ଭବ୍ୟ ସ୍ୱାଗତ ଅପେକ୍ଷାରେ ଭୁବନେଶ୍ୱର
ଆଜି ଓଡିଶା ଫେରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୫ା୯ (ବୁ୍ୟରୋ): ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିବେ । ଦିଲ୍ଲୀରେ ଜୀବନବ୍ୟାପି ସାଧନା ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡିଶା ଫେରୁଛନ୍ତି । ଆଉ ତାଙ୍କ ଭବ୍ୟ ସ୍ୱାଗତ, ସମ୍ବର୍ଦ୍ଧନା ପାଇଁ ଜୋରଦାର ପ୍ରସ୍ତୁତି କରୁଛି ବିଜୁ ଜନତା ଦଳ (ବିଜେଡି) । ସମ୍ମାନୀତ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଆସନ୍ତାକାଲି ବିଜେଡିର ବିଧାୟକ, ସାଂସଦ ଓ ମନ୍ତ୍ରୀମାନେ ବିମାନବନ୍ଦରରେ ଉପସ୍ଥିତ ରହିବେ । ମୁଖ୍ୟମନ୍ତ୍ରୀଙ୍କୁ ଜୀବନ ବ୍ୟାପୀ ସାଧାନ ସମ୍ମାନ ମିଳିବା ପରେ ସାରା ରାଜ୍ୟରୁ ୫୦ ହଜାରରୁ ଊଦ୍ଧ୍ୱର୍ ଲୋକ ରାଜଧାନୀରେ ଏକଜୁଟ ହୋଇ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ଯୋଜନା ରହିଛି । ଯାହାକୁ ନେଇ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତ ହାତକୁ ନିଆଯାଇଥିବା ଡିସିପି ପ୍ରତୀକ ସିଂ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପାଇଁ ବିଜେଡି ପକ୍ଷରୁ ଭୁବନେଶ୍ୱର ବିମାନବନ୍ଦର ସହ ସହରର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବଡ଼ ପୋଷ୍ଟର ବ୍ୟାନର ଲଗାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦରଦୃଷ୍ଟି ସମ୍ପନ୍ନ ଚିନ୍ତାଧାରା ସହ ବିଭିନ୍ନ ଜନହୀତକାରୀ ଯୋଜନାର ପୋଷ୍ଟର ଓ ବ୍ୟାନର ଲାଗଯାଇଛି । ରାଜ୍ୟର କୋଣ ଅନୁକୋଣରୁ ଦଳୀୟ କର୍ମୀ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ କରିଛି । ଏହି ସମାରୋହକୁ ସଫଳ କରିବାକୁ ପୂରା ବିଧାୟକ ଓ ମନ୍ତ୍ରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ କାମ କରୁଥିବାବେଳେ ଖୋଦ୍ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସ ଏନେଇ ସମୀକ୍ଷା କରୁଛନ୍ତି । ମଙ୍ଗଳବାର ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚôବେ ବୋଲି ପ୍ରାଥମିକ ସୂଚନାରୁ ପ୍ରକାଶ ପାଇଛି ।
ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ଆୟୋଜନ କରାଯାଇଥିବାବେଳେ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମ ୧ ଘଣ୍ଟା ଧରି ହେବ ବୋଲି କୁହାଯାଉଛି । ଲୋକ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ହୋଇଛି । ଲୋକଙ୍କ ସୁରକ୍ଷା ଓ ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ସବୁ ଛକରେ ପୁଲିସ ଫୋର୍ସ ମୂତୟନ ହେବେ । ୧୦୦ରୁ ଅଧିକ ବରିଷ୍ଠ ପୁଲିସ ଅଧିକାରୀ ଏବଂ ୩୦ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ସୁରକ୍ଷା ଦାୟିତ୍ୱରେ ୮ଜଣ ଏଡିସିପି ଓ ୧୬ଜଣ ଏସିପି ରହିବେ ।
ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସୁଥିବା ନାଗରିକଙ୍କ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ପାର୍କିଂ ପାଇଁ ୩ଟି ସ୍ଥାନ ଚିହ୍ନଟ କରାଯାଇଛି । କ୍ୟାପିଟାଲ ହସପିଟାଲ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ନିକଟରେ ମଧ୍ୟ ହେବ ପାର୍କିଂ । ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି ।ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସକାଳ ୮ଟାରୁ ଅପରାହ୍ନ ୧ଟା ମଧ୍ୟରେ ଯଦି କାହାର ଫ୍ଲାଇଟ୍ ଥିବ, ତେବେ ବିମାନ ଯାତ୍ରୀମାନେ ନିଜ ଫ୍ଲାଇଟ ସମୟର ୩ ଘଣ୍ଟା ପୂର୍ବରୁ ବିମାବନ୍ଦରରେ ପହଞ୍ଚôବାକୁ ଡିସିପି ଶ୍ରୀ ସିଂ ଅନୁରୋଧ କରିଛନ୍ତି ।
ସେପଟେ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ଓ ତାର ସ୍ୱାଗତକୁ ନେଇ ରାଜନୀତି ସରଗରମ ହୋଇଛି । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ଓ ସ୍ୱାଗତକୁ ୨୦୨୪ ନିର୍ବାଚନ ଥୋପ ବୋଲି ପ୍ରକାଶ ପାଇଛି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ଏ ସବୁ କରାଯାଉଛି । ୨୨ ବର୍ଷ ପରେ ମଧ୍ୟ ଆଜି ଲୋକେ ମୌଳିକ ସୁବିଧା ପାଇ ପାରୁନାହାଁନ୍ତି । କଂଗ୍ରେସ ବିଧାୟକ ଦଳର ନେତା ନିରସିଂହ ମିଶ୍ର କହିଛନ୍ତି, ଦିଲ୍ଲୀରେ ଏଭଳି ଅନେକ ସଂସ୍ଥା ପୁରସ୍କାର ଦେଉଛନ୍ତି । ସେହିପରି ବିଜେପି ବିଧାୟକ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ ବିଜେଡି ଏଭଳି ଆୟୋଜନ କରୁଛି । କିନ୍ତୁ ଓଡ଼ିଶାର ବିକାଶ ଯେଉଁଭଳି ହେବା କଥା ସେପରି ହୋଇନାହିଁ । ବିରୋଧୀଙ୍କ ସମାଲୋଚନାର କଡ଼ା ଜବାବ ଦେଇଛନ୍ତି ବିଜେଡି ଉପସଭାପତି ଦେବୀ ମିଶ୍ର । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଭଲପାଇବା ରହିଛି । ଏହା ଏବେ ପ୍ରତିଫଳିତ ହେଉଛି । ଏଥିରେ ରାଜନୈତିକ କଥା କିଛି ନାହିଁ । ବିରୋଧୀଙ୍କ କାମ ବିରୋଧ କରିବା, ଆଉ ସେମାନେ ସେଇୟା ହିଁ କରୁଛନ୍ତି । ହେଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଭଲପାଇବା ଓ ବିଶ୍ୱାସ ବଢ଼ିବାରେ ଲାଗିଥିବା ଶ୍ରୀ ମିଶ୍ର କହିଛନ୍ତି ।