ସମାଧାନ ପାଇଁ ଅଣ୍ଟା ଭିଡ଼ିଲା ପ୍ରଶାସନ
୭ଠ ବର୍ଷ ହେଲା ଫାସୁଳାର ୮୫ ମହାରଣା ପରିବାର ବାସନ୍ଦ
ଖଲ୍ଲିକୋଟ (ଆପ୍ର): ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଫାସୁଳା ଗ୍ରାମର ୮୫ ଧରମା ମହାରଣା ପରିବାର ୭୦ ବର୍ଷ ଧରି ଲାଗି ରହିଥିବା ବାସନ୍ଦ ମାମଲାର ସମାଧାନ ପାଇଁ ପ୍ରଶାସନ ଅଣ୍ଟା ଭିଡ଼ିଛି । ଜିଲ୍ଲାପାଳଙ୍କ ନିଦେ୍ର୍ଦଶକ୍ରମେ ମଙ୍ଗଳବାର ଅପରାହ୍ନ ୩ଟାରେ ଖଲ୍ଲିକୋଟ ବ୍ଲକ୍ ପଞ୍ଚାୟତ ସମିତି ସଭାଗୃହରେ ସ୍ଥାନୀୟ ତହସିଲଦାର ରାଜକିଶୋର ପଟ୍ଟନାୟକ, ଖଲ୍ଲିକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ମିତାଲି ପାତ୍ର, ଅତିରିକ୍ତ ତହସିଲଦାର ଜ୍ୟୋର୍ତିମୟୀ ଦାସ, ଖଲ୍ଲିକୋଟ ଥାନାଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବାସନ୍ଦ ମାମଲାର ସମାଧାନ କରାଯାଇ ସାମାଜିକ ସହାବସ୍ଥାନ ପାଇଁ ଉପସ୍ଥିତ ମହାରଣା ସମାଜର ବିଭିନ୍ନ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ପରାମର୍ଶ ଦିଆଯାଇଥିଲା ।
ମହାରଣା ସମାଜର ଖଲ୍ଲିକୋଟ ତାଲୁକା ସଭାପତି ଗୌରହରି ମହାରଣା ଆଲୋଚନାରେ ଅଂଶଗ୍ରହଣ କରି ଫାସୁଳା ଗ୍ରାମର ଧରମା ମହାରଣା ସମାଜ ମିଶିବା ପାଇଁ ଏକ ସଂଘକୁ ଲିଖିତ ଆବେଦନ କଲେ । ଦକ୍ଷିଣ ଓଡ଼ିଶାର ଥିବା ମହାରଣା ସମାଜର ୩୪ଟି ତାଲୁକା କମିଟି ସହ ଆଲୋଚନା କରି ଏହାର ସ୍ଥାୟୀ ସମାଧାନ କରିବାକୁ ଉଦ୍ୟମ କରାଯିବ ବୋଲି ସେ ପ୍ରକାଶ କରିଥିଲେ । ଖଲ୍ଲିକୋଟ ତାଲୁକା ସଭାପତିଙ୍କୁ ବାରମ୍ବାର ଫାସୁଳା ଧରମା ମହାରଣା ସମାଜ ପକ୍ଷରୁ ୮୫ପରିବାରର ଲିଖିତ ଆବେଦନ ପତ୍ର ପ୍ରଦାନ କରି ଆସିଥିଲେ ମଧ୍ୟ ଏହାର କୌଣସି ସମାଧାନ ନହେବା ଫଳରେ ଫାସୁଳା ଧରମା ମହାରଣା ସମାଜ ସଭାପତି ଶ୍ରୀହର୍ଷ ମହାରଣା ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ଫାସୁଳା ଗ୍ରାମର କେତେକ ବାସନ୍ଦ ମହିଳା ଅସୁବିଧାର ସମ୍ମୁଖୀନ ହେଉଥିବା ପ୍ରଶାସନ ଆଗରେ ଅଭିଯୋଗ କରିଥିଲେ । ଯେଉଁମାନେ ଫାସୁଳା ମହାରଣା ପରିବାରଙ୍କୁ ଏଭଳି ହଇରାଣ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ୱକର୍ମା ସମାଜ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମହାରଣା ପ୍ରଶାସନ ଦୃଷ୍ଟି ଆକର୍ଷଣ କରିଥିଲେ । ଦକ୍ଷିଣ ଓଡ଼ିଶା ତାଲୁକାସ୍ତରୀୟ ସଭାପତି ସନ୍ତୋଷ ମହାରଣା ଘଟଣାର ସମାଧାନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଅକ୍ଟୋବର ୫ ତାରିଖ ସୁଦ୍ଧା ବାସନ୍ଦ ମାମଲାର ମିମାଂଶା ପାଇଁ ସମୟସୀମା ଧାର୍ଯ୍ୟ ହୋଇଛି । ପ୍ରକାଶଥାଉକି, ଶିଳ୍ପୀ ଗ୍ରାମ ଫାସୁଳାର ୮୫ ପରିବାର ଉପରେ ଦୀର୍ଘ ୭୦ ବର୍ଷ ଧରି ତାଲୁକାସ୍ତରରେ କରାଯାଇଥିବା ବାସନ୍ଦକୁ ହଟାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳ, ଗଞ୍ଜାମ ଏସ୍ପି ଓ ଖଲ୍ଲିକୋଟ ଥାନାଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ।