୀ ଲିଜ୍ ଟ୍ରସ୍ ଜିତିଛନ୍ତି । ଭାରତୀୟ ବଂଶଜ ତଥା ପୂର୍ବତନ ଚାନ୍ସେଲେର (ଅର୍ଥମନ୍ତ୍ରୀ) ରୁଷି ସୁନକଙ୍କୁ ୨୦, ୯୨୭ ଭୋଟ୍ରେ ପରାସ୍ତ କରିଛନ୍ତି ଲିଜ୍ ଟ୍ରସ୍ । ୪୭ ବର୍ଷୀୟା ଟ୍ରସଙ୍କୁ ୮୧, ୩୨୬ (୫୭.୪%) ଭୋଟ୍ ମିଳିଥିବାବେଳେ ସୁନକ ପାଇଛନ୍ତି ୬୦, ୩୯୯ (୪୨.୬%) ଭୋଟ୍ । ଏହା ସହିତ ୫୨ ଦିନ ଧରି ଚାଲିଥିବା କଞ୍ଜରଭେଟିଭ୍ ପାର୍ଟି ନେତୃତ୍ୱ ଲଢ଼େଇ ସୋମବାର ଶେଷ ହୋଇଛି । ମଙ୍ଗଳବାର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଭେଟି ଇସ୍ତଫା ଦେବେ । ଟ୍ରସ୍ ମଧ୍ୟ ମଙ୍ଗଳବାର ପ୍ରଧାନମନ୍ତ୍ରୀ ରୂପେ କାର୍ଯ୍ୟଭାର ଗ୍ରହଣ କରିବେ ।
ଟ୍ରସ୍ ହେବେ ବ୍ରିଟେନ୍ର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ । ପୂର୍ବରୁ ମାର୍ଗାରେଟ୍ ଥାଚର ଓ ଥେରେସା ମେ ଏହି ପଦରେ ଥିଲେ । ଗତ ୬ ବର୍ଷ ଭିତରେ ଦେଶରେ ତିନିଜଣ ପ୍ରଧାନମନ୍ତ୍ରୀ ହେଲେଣି; ଏବେ ଟ୍ରସ୍ ହେବେ ଚତୁର୍ଥ ପ୍ରଧାନମନ୍ତ୍ରୀ । ସେ ମଧ୍ୟ ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଶାସନ କାଳରେ ବ୍ରିଟେନ୍ର ପଞ୍ଚଦଶ ପ୍ରଧାନମନ୍ତ୍ରୀ ହେବେ ।
ଟ୍ରସ୍ ଟିକସ ହ୍ରାସ ତଥା ଦେଶର ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ପାଇଁ ‘ବୋଲ୍ଡ ପ୍ଲାନ୍’ ପ୍ରତିଶ୍ରୁତି ଦେବା ସହିତ ୨୦୨୪ ସାଧାରଣ ନିର୍ବାଚନରେ ତାଙ୍କ ଦଳ ପୁଣି ଥରେ ସରକାର ଗଢ଼ିବା ସୁନିଶ୍ଚିତ ବୋଲି କହି ଟରି ସଦସ୍ୟମାନଙ୍କ ମନ ଜିଣିଛନ୍ତି ।
ସୁନକଙ୍କ ପରାଜୟର ଦୁଇଟି ପ୍ରଧାନ କାରଣ ହେଲା- ତାଙ୍କ ପତ୍ନୀ ଅକ୍ଷତାଙ୍କ ପାଖରେ ବ୍ରିଟେନ୍ର ନାଗରିକତା ନାହିଁ । ବ୍ରିଟିସ୍ବାସୀ ଦ୍ୱୈତ ନାଗରିକତା ରଖି ପାରିବେ କିନ୍ତୁ ସୁନକଙ୍କ ଭଳି ବଡ଼ ନେତାଙ୍କ ପତ୍ନୀ ବ୍ରିଟିଶ ନାଗରିକତା ରଖି ନ ଥିବା କଥାକୁ ଟରି ସଦସ୍ୟମାନେ ପସନ୍ଦ କଲେ ନାହିଁ । ଅକ୍ଷତା ଇନ୍ଫୋସିସ୍ ପ୍ରତିଷ୍ଠାତା ନାରାୟଣମୂର୍ତ୍ତିଙ୍କ କନ୍ୟା । ତାଙ୍କ ପାଖରେ ଅଛି ୭୩୦ ଲକ୍ଷ୍ୟ ପାଉଣ୍ଡର ସମ୍ପତ୍ତି ଯାହାକି ମହାରାଣୀଙ୍କ ସମ୍ପତ୍ତିଠାରୁ ଅଧିକ ।
ଦ୍ୱିତୀୟତଃ କଞ୍ଜରଭେଟିଭ୍ ପାର୍ଟିର ଅଧିକାଂଶ ବ୍ରିଟିଶ ସଦସ୍ୟ ନିଜ ଦେଶର ମୂଳ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ପସନ୍ଦ କରନ୍ତି । ବୋରିସ୍ ଜନସନ୍ଙ୍କ ଇସ୍ତଫା ପରେ ସୁନକ ପ୍ରଧାନମନ୍ତ୍ରୀ ପଦ ପାଇଁ ସବା ଆଗେ ଦାବି ଉପସ୍ଥାପନ କରିଥିଲେ । ପରେ ପରେ ଆରମ୍ଭ ହୋଇଥିଲା ‘ରେଡୀ ଫର୍ ରୁଷି’ କ୍ୟାମ୍ପେନ୍ । ଅନ୍ୟ ଅନେକ ଆଶାୟୀ ରେସ୍ରୁ ବାହାରି ଗଲେ । ଲିଜ୍ ଟ୍ରସ୍ ସବା ଶେଷରେ ଏହି ଦୌଡ଼ରେ ସାମିଲ୍ ହେବା ସତ୍ତ୍ୱେ ସୁନକଙ୍କ ସ୍ୱପ୍ନକୁ ଚୁରମାର୍ କରିଦେଲେ । ଜନ୍ସନ୍ ସୁନକଙ୍କ ରାଜନୈତିକ କ୍ୟାରିୟରକୁ ଆଗକୁ ବଢ଼ାଇଥିଲେହେଁ ତାଙ୍କ ବିରୋଧରେ ସୁନକଙ୍କ ହିଁ ପ୍ରଥମେ ବିଦ୍ରୋହ କରିଥିଲେ ଯାହାକୁ ଅନେକ ଟରି ସଦସ୍ୟ ପସନ୍ଦ କଲେ ନାହିଁ ।
ଭାବି ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ଙ୍କ ପିତା ଗଣିତ ପ୍ରଫେସର, ମା’ ନର୍ସ । ସେ ଅକ୍ସଫୋର୍ଡରେ ଦର୍ଶନ, ରାଜନୀତି ଓ ଅର୍ଥଶାସ୍ତ୍ର ପଢ଼ିଛନ୍ତି । ରାଜନୀତିକୁ ଆସିବା ପୂର୍ବରୁ ସେ କିଛିଦିନ ଆକାଉଣ୍ଟାଣ୍ଟ୍ ଭାବେ କାର୍ଯ୍ୟ କରିଥିଲେ ।
ବ୍ରିଟିଶ ପ୍ରଧାନମନ୍ତ୍ରୀ ଲଣ୍ଡନର ୧୦, ଡାଉନିଂ ଷ୍ଟ୍ରିଟ୍ରେ ରହନ୍ତି । ଦରମା ବାବଦରେ ତାଙ୍କୁ ମିଳିଥାଏ ଦେଢ଼ କୋଟିରୁ ଅଧିକ ଟଙ୍କା ।