୭ରେ ଘୂର୍ଣ୍ଣିବଳୟ, ୯ରେ ଲଘୁଚାପ
ଭୁବନେଶ୍ୱର, ୫ା୯ (ବୁ୍ୟରୋ): ଆସନ୍ତା ୭ ତାରିଖରେ ପୁଣି ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ବୁଧବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟିହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ ପ୍ରକାଶ ପାଇଛି । ଏହାର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟଟି ଅଧିକ ଘନିଭୂତ ହେବା ସହ ଲଘୁଚାପ ରୂପ ନେବ । ପ୍ରଭାବରେ ରାଜ୍ୟରେ ୮ରୁ ବର୍ଷାର ପରିମାଣ ବଢିବ । ଦକ୍ଷିଣ ଓଡିଶାରେ ଏହାର ପ୍ରଭାବ ଅଧିକ ରହିବାକୁ ଥିବାବେଳେ ୯ ତାରିଖରେ ସାରା ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି । ଉପକୂଳର ୧୪ ଜିଲ୍ଲା ଓ ଆଭ୍ୟନ୍ତରୀଣ ୧୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ସତର୍କତା ଜାରି କରିଥିବା ଶ୍ରୀ ଦାସ କହିଛନ୍ତି ।
୭ରେ ସୃଷ୍ଟ ଘୁର୍ଣ୍ଣିବଳୟର ପ୍ରଭାବ ପ୍ରାୟ ୧୧ରୁ ୧୨ ତାରିଖ ଯାଏ ରହିବ । ପରେ ୯ରୁ ୧୫ ତାରିଖ ମଧ୍ୟରେ ଚଳିତ ସେପ୍ଟେମ୍ବର ଦ୍ୱିତୀୟ ଘୁର୍ଣ୍ଣିବଳୟ ସୃଷ୍ଟି ହେବ । ଏହାଫଳରେ ରାଜ୍ୟରେ ଚଳିତ ମାସରେ ଲଗାଣ ବର୍ଷା ଦେଖାଦେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି । ଏହି ମଧ୍ୟରେ ବାୟୁମଣ୍ଡଳରେ ମୌସୁମୀ ଜନିତ ନିମ୍ନଚାପରେଖା ସମୁଦ୍ରପତନରୁ ୦.୯ କିମି ଉପରେ ଲମ୍ବିଥିବାବେଳେ ୭ ତାରିଖ ବେଳକୁ ଓଡ଼ିଶାକୁ ମୌସୁମୀ ଫେରିବ । ଏହା ପ୍ରଭାବରେ ବର୍ଷା ପରିମାଣ ବଢ଼ିବାକୁ ଥିବାବେଳେ ଆସନ୍ତାକାଲି ମଙ୍ଗଳବାର ଦିନ ରାଜ୍ୟର ୧୯ ଜିଲ୍ଲାକୁ କାଳବୈଶାଖୀ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତନ୍ମଧ୍ୟରୁ ୭ ଜିଲ୍ଲାରେ ବର୍ଷା ପରିମାଣ ପ୍ରବଳରୁ ଅତିପ୍ରବଳ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ସୋମବାର ସନ୍ଧ୍ୟାରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ତଥ୍ୟ ମୂତାବକ, ମଙ୍ଗଳବାର ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନାଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଟକ, ଜଗତସିଂହପୁର, ବୈଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ମୟୁରଭଞ୍ଜ ଓ କେନ୍ଦୁଝରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ତନ୍ମଧ୍ୟରୁ ଗଞ୍ଜାମ, ଗଜପତି, କନ୍ଧମାଳ, ମାଲକାନାଗିରି, କୋରାପୁଟ, ରାୟଗଡ଼ା ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏହି ବର୍ଷା ପରିମାଣ ଆସନ୍ତା ୭ ଓ ୮ ତାରିଖରେ ସାମାନ୍ୟ ହ୍ରାସ ପାଇବ । ଦିନ ତାପମାତ୍ରା କମିବା ଫଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପରିମାଣ କମିବା ସହ ମୌସୁମୀ ଜନିତ ବର୍ଷା ଲାଗି ରହିବ । ୯ ତାରିଖରୁ ବର୍ଷା ପରିମାଣ ପୁର୍ନବାର ବୃଦ୍ଧିପାଇବ ବୋଲି ଜଣାପଡ଼ିଛି ।
ଏଯାବତ୍ ରାଜ୍ୟର ୬ ଜିଲ୍ଲାରେ ସ୍ୱଭାବିକଠୁ ଅଧିକ ବର୍ଷା ହୋଇଛି । ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଏନେଇ ପାଣିପାଗ ବୈଜ୍ଞାନିକ ଶ୍ରୀ ଦାସ କହିଛନ୍ତି, ରାଜ୍ୟରେ ସେପ୍ଟେମ୍ବରରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । କିଛି ଦିନ ତଳେ ଓଡ଼ିଶାକୁ ଲାଗ୍ ଲାଗ୍ ୨ ଲଘୁଚାପ ଆସିଥିଲା । ଏହାର ପ୍ରଭାବରେ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଏବଂ ଝାରଖଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା । ଏଥିପାଇଁ ଓଡ଼ିଶାର ଅଧିକାଂଶ ଜିଲ୍ଲା ପ୍ରଭାବିତ ହୋଇଥିଲା । କେଉଁଠି ପୂରା ଗାଁ ପାଣି ଘେରରେ ରହିଥିଲା ତ ଆଉ କେଉଁଠି ଲୋକଙ୍କ କୁଡ଼ିଆରେ ପାଣି ପଶିଥିଲା । ଯେଉଁଥିପାଇଁ ହଜାର ହଜାର ଲୋକ ବାସହରା ହୋଇଥିଲେ ।