ପିମ୍ପୁଡ଼ି ନିୟନ୍ତ୍ରଣ ପାଇଁ ଔଷଧ ସ୍ପ୍ରେ
ପିପିଲି(ଆପ୍ର): ଭାର୍ଗବୀ ବନ୍ୟା ଜଳ ପିପିଲି, ଡେଲାଙ୍ଗ ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇବା ପରେ ଏବେ ନାଲି ପିମ୍ପୁଡ଼ି ଆତଙ୍କ ସୃଷ୍ଟି ହୋଇଛି । ପିପିଲି ବ୍ଲକ ଚନ୍ଦ୍ରାଦେଈପୁର ପଞ୍ଚାୟତ ବ୍ରାହ୍ମଣସାହିରେ ମନ୍ଦା ମନ୍ଦା ନାଲି ପିମ୍ପୁଡି ମଣିଷ ଓ ଜୀବଜନ୍ତୁଙ୍କୁ କାମୁଡ଼ି ଆତଙ୍କ ସୃଷ୍ଟି କରୁଛନ୍ତି । ପିମ୍ପୁଡ଼ି ଉପଦ୍ରବ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ବିଧାୟକ ରୁଦ୍ରପ୍ରତାପ ମହାରଥି ପ୍ରଶାସନଙ୍କ ସହିତ ଆଲୋଚନା କରିଛନ୍ତି । ସୋମବାର ବ୍ରାହ୍ମଣସାହିରେ ପିମ୍ପୁଡ଼ି ଉପଦ୍ରବ ନିରାକରଣ ନିମିତ୍ତ େଔଷଧ ସିଞ୍ଚନ କରାଯାଇଛି । ଏଥିସହିତ ପିମ୍ପୁଡ଼ି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମିତ୍ତ ଭୁବନେଶ୍ୱର ପଠାଯାଇଥିବା ସୂଚନା ମିଳିଛି ।
ପିପିଲି ବିଡିଓ ରଶ୍ମିତା ନାଥଙ୍କ ନେତୃତ୍ୱରେ ଭୁବନେଶ୍ୱରସ୍ଥିତ ପିପି ପେଷ୍ଟ କଣ୍ଟ୍ରୋଲର ଓ ପୁରୀ ଜିଲ୍ଲା ମୁଖ୍ୟ କୃଷି ବିଭାଗ ପକ୍ଷରୁ ବ୍ରାହ୍ମଣସାହିରେ ପହଞ୍ଚି ଲୋକମାନଙ୍କ ସହିତ ଆଲୋଚନା କରିବା ସହିତ ନାଲି ପିମ୍ପୁଡି ଘଉଡ଼ାଇବା ଉଦ୍ୟମ କରିଛନ୍ତି । ପିମ୍ପୁଡ଼ି ମନ୍ଦାରେ ୪ପ୍ରକାର ଔଷଧ ମିଶ୍ରଣ କରି ପିପି ପେଷ୍ଟ କଣ୍ଟ୍ରୋଲର ପକ୍ଷରୁ ସିଞ୍ଚନ କରାଯାଇଛି । ପିମ୍ପୁଡ଼ି ଯେପରି ଅଧିକ କ୍ଷତି ଘଟାଇ ନ ପାରିବେ ସେଥିପାଇଁ ସତର୍କ ଦୃଷ୍ଟି ରଖାଯାଇଛି । ଟିମ୍ ସହିତ ଜିଲ୍ଲା ସହକାରୀ କୃଷି ଅଧିକାରୀ ସ୍କିମ୍ ଅଫିସର ପୀୟୂଷ ପଲ୍ଲବ ପରିଡା, କୃଷି ବୈଜ୍ଞାନିକ ଡ. ସଞ୍ଜୟ କୁମାର ମହାନ୍ତି, କୃଷି ଜିଲ୍ଲା ଅଧିକାରୀ ସୁବାସ ଚନ୍ଦ୍ର ବେହେରା, ସହକାରୀ କୃଷି ଅଧିକାରୀ ଜୟଲକ୍ଷ୍ମୀ ସାହୁ, ଆଶାକର୍ମୀ, ସ୍ୱାସ୍ଥ୍ୟ କର୍ମଚାରୀ, ଜିଆର୍ଏସ୍ ପ୍ରମୁଖ ସାମିଲ ହୋଇଥିଲେ । ନାଲି ପିମ୍ପୁଡି କିପରି ଆସିଲେ, ନିୟନ୍ତ୍ରଣ ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଛି । ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ, ୨୪ ନମ୍ବର ଜିଲ୍ଲାପରିଷଦ ସଭ୍ୟ ବ୍ରାହ୍ମଣସାହିରେ ପହଞ୍ଚି ପ୍ରଶାସନିକ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।