ସାପ୍ତାହିକ ହାଟ ଓ ମାର୍କେଟ କମ୍ପ୍ଲେକ୍ସ ନିଲାମ କେବେ?
ସୁକିନ୍ଦା (ଆପ୍ର) : ଯାଜପୁର ଜିଲ୍ଲା ସୁକିନ୍ଦା ଗଡ଼ର ନୂତନ ସାପ୍ତାହିକ ହାଟ ଗତ ଏପ୍ରିଲ ୧୦ରୁ ଆରମ୍ଭ ହୋଇଥିବା ବେଳେ ଇତିମଧ୍ୟରେ ୫ ମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ହାଟର ନିଲାମ ପ୍ରକ୍ରିୟା ଆରମ୍ଭ କରାଯାଇ ନାହିଁ । ଫଳରେ ପ୍ରତ୍ୟେକ ରବିବାରକୁ ରବିବାର କିଛି ସ୍ଥାନୀୟ ଯୁବକ ହାଟ ମାହାସୁଲ ନାଁରେ ବ୍ୟବସାୟୀଙ୍କ ଠାରୁ ବଳପୂର୍ବକ ସାପ୍ତାହିକ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି । ଜିପିଓ ଏବଂ ବିଡ଼ିଓଙ୍କୁ ଏ ସମ୍ପର୍କରେ ବାରମ୍ବାର ପଚାରିଲେ ସୁଦ୍ଧା ନିଲାମ ପ୍ରକ୍ରିୟା ଖୁବଶୀଘ୍ର ହେବ ବୋଲି କହୁଛନ୍ତି । ହେଲେ ଦୀର୍ଘ ପାଞ୍ଚ ମାସ ହେବ ଏହି ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ରେ ହିଁ ରହିଯାଇଛି ।
ଅନ୍ୟପଟ ରେ ଦୀର୍ଘ ୨୦ ବର୍ଷ ହେବ ସୁକିନ୍ଦା ହନୁମାନ ଛକରେ ନିର୍ମାଣ ହୋଇଛି ୨୦ ବଖରା ବିଶିଷ୍ଟ ଏକ ମାର୍କେଟ କମ୍ପ୍ଲେକ୍ସ । ଯାହା କି ଏବେ ଏହି ମାର୍କେଟ କମ୍ପ୍ଲେକ୍ସ ରହିଛି କିଛି ଦଲାଲଙ୍କ କବ୍ଜାରେ । ମାର୍କେଟ କମ୍ପ୍ଲେକ୍ସର ୧୦ଟି ଗୃହ ଏବେ ଭଗ୍ନ ଅବସ୍ଥାରେ ପଡି ରହିଥିବା ବେଳେ ଏବେ ଏହା ମଦୁଆଙ୍କ ଆ‡ାସ୍ଥଳୀ ପାଲଟିଛି । ଆଉ ୧୦ ଟି ଗୃହ କୁ ନେଇ କିଛି ବ୍ୟବସାୟୀ ଦୋକାନ କରିଥିବା ବେଳେ ଏହି ଦଶ ଜଣଙ୍କ ଠାରୁ ପ୍ରତିମାସରେ ହଜାରରୁ ୧୫୦୦ ଟଙ୍କା ଲେଖାଏଁ ମାସିକିଆ ଭଡ଼ା ଆଦାୟ କରୁଛନ୍ତି ସ୍ଥାନୀୟ ଯୁବକ । ବିଭାଗୀୟ ଜେଇ ମ୍ୟାଡ଼ମ ସବିତା ସୋରେନଙ୍କ ଘର କଳିଙ୍ଗନଗର ଅଞ୍ଚଳର ଗୋବରଘାଟିରେ ହୋଇଥିବା ବେଳେ ସେ ନିର୍ବାହୀ ଯନ୍ତ୍ରୀ ଭାବେ ସୁକିନ୍ଦା ବ୍ଲକ୍ କାର୍ଯ୍ୟାଳୟ ରେ ଚାକିରୀ କରିଛନ୍ତି । ଜେଇ ମ୍ୟାଡ଼ମଙ୍କ ମନମୁଖୀ କାର୍ଯ୍ୟ ପାଇଁ ଜନ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି କୁହାଯାଉଛି । ଏଠି ପ୍ରଶ୍ନ ଉଠୁଛି ଯଦି ସାପ୍ତାହିକ ହାଟ ଏବଂ ଦୈନିକ ମାର୍କେଟ କମ୍ପ୍ଲେକ୍ସ ନିଲାମ ନ ହେବା ସତ୍ତ୍ୱେ ମଧ୍ୟ କିଛି ସ୍ଥାନୀୟ ଦଲାଲ ବ୍ୟବସାୟୀଙ୍କ ଠୁ ଆଦାୟ କରୁଥିବା ହଜାର ହଜାର ଟଙ୍କା ଯାଉଛି କାହା ପକେଟକୁ । ଏଥିପ୍ରତି ଯାଜପୁର ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ଦେଇ ଉଚିତ୍ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।