ଏସ୍ପି ଅଫିସ୍ ଘେରିଲେ ଅଟୋଚାଳକ
ପୁରୀ (ବୁ୍ୟରୋ): ପୁରୀରେ ଯାତ୍ରୀ ପରିବହନ ଓ ଅଟୋଚାଳନା କ୍ଷେତ୍ରରେ ମାର୍ଗଦର୍ଶିକା ନ ଥିବା ଯୋଗୁଁ ପୁଲିସ ଜୁଲମ୍ର ଶିକାର ହେଉଛନ୍ତି ଅଟୋ ଡ୍ରାଇଭର୍ମାନେ । ବିନା କାରଣରେ ପୁଲିସ ଗାଡ଼ି ଭିଡ଼ି ନେଉଛି ତ କେତେବେଳେ ମାତ୍ରାଧିକ ଜରିମାନା ଆଦାୟ କରୁଛି । ବଡ଼ଦାଣ୍ଡ ସଙ୍କୁଚିତ ହେଲାବେଳେ ବସ୍କୁ ମରିଚିକୋର୍ଟ ପର୍ଯ୍ୟନ୍ତ ଅନୁମତି ଦିଆଯାଉଛି ଅଥଚ ଅଟୋକୁ ମାର୍କେଟ ଛକ ପର୍ଯ୍ୟନ୍ତ ଅନୁମତି । ସହରର ବିଭିନ୍ନ ଛକରେ ଷ୍ଟାଣ୍ଡ ନାଁରେ ଲକ୍ଷ ଲକ୍ଷ ଆଦାୟ କରି କିଛି ମୁଷ୍ଟିମେୟ ଲୋକ ଲାଭରେ ଅଛନ୍ତି । ସହରର ବିଭିନ୍ନ ଛକରେ ଅଟୋ ରଖିବା ପାଇଁ ସ୍ଥାନ ନିରୂପଣ କଲେ ନାହିଁ । ଏହାକୁ ବିରୋଧ କରି ଶ୍ରୀକ୍ଷେତ୍ର ଅଟୋ ଚାଳକ ସଙ୍ଘ କର୍ମଚାରୀମାନେ ଏକ ପଟୁଆର ଗୁଣ୍ଡିଚା ମନ୍ଦିର ଠାରୁ ଏସ୍ପି ଅଫିସ ପର୍ଯ୍ୟନ୍ତ ଆସି ବିକ୍ଷୋଭ କରିଥିଲେ ।
ୟୁନିଅନ୍ ସଭାପତି ଶରତ କୁମାର ରାୟଗୁରୁ, ସମ୍ପାଦକ କୁପାସିନ୍ଧୁ ପଣ୍ଡା, ଜଗନ୍ନାଥ ଦେଓ, ମନୋରଞ୍ଜନ ମହାରଣା, ରାଜକିଶୋର ସାହୁ, ପୂର୍ଣ୍ଣ ମୁଦୁଲି, ରାଜଦୀପ କର୍ମକାର, ଯୁଧିଷ୍ଠିର ନାୟକ, ଚରଣ ସାହୁ, ରାଜେଶ ଜେନା, ଗୋବିନ୍ଦ ମାନ୍ନା, ନୃସିଂହ ସେଠି, ଟୁନା ନାୟକ, ରତନ କୁମାର ସାହୁ ପ୍ରମୁଖ ଏସ୍ପିଙ୍କୁ ଦାବିପତ୍ର ଦେବା ସହ ଆଲୋଚନା କରିଥିଲେ । ଏସ୍ପିଙ୍କ ନିଦେ୍ର୍ଦଶରେ ଟ୍ରାଫିକ ଆଇଆଇସି, ଡିଏସ୍ପିଙ୍କ ସହ ଅଟୋ ୟୁନିଅନ୍ କର୍ମକର୍ତ୍ତାମାନଙ୍କୁ ନେଇ ଆଲୋଚନା ହୋଇଥିଲା । ଏଥିରେ ଦାବିଗୁଡ଼ିକ ଆଗାମୀ ଦିନରେ ମୁ୍ୟନିସ୍ପାଲିଟି, ଆର୍ଟିଏ ସହ ବୈଠକ ହୋଇ ନିଷ୍ପତ୍ତି ନିଆଯିବ ବୋଲି ସଭାପତି ଶ୍ରୀ ରାୟଗୁରୁ ଗଣମାଧ୍ୟମକୁ କହିଛନ୍ତି ।